ଶୁଭାରମ୍ଭ ହେଲା କୃଷି ଓଡ଼ିଶା: କୃଷି ନୀତି-୨୦୨୦ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷର କୃଷି ଓଡ଼ିଶା ମହୋତ୍ସବରେ ରାଜ୍ୟ କୃଷି ନୀତି ୨୦୨୦କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ପାରମ୍ପରିକ ଧାରାକୁ ଛାଡ଼ି ଚାଷୀମାନେ କିଭଳି ନୂତନ ଜ୍ଞାନକୌଶଳ ସହାୟତାରେ ଲାଭଜନକ ଚାଷ କରିପାରିବେ ସେଥିପାଇଁ ଏହି ମେଗା ପ୍ରଦର୍ଶନୀ ଆରମ୍ଭ ହୋଇଛି। ଭୁବନେଶ୍ବରର ଜନତା ମଇଦାନରେ ଆଜିଠୁ ଏହା ୫ ଦିନ ଧରି ୨୪ ତାରିଖ ଯାଏଁ ଚାଲିବ। କୃଷି ନୀତି ୨୦୨୦ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ରଖି କହିଛନ୍ତି, ସରକାର ସର୍ବଦା ଚାଷ ଓ ଚାଷୀଙ୍କ ଉପରେ ଗୁରୁତ୍ବ ଦେଇଛନ୍ତି। ରାଜ୍ୟରେ କୃଷିର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାହୋଇଛି। ମୁଁ ଚାହେଁ ମୋ ଚାଷୀ ବିକାଶର ସାରଥୀ ହୁଅନ୍ତୁ ଓ ସ୍ବାଭିମାନର ସହ ବଞ୍ଚନ୍ତୁ ବୋଲି ନବୀନ କହିଛନ୍ତି। ଏହା ସହ ସେ କହିଛନ୍ତି, କାଳିଆ ଚାଷୀଙ୍କ ସମ୍ମାନ ବୃଦ୍ଧି କରିଛି। ସରକାର ଚାଷୀମାନଙ୍କ ହିତରେ କାମ କରୁଛନ୍ତି ଓ ସେମାନଙ୍କ ସହ ସବୁବେଳେ ଅଛନ୍ତି।

ସୂଚନାଯୋଗ୍ୟ, ଫିକି ସହଯୋଗିତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଓଡ଼ିଶା ଆୟୋଜନ କରାଯାଇଛି। ଚଳିତ ବର୍ଷ କୃଷି ଓଡ଼ିଶାରେ ୨୨୮ଟି ଷ୍ଟଲ ରହିବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରାୟ ୧୧୨ଟି କମ୍ପାନି ଭାଗ ନେଇଛନ୍ତି। ଏହି ଷ୍ଟଲଗୁଡ଼ିକରେ କୃଷି ଓ କୃଷକଙ୍କ ସଶକ୍ତିକରଣର ଚିତ୍ର ଦେଖିବାକୁ ମିଳିବ। କୃଷିକ୍ଷେତ୍ର ଉପଯୋଗୀ ନୂତନ ଜ୍ଞାନ କୌଶଳ ଓ କୃଷି ପ୍ରଣାଳୀ ସହିତ ଓଡ଼ିଶାର ଚାଷୀମାନଙ୍କୁ ପରିଚିତ କରାଇବା ନିମନ୍ତେ ପ୍ରତିଦିନ ଆଲୋଚନାଚକ୍ର ଆୟୋଜନ କରାଯିବ। ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର ନାମୀ କୃଷି ବିଜ୍ଞାନୀ, କୃଷି ବିଶେଷଜ୍ଞ, କୃଷି ଅଧିକାରୀ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

ଚଳିତବର୍ଷ କୃଷି କ୍ଷେତ୍ରରେ ସମବାୟ ଓ ବାଣିଜ୍ୟିକ ବ୍ୟାଙ୍କ, ପଞ୍ଚାୟତ ଜନପ୍ରତିନିଧି ଓ ମହିଳାମାନଙ୍କ ଭୂମିକାକୁ ଗୁରୁତ୍ୱ ପ୍ରଦାନ କରାଯାଇ ୨୧ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ୍ ଦିବସ, ୨୨ତାରିଖକୁ ପଞ୍ଚାୟତିରାଜ ଜନପ୍ରତିନିଧି ଦିବସ, ୨୩ତାରିଖକୁ ମହିଳା ଦିବସ ଭାବେ ରଖାଯାଇଛି। ୨୨ତାରିଖରେ ରାଜ୍ୟର ବ୍ୟାଙ୍କ ଅଧିକାରୀମାନଙ୍କର ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି ।

Comments are closed.