ତିନି ସେନାମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ : ଶନିବାର ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାର କିଛି ସମୟ ପରେ ରାଜନାଥ ସିଂହ ତିନି ସେନାର ମୁଖ୍ୟଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ସ୍ଥଳସେନା, ବାୟୁସେନା ଓ ନୌସେନା ପାଇଁ ଥିବା ବିଭିନ୍ନ ଆହ୍ବାନ ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅଲଗା ଅଲଗା ତଥ୍ୟ ଉପସ୍ଥାପନ କରିବାକୁ ସେ ସେନା ମୁଖ୍ୟଙ୍କୁ ନିର୍ଦେଶ ଦେଇଛନ୍ତି।

ରାଜନାଥ ସିଂହ ରାଇସିନା ହିଲସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ କାର୍ଯ୍ୟାଳୟରେ  ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ, ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶାଲ ବି ଏସ୍‌ ଧନୋଆ ଏବଂ ନବନିଯୁକ୍ତ ନୌସେନା ମୁଖ୍ୟ କରମବୀର ସିଂହଙ୍କ ସହ ବୈଠକ କରିଥିଲେ। ଏଥିରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ, ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ର ଓ ଅନ୍ୟାନ୍ୟ ଉଚ୍ଚାଧିକାରୀ ଉପସ୍ଥିତ ଥିଲେ। ବୈଠକରେ ମନ୍ତ୍ରଣାଳୟର ବିଭିନ୍ନ ବିଭାଗ ପକ୍ଷରୁ ମଧ୍ୟ କାର୍ଯ୍ୟକ୍ରମର ରୂପରେଖ ଉପସ୍ଥାପନ କରିବାକୁ କୁହାଯାଇଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

ଗତ ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଥିବା ଶ୍ରୀ ସିଂହ ମଧ୍ୟାହ୍ନରେ ମନ୍ତ୍ରଣାଳୟ ପହଞ୍ଚିବା ପରେ ତିନି ସେନାର ମୁଖ୍ୟ ଏବଂ ଅଧିକାରୀମାନେ ପ୍ରଥମେ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ଶ୍ରୀ ସିଂହ ସେଠାରେ ସମସ୍ତଙ୍କୁ ନିଜର ଶ୍ରେଷ୍ଠ କାର୍ଯ୍ୟ କରି ଦେଖାଇବାକୁ ଉତ୍ସାହିତ କରିବା ସହ ‘ନିଶାଣ’ ଯେଭଳି ଭେଦ କରିହେବ, ସେଥିପାଇଁ ପ୍ରସ୍ତୁତ ହେବାକୁ କହିଥିଲେ। ପୂର୍ବାହ୍ନରେ ଶ୍ରୀ ସିଂହ ଜାତୀୟ ଯୁଦ୍ଧ ସ୍ମାରକ ପରିଦର୍ଶନ କରି ସେଠା​‌ରେ ଯୁଦ୍ଧ ନାୟକମାନଙ୍କ ପ୍ରତି ଶ୍ରଦ୍ଧାର୍ଘ୍ୟ ଅର୍ପଣ କରିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ଭାବେ ଶ୍ରୀ ସିଂହଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ହେଲା ଦୀର୍ଘ ଦିନ ଧରି ବିଳମ୍ବିତ ତିନି ସେନାର ଆଧୁନିକୀକରଣ। ଏହା ବ୍ୟତୀତ ତିନିସେନା ଭିତରେ ଲଢ଼େଇ ପାଇଁ ସୁସଙ୍ଗତି ସ୍ଥାପନ ମଧ୍ୟ ଏକ ଆହ୍ବାନ। ଅନ୍ୟାନ୍ୟ ଆହ୍ବାନ ମଧ୍ୟରେ ଚୀନର ସମ୍ଭାବ୍ୟ ଶତ୍ରୁତାପୂର୍ଣ୍ଣ ବ୍ୟବହାରକୁ ପ୍ରତିହତ କରିବା ସହ ସୀମାରେ ଶାନ୍ତି ବଜାୟ ରଖିବା ବେଶ୍ ଗୁରୁତ୍ବପୂର୍ଣ୍ଣ। ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ପକ୍ଷରୁ ଆକ୍ରମଣର ତିନି ମାସ ପରେ ସେ ମନ୍ତ୍ରଣାଳୟର ଦାୟିତ୍ବ ନେଇଥିବାରୁ ସୀମାପାର୍ ଆତଙ୍କବାଦ ପ୍ରତି ତାଙ୍କର କଠୋର ମନୋଭାବ ପୂର୍ବଭଳି ରହିବ ବୋଲି ଆଶା କରାଯାଉଛି। ପାକିସ୍ତାନରୁ ଆସି ଜାମ୍ମୁକାଶ୍ମୀରରେ ଆତଙ୍କବାଦ ଚଳାଇଥିବା ଆତଙ୍କବାଦୀଙ୍କ ସହ ଲଢ଼େଇ ମଧ୍ୟ ତାଙ୍କ ପାଇଁ ଏକ ବଡ଼ ଆହ୍ବାନ ହେବ।
ସରକାର ଦେଶ ଭିତରେ ଯୁଦ୍ଧାସ୍ତ୍ର ନିର୍ମାଣ ଉପରେ ଧ୍ୟାନ କେନ୍ଦ୍ରିତ କରିବା କଥା କହୁଥିବାବେଳେ ଏ କ୍ଷେତ୍ରରେ କିଭଳି ଅଗ୍ରଗତି କରିହେବ, ସେନେଇ ଶ୍ରୀ ସିଂହଙ୍କୁ ଚିନ୍ତା କରିବାକୁ ହେବ। ଏଥିପାଇଁ ସହଭାଗିତା ମଡେଲ୍‌କୁ ଗ୍ରହଣ କରିବା କଥା କୁହାଯାଉଛି। ଏଥିରେ ଭାରତର ଘରୋଇ କମ୍ପାନୀ ସହ ବିଦେଶର ପ୍ରମୁଖ ପ୍ରତିରକ୍ଷା ସାମଗ୍ରୀ ନିର୍ମାତା କମ୍ପାନୀଙ୍କ ସହଭାଗିତା ରଖାଯିବା ଯୋଜନା ରହିଛି। ଏହାବ୍ୟତୀତ ପ୍ରତିରକ୍ଷା ଗବେଷଣା ସଂସ୍ଥା ଓ ପ୍ରତିରକ୍ଷା ସମ୍ପର୍କିତ ବିଭିନ୍ନ ସଂସ୍ଥାଗୁଡ଼ିକ କିଭଳି ଉନ୍ନତ ମାନର ହେବ, ତାହା ଦେଖିବା ଶ୍ରୀ ସିଂହଙ୍କ ପ୍ରମୁଖ କାର୍ଯ୍ୟ ହେବ। ସେନାରେ ସଂସ୍କାର ଆଣିବା ପାଇଁ ଯେଉଁ ରୂପରେଖ ତିଆରି କରାଯାଇଛି, ତା’ର କାର୍ଯ୍ୟାନ୍ବୟନ ମଧ୍ୟ ଏକ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗ। ଉଲ୍ଲେଖଯୋଗ୍ୟ, ଶ୍ରୀ ସିଂହଙ୍କ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ନିର୍ମଳା ସୀତାରମଣ ରାଫେଲ୍ ପ୍ରସଙ୍ଗରେ ବିରୋଧୀଙ୍କୁ ଦୃଢ଼ ଜବାବ ଦେଇଥିବାବେଳେ ବର୍ତ୍ତମାନ ସେ ଉକ୍ତ ପ୍ରସଙ୍ଗର କିପରି ପରିଚାଳନା କରୁଛନ୍ତି, ତାହା ଦେଖିବା ବେଶ୍ ରୋଚକ ହେବ।

Comments are closed.