ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ସ୍ମାରକୀ ବକ୍ତୃତାମାଳା : ‘ଗାନ୍ଧୀଙ୍କ ସ୍ୱପ୍ନର ଭାରତବର୍ଷ ହଜିଯାଇଛି’

ଭୁବନେଶ୍ୱର : ଗାନ୍ଧିବାଦୀ ଚିନ୍ତାନାୟକ, ଜନପ୍ରିୟ ନେତା, ପୂର୍ବତନ ବିଧାୟକ ସ୍ୱର୍ଗତ ରାଜକିଶୋର ନାୟକ ଜଣେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ସରଳ, ନିରାଡ଼ମ୍ବର ସାଧାରଣ ଜୀବନ ଯାପନ କରି ଜନସେବାରେ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ଗାନ୍ଧିଜୀଙ୍କ ପରେ ଯେଉଁମାନେ ଗାନ୍ଧୀ ବିଚାରଧାରାକୁ ଜୀବନର ସାଧନା ଓ ସିଦ୍ଧାନ୍ତଭାବେ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ସଂଗ୍ରାମୀ ଶ୍ରୀ ନାୟକ ଥିଲେ ଅନ୍ୟତମ ବୋଲି ସ୍ମାରକୀ ବକ୍ତୃତାମାଳାରେ ବହୁ ବିଶିଷ୍ଟ ବ୍ୟକ୍ତି ମତ ପୋଷଣ କରିଛନ୍ତି।
ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଗାନ୍ଧିବାଦୀ ଚିନ୍ତକ ରାଜକିଶୋର ନାୟକଙ୍କ ଏକାଦଶ ଶ୍ରାଦ୍ଧବାର୍ଷିକୀ ଅବସରରେ ଏଠାରେ ସୋମବାର ପୂର୍ବାହ୍ନରେ ସ୍ମାରକୀ ଗାନ୍ଧୀ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି। ‘ମହାତ୍ମା ଗାନ୍ଧୀଙ୍କ ପରେ ଭାରତବର୍ଷ’ ଶୀର୍ଷକ ଆଲୋଚନାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୁପ୍ରିମକୋର୍ଟର ଅସବରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ଭର୍ଚୁଆଲ ଜରିଆରେ କହିଲେ ଯେ, ଗାନ୍ଧିଜୀଙ୍କ ପରେ ତାଙ୍କ ସ୍ୱପ୍ନର ଭାରତବର୍ଷ କ୍ରମଶଃ ହଜିଯାଇଛି। ଗାନ୍ଧିଜୀ ଭାରତବର୍ଷରେ ଗରିବ,ଦଳିତ ଓ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ସ୍ୱପ୍ନ ଦେଖି ବିବିଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ। ଜଷ୍ଟିସ୍‌ ପଟ୍ଟନାୟକ ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ କହିଥିଲେ ଗାନ୍ଧିଜୀ ବିଶ୍ବ ଭ୍ରାତୃତ୍ୱ, ସର୍ବଧର୍ମ ସମନ୍ୱୟ ଉପରେ ବିଶ୍ୱାସ ରଖିଥିଲେ। ମାତ୍ର ୧୯୪୮ରେ ସ୍ୱାଧୀନତା ପ୍ରାପ୍ତିର ଛଅମାସ ପରେ ମହାତ୍ମା ଗାନ୍ଧୀ ଆତତାୟୀ ଗୁଳିରେ ନିହତ ହେବା ପରେ କ୍ରମଶଃ ଭାରତରେ ହିଂସା, ଆତଙ୍କ ଓ ବିଦ୍ୱେଷର ବିଷ ସଞ୍ଚରିତ ହୋଇଛି। ସାମ୍ପ୍ରତିକ କାଳରେ ଏହା ସବୁଠାରୁ ମାରାତ୍ମକ ଅବସ୍ଥାରେ ପହଞ୍ଚିଛି। ଗରିବ, ଦଳିତ ଓ ମହିଳାମାନେ ସବୁଠାରୁ ଅଧିକ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି। ସାଧାରଣ ଲୋକଙ୍କ ପ୍ରତି ପ୍ରଶାସନର ଯେଉଁ ସମବେଦନା ରହିବା କଥା ତାହା ଆଜି ପ୍ରାୟତଃ ଅବକ୍ଷୟ ଆଡ଼କୁ ଯାଉଛି। ଏହି ଅବସରରେ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କ ଜୀବନ ଆଲେଖ୍ୟ ଉପରେ ଆଧାରିତ ଇଂରାଜୀ ଅନୁବାଦ ଗ୍ରନ୍ଥ ‘ଟ୍ୱିଲାଇଟ୍‍ ମେମୋରିଜ’(ସାୟାହ୍ନର ସ୍ମୃତି) ଲୋକାର୍ପିତ କରି ସେ ସ୍ୱର୍ଗୀୟ ନାୟକଙ୍କୁ ଗାନ୍ଧୀ ଭାବର ଜଣେ ଅପ୍ରତିମ ଉଦାହରଣ ଭାବେ ଅଭିହିତ କରିଥିଲେ।
ଭର୍ଚୁଆଲରେ ସ୍ୱର୍ଗତ ନାୟକଙ୍କ ଛାତ୍ର ପଦ୍ମବିଭୂଷଣ ଡ. ସୀତାକାନ୍ତ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ତାଙ୍କ ଆଦର୍ଶ, ସମ୍ବେଦନଶୀଳତା ଓ ଗାନ୍ଧୀ ଦର୍ଶନରେ ଅଟଳ ଆଦର୍ଶ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ଜନନୀ, ଜନ୍ମଭୂମି ପରେ ଶିକ୍ଷାଗୁରୁ ଭାବେ ସ୍ୱର୍ଗତ ନାୟକ ଶିକ୍ଷକ ଥିବାବେଳେ ଯେଉଁ ଶ୍ରଦ୍ଧା ଓ ଆଶୀର୍ବାଦ ଦେଇଥିଲେ ତାହା ଫଳରେ ଜୀବନରେ ସଫଳତା ହାସଲ କରିପାରିଛନ୍ତି। ସ୍ୱଗର୍ତ ନାୟକ ତାଙ୍କ ପାଇଁ ଅତୁଳନୀୟ ଆଦର୍ଶର ପ୍ରଭା ପୁରୁଷ ବୋଲି ସେ କହିଥିଲେ। ସ୍ୱାଧୀନତା ସଂଗ୍ରାମୀ କୃଷ୍ଣା ମହାନ୍ତି ଅତିଥି ଭାବେ ଯୋଗଦେଇ ରାଜକିଶୋର ନାୟକଙ୍କ କର୍ମମୟ ଜୀବନ ସମ୍ବନ୍ଧରେ ଆଲୋକପାତ କରିଥିଲେ। ‘ସାୟାହ୍ନର ସ୍ମୃତି’ ସମ୍ବନ୍ଧରେ ଆଲୋକପାତ କରି ଲେଖିକା ନିର୍ମଳପ୍ରଭା ନାୟକ ସ୍ୱାମୀ ରାଜକିଶୋରଙ୍କ ଆଦର୍ଶ ଓ ବ୍ୟକ୍ତିତ୍ୱର ପ୍ରଶଂସା କରିଥିଲେ। ପୁସ୍ତକର ଇଂରାଜୀ ଅନୁବାଦକ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଭାରତୀୟ ସଂସ୍କୃତି ଓ ଏହାର ଇତିହାସ ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧୀଙ୍କ ବିଶେଷତ୍ୱ ସମ୍ବନ୍ଧରେ ଆଲୋକପାତ କରିଥିଲେ।
ଔପନ୍ୟାସିକ ବିଭୂତି ପଟ୍ଟନାୟକ ଭିତ୍ତିଭାଷଣ ଦେଇ ଫାଉଣ୍ଡେସନର ଆଭିମୁଖ୍ୟ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ। ରାଜକିଶୋର ନାୟକ କେବଳ ପାଟକୁରା ନୁହେଁ ସାରା ଓଡ଼ିଶାର ଗାନ୍ଧୀ ବିଚାରଧାରର ସେ ଜଣେ ପ୍ରମୁଖ ପୁରୋଧା ଥିଲେ ବୋଲି କହିଥିଲେ। ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଜୀବନଚର୍ଯ୍ୟା ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ। ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନର ସଭାପତି ପ୍ରହଲ୍ଲାଦ ସିଂହ ସଭାପତିତ୍ୱ କରି ଗାନ୍ଧୀଙ୍କ ପରେ ଭାରତ ବର୍ଷର ଦୟନୀୟ ସ୍ଥିତି ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ଟ୍ରଷ୍ଟି ନିରଞ୍ଜନ ପଣ୍ଡା ଧନ୍ୟବାଦ ଦେଇଥିବାବେଳେ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।

Comments are closed.