ଋଷ ଗସ୍ତରେ ରାଜନାଥ : ଏସ୍‍ସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର  ୩ ଦିନ ପାଇଁ ଋଷ୍‍ ଗସ୍ତରେ ଯାଇଛନ୍ତି। ଏହି ସମୟରେ ସେ ସାଂଘାଇ ସହଯୋଗ ସଂଗଠନ-ଏସ୍‍ସିଓ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ। ଏସ୍‍ସିଓର ସମସ୍ତ ୭ଟିଯାକ ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀମାନେ ଏହି ବୈଠକରେ ମୁଖ୍ୟତଃ ଆତଙ୍କବାଦ ଓ ଉଗ୍ରବାଦ ସମସ୍ୟା ଓ ଏହାର ମୁକାବିଲା ପାଇଁ ସାମୂହିକ ସହଯୋଗ ପ୍ରସଙ୍ଗ ଭଳି ଆଞ୍ଚଳିକ ନିରାପତ୍ତା ଆହ୍ବାନ ଗୁଡ଼ିକ ବିଷୟରେ ଆଲୋଚନା କରିବାର ଆଶା କରାଯାଉଛି।

ମସ୍କୋରେ ଶୁକ୍ରବାର ଦିନ ଏହି ଆଲୋଚନା ଅନୁଷ୍ଠିତ ହେବ। ରୁଷ୍‍ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ୍‍ ଶର୍ଗେଇ ଶୋଇଗୁଙ୍କ
ଆମନ୍ତ୍ରଣକ୍ରମେ ଶ୍ରୀ ସିଂହ ମସ୍କୋ ଗସ୍ତରେ ଯାଇଛନ୍ତି। ସେ ସାମୂହିକ ନିରାପତ୍ତା ଚୁକ୍ତି ସଂଗଠନ-ସିଏସ୍‍ଟିଓ ଏବଂ ସିଆଇଏସ୍‍ ବୈଠକରେ ମଧ୍ୟ ଯୋଗଦେବେ। ଏକ ଟ୍ୱିଟ୍‍ ସନ୍ଦେଶରେ ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି, ସେ ରୁଷ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଭେଟି ତାଙ୍କ ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଓ ଦ୍ୱିପକ୍ଷୀୟ ସହଯୋଗ ସଂକ୍ରାନ୍ତରେ ଆଲୋଚନା କରିବେ। ଭାରତ ଓ ରୁଷ୍‍ ପରସ୍ପରର ପୁରାତନ ଭାଗିଦାରୀ ରାଷ୍ଟ୍ର ଓ ତାଙ୍କର ଏହି ଗସ୍ତ ଏହି ସଂପର୍କକୁ ଆହୁରି ଅଧିକ ସୁଦୃଢ଼ କରିବ ବୋଲି ସେ କହିଛନ୍ତି।
ଗତ ଜୁନ୍‍ ମାସଠାରୁ ଏହା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କର ରୁଷ୍‍କୁ ଏହା ଦ୍ୱିତୀୟ ଗସ୍ତ। ଗତ ଜୁନ୍‍ ୨୪ ତାରିଖରେ ମସ୍କୋରେ ଅନୁଷ୍ଠିତ ବିଜୟ ଦିବସ ପ୍ୟାରେଡରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେହିଦିନ
ରୁଷ୍‍ ନାଜି ଜର୍ମାନୀ ଉପରେ ବିଜୟ ହାସଲ କରିଥିଲା। ଏହାର ୭୫ତମ ବାର୍ଷିକୀ ପାଳନ ଉପଲକ୍ଷେ ବିଜୟ ଦିବସ ପ୍ୟାରେଡ୍‍ର ଆୟୋଜନ କରାଯାଇଥିଲା।
ଅନ୍ୟପକ୍ଷରେ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ସାଂଘାଇ ସହଯୋଗ ସଙ୍ଗଠନ ବୈଦେଶକ ମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବାକୁ’ ରୁଷ୍‍’ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କରଙ୍କୁ ଆମନ୍ତ୍ରଣ କରିଛି।

Comments are closed.