ଆଭ୍ୟନ୍ତରୀଣ ନିରାପତ୍ତା ବ୍ୟବସ୍ଥା ପାଇଁ ୩.୫ ଲକ୍ଷ କୋଟି ଆବଶ୍ୟକ: ରାଜନାଥ

0

ନୂଆଦିଲ୍ଲୀ : ଆଭ୍ୟନ୍ତରୀଣ ନିରାପତ୍ତା ବ୍ୟବସ୍ଥା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକ୍ରମ ନିମନ୍ତେ ୨୦୨୦ରୁ ୨୦୨୫ ମଧ୍ୟରେ ୩.୫ ଲକ୍ଷ କୋଟି ଟଙ୍କାର ଆବଶ୍ୟକତା ରହିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ୧୫ଶ ଅର୍ଥ କମିସନଙ୍କୁ ଜଣାଇଛନ୍ତି। ଏହି ଅର୍ଥକୁ ଆଭ୍ୟନ୍ତରୀଣ ନିରାପତ୍ତା ବ୍ୟବସ୍ଥା, କେନ୍ଦ୍ରୀୟ ସଶସ୍ତ୍ର ନିରାପତ୍ତା ବଳ କର୍ମୀ, ପୁଲିସ ବ୍ୟବସ୍ଥାର ଆଧୁନିକୀକରଣ, ସୀମା ସୁରକ୍ଷା ଓ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ବିଭାଗ ପକ୍ଷରୁ ଉଲ୍ଲେଖ କରାଯାଇଛି। ରାଜନାଥ ଇତିମଧ୍ୟରେ ଅର୍ଥ କମିସନ ଅଧ୍ୟକ୍ଷ ଏନ.କେ.ସିଂହଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିସାରିଛନ୍ତି। ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ବ୍ୟବସ୍ଥା ପ୍ରତି ଉପୁଜିଥିବା ବିପଦ କ୍ରମଶଃ ବୃଦ୍ଧି ପାଉଥିବାରୁ ନିରାପତ୍ତାରକ୍ଷୀ, ସଂଗଠନକୁ ଅଧିକ ମଜଭୁତ କରିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯଦିଓ ଆଇନ ଶୃଙ୍ଖଳା ଓ ପୁଲିସ ରାଜ୍ୟ ତାଲିକାଭୁକ୍ତ, ତଥାପି ଏହାକୁ ଦୃଢୀଭୂତ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ ଅଧିକ ରହିଛି ବୋଲି କୁହାଯାଇଛି। ବର୍ତ୍ତମାନ ଆତଙ୍କବାଦ ଓ ନକ୍ସଲ ସମସ୍ୟା ଏତେ ତୀବ୍ର ଆକାର ଧାରଣ କରିଛି, ଯାହାଫଳରେ ଏହାକୁ ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କ ପକ୍ଷରେ ଅତ୍ୟନ୍ତ କଷ୍ଟକର ହୋଇପଡୁଛି। ଏପରିକି କେତେକ କ୍ଷେତ୍ରରେ ରାଜ୍ୟ ସରକାର ଏହାକୁ ସମ୍ଭାଳିବାରେ ଅକ୍ଷମତା ପ୍ରକାଶ କରି କେନ୍ଦ୍ରର ସହାୟତା ଲୋଡୁଛନ୍ତି। ଅପରପକ୍ଷରେ ଜନସାଧାରଣଙ୍କ ମଧ୍ୟରେ ନିରାପତ୍ତା ସଂକ୍ରାନ୍ତ ଜନସଚେତନତା ବୃଦ୍ଧି, ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଅଧିକ ମଜଭୁତ କରିବା, ସାଇବର ଅପରାଧର ମୂଳୋତ୍ପାଟନ ଏବଂ ପ୍ରାକୃତିକ ଦୁର୍ବିପାକ ସମୟରେ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନ ଭଳି ପ୍ରସଙ୍ଗରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ବିଭାଗକୁ ଅଧିକ ଅନୁଦାନ ଜରୁରୀ ବୋଲି ରାଜନାଥ କହିଛନ୍ତି। ବିଗତ କିଛି ବର୍ଷ ଧରି ଉତ୍ତର-ପୂର୍ବ ରାଜ୍ୟ ଓ ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକରେ ସ୍ଥିତି ଉନ୍ନତ ହୋଇଛି ବୋଲି ରାଜନାଥ କହିଛନ୍ତି। ଏହି ସ୍ଥିିତିକୁ ଅଧିକ ନିରାପଦ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

Leave A Reply