ରାଜନାଥ, ନଡ୍ଡା, ନୀତୀଶ ଓ ବୋମାଇଙ୍କୁ କରୋନା

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ସୋମବାର କରୋନା ସଂକ୍ରମିତ ହୋଇଛନ୍ତି। କରୋନା ସଂକ୍ରମିତ ହେବା ସମ୍ପର୍କରେ ରାଜନାଥ ଟୁଇଟ୍‌ କରି ଜଣାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଇଛି। ସେ ଏହ ଗୃହ ସଙ୍ଗରୋଧରେ ଅଛନ୍ତି। ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କରୋନା ନମୁନା ପରୀକ୍ଷା କରାଇବା ସହ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ନୀତୀଶ କୁମାର କରୋନା ସଂକ୍ରମିତ ହେବା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ସଂକ୍ରମିତ ହେବା ପରେ ନୀତୀଶ ଗୃହ ସଙ୍ଗରୋଧରେ ରହିଛନ୍ତି। ବସଭରାଜ ବୋମାଇଙ୍କ ଠାରେ ମଧ୍ୟ ସାମାନ୍ୟ ଲକ୍ଷଣ ଦେଖାଯାଇଥିବାବେଳେ ସେ ଗୃହ ସଙ୍ଗରୋଧରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ବୋମାଇ ଟୁଇଟ୍ କରିଛନ୍ତି ଯେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଙ୍ଗରୋଧରେ ରହିବା ସହ ନମୁନା ପରୀକ୍ଷା କରାନ୍ତୁ। କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟଙ୍କ ଠାରେ ମଧ୍ୟ ସାମାନ୍ୟ ଲକ୍ଷଣ ଦେଖାଯିବା ସହ ସେ ଗୃହ ସଙ୍ଗରୋଧରେ ଅଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରୋନା ସଂକ୍ରମିତ ହୋଇ ସଙ୍ଗରୋଧରେ ରହିଛନ୍ତି। ସିପିଏମ୍ ନେତା ପ୍ରକାଶ କାରାତ ଓ ବ୍ରିନ୍ଦା କାରାତ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସଂକ୍ରମଣ ପରେ ଉଭୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ହାଇଦରାବାଦରେ ଦଳର କେନ୍ଦ୍ରୀୟ କମିଟି ବୈଠକରେ ଯୋଗଦେବାକୁ ଯାଇଥିବାବେଳେ ଉଭୟ ସଂକ୍ରମିତ ହୋଇଥିଲେ।

Comments are closed.