ଦେଶବାସୀଙ୍କୁ ସହଯୋଗ ପାଇଁ ପ୍ରସ୍ତୁତ ରହିଛି ସେନା – ରାଜନାଥ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ମୁକାବିଲା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ନେଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ସାଧାରଣ ଜନତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରତିରକ୍ଷା ପ୍ରତିଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ପୀଡିତ ଲୋକଙ୍କ ପାଇଁ କ୍ୱାରେଣ୍ଟାଇନ୍‍ ବ୍ୟବସ୍ଥା କରିବା, ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏବଂ ସେମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିଆଯାଉଥିବା ପଦକ୍ଷେପର ସେ ପ୍ରଶଂସା କରିଛନ୍ତି।

ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାପ୍‍ ଜେନେରାଲ୍‍ ବିପିନ ରାୱତ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କୋଭିଡ୍‍-୧୯ର ମୁକାବିଲା ପାଇଁ କେତୋଟି ସ୍ୱତନ୍ତ୍ର ହସ୍ପିଟାଲ କରାଯାଇଛି। ସେଗୁଡ଼ିକରେ ୯ହଜାରରୁ ଅଧିକ ଶଯ୍ୟା ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। ଅନ୍ୟ ପକ୍ଷରେ ଜୈସଲମେର, ଜୋଧପୁର, ଚେନ୍ନାଇ, ମାନେସର, ହିନ୍ଦନ ଏବଂ ମୁମ୍ବାଇରେ ବିଦେଶରୁ ଆସିଥିବା ହଜାରେରୁ ଅଧିକ ଲୋକଙ୍କୁ କ୍ୱାରେଣ୍ଟାଇନ୍‍ରେ ରଖାଯାଇଛି। ସମୀକ୍ଷା ବୈଠକରେ ଉପସ୍ଥିତ ନୌବାହିନୀ ମୁଖ୍ୟ ଆଡମିରାଲ୍‍ କରମବୀର ସିଂହ କହିଛନ୍ତି, ଯେକୌଣସି ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ନୌଜାହାଜଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି। ନୌବାହିନୀ କର୍ମଚାରୀମାନେ ସାଧାରଣ ଜନତାଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରୁଥିବା ସେ ପ୍ରକାଶ କରିଛନ୍ତି। ବାୟୁସେନା ମୁଖ୍ୟ ଏୟାର୍‍ ଚିଫ୍‍ ମାର୍ସାଲ୍‍ ଆର୍‍.କେ.ଏସ୍‍. ଭଦୁରିଆ କହିଛନ୍ତି, ଗତ ୫ ଦିନ ମଧ୍ୟରେ ବାୟୁସେନାର ଜାହାଜଗୁଡ଼ିକ ସାହାଯ୍ୟରେ ଦେଶର ବିଭିନ୍ନ ଅଞ୍ଚଳକୁ ୨୫ ଟନ୍‍ ଔଷଧ ଓ ମେଡିକାଲ୍‍ ଉପକରଣ ପହଞ୍ଚା ଯାଇଛି।

ସେ କହିଛନ୍ତି, ସୁରକ୍ଷିତ ଭାବେ ବାୟୁସେନା ଜନସାଧାରଣଙ୍କୁ ସାହାଯ୍ୟ ଯୋଗାଇ ଦେଉଛି। ଏହି ସମୀକ୍ଷା ବୈଠକରେ ଉପସ୍ଥିତ ସେନା ମୁଖ୍ୟ ଜେନେରାଲ୍‍ ଏମ୍‍.ଏମ୍‍. ନାରୱଣେ ଲୋକମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ୮ହଜାର ୫୦୦ ଡାକ୍ତର ଓ ଅନ୍ୟ ସହଯୋଗୀ କର୍ମଚାରୀ ନିୟୋଜିତ ଅଛନ୍ତି। ଡି.ଆର୍‍.ଡି.ଓ. ଅଧ୍ୟକ୍ଷ ଡକ୍ଟର ଜି. ଶତୀଶ ରେଡ୍ଡୀ କହିଛନ୍ତି, ଡି.ଆର୍‍.ଡି.ଓ. ପକ୍ଷରୁ ପ୍ରାୟ ୫୦ହଜାର ଲିଟର ସାନିଟାଇଜର ପ୍ରସ୍ତୁତ କରାଯାଇ ଦିଲ୍ଲୀ ପୁଲିସ୍‍, ସେନା ଓ ଅନ୍ୟମାନଙ୍କୁ ବଣ୍ଟନ କରାଯାଇଛି। ସେ କହିଛନ୍ତି, ଏବେ ଯୁଦ୍ଧକାଳୀନ ଭିତ୍ତିରେ ଏନ୍‍- ୯୯ ମାସ୍କ୍‍ ତିଆରି କରାଯାଉଛି।

Comments are closed.