ଚୀନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାଜନାଥଙ୍କ ପରାମର୍ଶ : ଆକ୍ରମଣାତ୍ମକ ମନୋଭାବ ଛାଡ଼

ନୂଆଦିଲ୍ଲୀ : ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତାବସ୍ଥାରେ ପରିବର୍ତ୍ତନ ନେଇ ଚୀନ ସେନାର ଏକପାଖିଆ ଉଦ୍ୟମ, ଆକ୍ରମଣାତ୍ମକ ଆଭିମୁଖ୍ୟ ଓ ବହୁସଂଖ୍ୟାରେ ସୈନ୍ୟ ଠୁଳ କରିବା କାରଣରୁ ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ତେଣୁ ଚୀନ ସେନା ଏପରି ପଦକ୍ଷେପରୁ ନିବୃତ୍ତ ରହିବା ଦରକାର ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଚୀନ ପ୍ରତିପକ୍ଷ ୱି ଫେଙ୍ଗହଙ୍କୁ କହିଛନ୍ତି। ଶୁକ୍ରବାର ରାତିରେ ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା କାଳରେ ରାଜନାଥ ଏପରି ଚେତାବନୀ ଦେଇଛନ୍ତି। କଥାବାର୍ତ୍ତା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକାରୀ ଶନିବାର ଦେଇଥିବା ସୂଚନା ଅନୁଯାୟୀ ଭାରତ ଏହାର ସାର୍ବଭୌମତ୍ବ ଓ ଆଞ୍ଚଳିକ ଅଖଣ୍ଡତାକୁ ସୁରକ୍ଷା ଲାଗି ପ୍ରତିଶ୍ରୁତିବଦ୍ଧ।

ଭାରତ କହିଛି ଯେ ବର୍ତ୍ତମାନ ଦୁଇଦେଶ ମଧ୍ୟରେ ଯେଉଁ ଉତ୍ତେଜନାମୂଳକ ପରସ୍ଥିତି ସୃଷ୍ଟି ହୋଇଛି ତାକୁ ଦାୟିତ୍ବର ସହ ପରିଚାଳନା କରାଯିବା ଦରକାର। ପରିସ୍ଥିତିକୁ ଅଧିକ ଜଟିଳ କରିବା ଭଳି କୌଣସି ପକ୍ଷ ପଦକ୍ଷେପ କେହି ନେବା ଉଚିତ ନୁହେଁ। ରାଜନାଥ ସ୍ପଷ୍ଟ କରିଛନ୍ତି ଯେ ସୀମା ପରିଚାଳନା କ୍ଷେତ୍ରରେ ଭାରତୀୟ ସୈନିକମାନେ ସର୍ବଦା ଦାୟିତ୍ବପୂର୍ଣ୍ଣ ପଦକ୍ଷେପ ନେଇଥାନ୍ତି। ଅନ୍ୟପଟେ ଭାରତ ସେନା ଏହାର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ବଜାୟ ରଖିବା ଲାଗି ଦୃଢ ପ୍ରତିଶ୍ରୁତିବଦ୍ଧ। ସୀମା ବିବାଦର ସମାଧାନ ପାଇଁ କୂଟନୈତିକ ଓ ସାମରିକସ୍ତରରେ କଥାବାର୍ତ୍ତା ଚାଲିଥିବାବେଳେ ଚୀନ ସେନା ପାନଗଙ୍ଗ ଦ୍ରଦର ଦକ୍ଷିଣ ଉପକୂଳକୁ କବ୍‌ଜା କରିବାର ଉଦ୍ୟମ ଯୋଗୁଁ ଉତ୍ତେଜନା ବୃଦ୍ଧି ପାଇଛି। ସୀମା ଉତ୍ତେଜନା ପାଇଁ ଚୀନ ଗଣମାଧ୍ୟମ ଭାରତ ସେନାକୁ ଦାୟୀ କରୁଥିବାବେଳେ ଏହାକୁ ଭାରତ ଖଣ୍ଡନ କରିଛି। ଚୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ ସୀମା ଉତ୍ତେଜନା ପାଇଁ ଭାରତକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛନ୍ତି ୱି ଫେଙ୍ଗହ।

ପ୍ରାୟ ୪ ମାସ ଧରି ଦୁଇଦେଶର ସୀମାରେ ଉତ୍ତେଜନା ଲାଗି ରହିଥିବା ଶୁକ୍ରବାର ପ୍ରଥମ କରି ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ସାଙ୍ଘାଇ ସହଯୋଗ ସଂଗଠନ (ଏସସିଇ) ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ରୁଷ୍‌ର ମସ୍କୋରେ ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀ ସାକ୍ଷାତ ଆଲୋଚନା କରିଥିଲେ। ପ୍ରାୟ ୨ଘଣ୍ଟା ୨୦ମିନିଟ୍ ପାଇଁ ହୋଇଥିବା ବୈଠକରେ ଉଭୟ ଦେଶର ପ୍ରତିରକ୍ଷା ଅଧିକାରୀ ଓ ଅନ୍ୟ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା ନିମନ୍ତେ ଚୀନ ପକ୍ଷରୁ ଅନୁରୋଧ କରାଯାଇଥିଲା। ଏପରିକି ଗତ ୮୦ଦିନ ମଧ୍ୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା ଲାଗି ଚୀନ ୩ଥର ଅନୁରୋଧ କରିଥିଲା।

ଅନ୍ୟପଟେ ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ସିଙ୍ଗଲା ତାଙ୍କ ଚୀନ ପ୍ରତିପକ୍ଷଙ୍କୁ କହିଛନ୍ତି ଯେ ସୀମାରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଅତ୍ୟନ୍ତ ଗମ୍ଭୀର। ତେଣୁ ଏହି ଗମ୍ଭୀର ପରିସ୍ଥିତିରେ ଦୁଇଦେଶ ମଧ୍ୟରେ ସ୍ବାଭାବିକ କାରବାର ସମ୍ଭବ ନୁହେଁ। ବର୍ତ୍ତମାନ ପରିସ୍ଥିତିରୁ ମୁକୁଳି କିପରି ଶାନ୍ତି ଓ ସହାବସ୍ଥାନ ଫେରାଇ ଅଣାଯିବ ତା ଉପରେ ଉଭୟ ଗୁରୁତ୍ବ ଦେବା ଦରକାର। ଆସନ୍ତା ସପ୍ତାହରେ ଏସ୍‌ସିଓ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବାକୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଏସ୍ ଜୟଶଙ୍କର ମସ୍କୋ ଗସ୍ତ କରିବେ। ଏହି ଗସ୍ତ କାଳରେ ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କୁ ସାକ୍ଷାତ କରିବାର ସମ୍ଭାବନା ଅଛି।

ରାଜନାଥ ସିଂହ ଶନିବାର ତାଙ୍କ ଇରାନ ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ କଥାବର୍ତ୍ତା କରିଛନ୍ତି। ରୁଷ୍‌ର ମସ୍କୋରେ ଆୟୋଜିତ ଏସସିଓ ବୈଠକରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିବା ବାଟରେ ରାଜନାଥ ତେହରାନରେ ଅଟକିବା ସହିତ ଇରାନ ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିୟର ଜେନେରାଲ ଅମିର ହାତାମିଙ୍କ ସହିତ କଥାବାର୍ତ୍ତା କରିଛନ୍ତି।

Comments are closed.