ମୋଦୀଙ୍କୁ ଶକ୍ତିଶାଳୀ କହିଲେ ରଜନୀକାନ୍ତ

0

ଚେନ୍ନଇ : ଦକ୍ଷିଣ ଭାରତର ସୁପରଷ୍ଟାର ଅଭିନେତା ରଜନୀକାନ୍ତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶକ୍ତିଶାଳୀ ଓ ସେ ବିରୋଧୀଙ୍କ ପାଇଁ ବିପଦ ବୋଲି କହିଛନ୍ତି। ରଜୀକାନ୍ତଙ୍କ ମନ୍ତବ୍ୟକୁ ନେଇ ସେ ବିଜେପି ସହ ମେଣ୍ଟ କରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରକାଶଯୋଗ୍ୟ ଯେ ରାଜନୀତିରେ ପ୍ରବେଶ ପରଠାରୁ କେଉଁ ଦଳ ସହ ମେଣ୍ଟ କରିବେ ତାହା ରଜନୀକାନ୍ତ ସ୍ପଷ୍ଟ କରୁନାହାନ୍ତି। ହେଲେ ଗତିବିଧିରୁ ସେ ବିଜେପି ମୁହାଁ ହେଉଥିବା ଆଲୋଚନା ହେଉଛି।
ରଜନୀକାନ୍ତ ମଙ୍ଗଳବାର ପିଏସ୍‍ ଗାର୍ଡେନ ସ୍ଥିତ ନିଜ ବାସଭବନରେ ସାମ୍ବାଦିକଙ୍କୁ ସମ୍ବୋଧନ କରି କହିଥିଲେ ଯେ ଯଦି ୧୦ଟି ଦଳ ଜଣଙ୍କ ବିରୋଧରେ ଏକଜୁଟ୍‍ ହେଉଛନ୍ତି ତେବେ କିଏ ଅଧିକ ଶକ୍ତିଶାଳୀ ତାହା ବୁଝି ହେଉଛି। ବିରୋଧୀ ଦଳଗୁଡ଼ିକ ବିଜେପିକୁ ବିପଦ ବୋଲି ଭାବୁଛନ୍ତି। ତେଣୁ ବିଜେପି ବିରୋଧୀଙ୍କ ପାଇଁ ବିପଦ ହୋଇପାରେ। ତେବେ ବିଜେପି ସହ ମେଣ୍ଟ ନେଇ ସେ କିଛି ନିଷ୍ପତ୍ତି ନେଇନାହାନ୍ତି ବୋଲି କହିଛନ୍ତି।
ରଜନୀକାନ୍ତଙ୍କ ଏହି ବୟାନକୁ ବିଜେପି ପାଇଁ ସକରାତ୍ମକ ବୋଲି ଧରଯାଉଛି। ଏପଟେ ରଜନୀକାନ୍ତ ଡିସେମ୍ବର ୧୨ ନିଜ ଜନ୍ମଦିନ ଅବସରରେ ରାଜନୈତିକ ଦଳ ଘୋଷଣା କରିବେ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ତାମିଲନାଡୁ ବିଧାନସଭା ନିର୍ବାଚନରେ ସମସ୍ତ ୨୩୪ ଆସନରେ ପ୍ରାର୍ଥୀ ଦେବେ ବୋଲି ରଜନୀକାନ୍ତ ପୂର୍ବରୁ ଘୋଷଣା କରିସାରିଛନ୍ତି।

Leave A Reply