ଦିନକ ପାଇଁ ବ୍ରିଟିଶ ହାଇକମିଶନର ହେଲେ ରାଜସ୍ଥାନ ଯୁବତୀ

ଜୟପୁର: ରାଜସ୍ଥାନର ଜଣେ ୨୦ ବର୍ଷ ବୟସ୍କା ଯୁବତୀ ଦିନକ ପାଇଁ ବ୍ରିଟିଶ ହାଇକମିଶନର ହେବାର ସୌଭାଗ୍ୟ ଲାଭ କରିଛନ୍ତି । ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ଆନ୍ତର୍ଜାତିକ କନ୍ୟା ଶିଶୁ ଦିବସ ପାଳନ କରାଯାଉଥିବାବେଳେ ୨୦୧୭ରୁ ବ୍ରିଟେନ ସରକାରଙ୍କ ପକ୍ଷରୁ ଏହି ଦିବସ ପାଳନ ପାଇଁ ଏକ ପ୍ରତିଯୋଗିତା ଆୟୋଜନ କରାଯାଉଛି । ଏହି ପ୍ରତିଯୋଗିତାର ବିଜୟୀ ଯୁବତୀ, ମହିଳାଙ୍କୁ ଦିନକ ପାଇଁ ବ୍ରିଟିଶ ହାଇକମିଶନର ହେବାର ସୁଯୋଗ ଦିଆଯାଉଛି । ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବା ଲକ୍ଷ୍ୟ ରଖିଥିବା ୨୦ ବର୍ଷ ବୟସ୍କା ଅଦିତି ମାହେଶ୍ୱରୀ ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ସେ ପ୍ରତିଯୋଗିତାର ପଞ୍ଚମ ବିଜୟିନୀ ହୋଇଛନ୍ତି ।
ଅଦିତି ସଂପ୍ରତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍‌ କଲେଜରେ ପଦାର୍ଥ ବିଜ୍ଞାନ ବିଷୟ ରଖି ସ୍ନାତକ ଶିକ୍ଷା ହାସଲ କରୁଛନ୍ତି । ପ୍ରତିଯୋଗିତାରେ ବିଜୟୀ ହେବାପରେ ସେ ଭାରତରେ ବ୍ରିଟେନର ଶୀର୍ଷ କୂଟନୀତିଜ୍ଞ ଭାବରେ ଶୁକ୍ରବାର ଦିନ ଅନେକ କୂଟନୈତିକ କାର୍ଯ୍ୟକଳାପରେ ସଂପୃକ୍ତ ହେବା ସହିତ ସେ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ସେହିଦିନ କେନ୍ଦ୍ରମନ୍ତ୍ରୀ ରାଜ କୁମାର ସିଂହ ଏବଂ କ୍ୱାସି କ୍ୱାରଟେଙ୍ଗଙ୍କ ମଧ୍ୟରେ ଅଭିବୃଦ୍ଧି ପାଇଁ ଭାରତ-ବ୍ରିଟେନ ଶକ୍ତି ସହଯୋଗ ସମ୍ପର୍କିତ ଆଲୋଚନାକୁ ନିରୀକ୍ଷଣ କରିଥିଲେ । ଏଥିସହିତ ସେଭେନିଂ ଆଲୁମନି ପ୍ରୋଗ୍ରାମ ଫଣ୍ଡ୍‌ ସହାୟତାରେ ଆଶାୟୀ ମହିଳା ରାଜନୀତିଜ୍ଞଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ନେତୃତ୍ୱ କାର୍ଯ୍ୟକ୍ରମର ହିତାଧିକାରୀଙ୍କୁ ସେ ଭେଟିଥିଲେ । ଏଥିସହିତ ଆସନ୍ତା ମାସରେ ଗ୍ଲାସଗୋଠାରେ ବିଶ୍ୱ ନେତାମାନଙ୍କୁ ନେଇ ସିଓପି୨୬ ଜଳବାୟୁ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସେଠାରେ ଏହି ନେତାମାନଙ୍କ ବ୍ୟବହାର ନିମନ୍ତେ ପ୍ରସ୍ତୁତ ଶୂନ୍ୟ ପ୍ରଦୂଷଣକାରୀ ଏବଂ ସମ୍ପୂର୍ଣ୍ଣ ବୈଦ୍ୟୁତିକ ଏସୟୁଭିର ପ୍ରଦର୍ଶନ ମଧ୍ୟ ସେ ଦେଖିଥିଲେ ।
ନିଜ ଅନୁଭୂତି ସମ୍ପର୍କରେ ପ୍ରକାଶ କରି ଅଦିତି କହିଛନ୍ତି, ଗତବର୍ଷ ଏହି ପ୍ରତିଯୋଗିତା ପାଇଁ ସେ ଆବେଦନ କରିଥିଲେ ଏବଂ ଚଳିତ ବର୍ଷ ସେହି ସୁଯୋଗ ମିଳିଥିବାରୁ ସେ ଖୁବ ଖୁସି ଅଛନ୍ତି । ବରିଷ୍ଠ କୂଟନୀତିଜ୍ଞଙ୍କ ସହିତ ଆଲୋଚନା ଏବଂ ‘ସି ଲିଡ୍ସ’ ନେତୃତ୍ୱ କାର୍ଯ୍ୟକ୍ରମର ମହିଳାମାନଙ୍କ ସହିତ ଭାବ ବିନିମୟ ଶୁକ୍ରବାର ତାଙ୍କ ପାଇଁ ସବୁଠାରୁ ଦୁଇଟି ଉଲ୍ଲେଖନୀୟ ଘଟଣା ଥିଲା । ଏଥିସହିତ ବ୍ରିଟିଶ ହାଇକମିଶନର ତାଙ୍କୁ ଏକ ବିଦ୍ୟୁତଚାଳିତ ଗାଡିରେ ବୁଲାଇଥିଲେ । ଏହାଦ୍ୱାରା ତାଙ୍କ ମନରେ ବହୁଦିନରୁ ରହିଥିବା ସ୍ୱପ୍ନ ସାକାର ହୋଇଥିବା ଅଦିତି କହିଛନ୍ତି ।

Comments are closed.