କାମ ଦେଉନି ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା, ରେଡ୍ ଜୋନ ଜିଲାରୁ ଆସି ବେଫିକର ଭାବେ ଗାଁରେ ପଶୁଛନ୍ତି ଲୋକେ

ରାଜକନିକା : ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶକୁ ମଇ ୩ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ କରି ରଖାଯାଇଛି ।  ଏଭଳି ସ୍ଥିତିରେ କରୋନା ମୁକାବିଲା ସହ ରାଜ୍ୟ ଓ ଜିଲା ବାହାରୁ ଆସୁଥିବା ଲୋକମାନଙ୍କୁ ପଞ୍ଜିକରଣ କରି କ୍ବାରେଣ୍ଟାଇନରେ ରଖିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ । ଏହି ସବୁକାର୍ଯ୍ୟକୁ ସୁଚାର ରୂପେ ପାଳନ କରିବା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରପଞ୍ଚ ମାନଙ୍କୁ ନିଜ ପଞ୍ଚାୟତରେ କରୋନାକୁ ପୁରାଇ ନଦେବା ପାଇଁ ଶପଥ ପାଠ ମଧ୍ୟ କରାଇଥିଲେ । କିନ୍ତୁ ଶପଥ ପାଠ ପରେ ଯେପରି ସବୁକିଛି ଭୁଲି ଗଲେ ସରପଞ୍ଚ ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଖୋଲାଖୋଲି ଉଲଘଂନ ମଧ୍ୟ କରିବା ଆରମ୍ଭ କରିଦେଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲା ରାଜକନିକା ବ୍ଲକର କୋଇଲିପୁର ଗ୍ରାମପଞ୍ଚାୟତରେ । କୋଇଲିପୁର ପଞ୍ଚାୟତର ଘରଭଞ୍ଜାକୋହ୍ଲାରେ ୪ ଜଣ ଏବଂ ଗଜରାଜପୁର ଗାଁର ଜଣେ ବ୍ୟକ୍ତି ଗତ ୩ ଦିନ ମଧ୍ୟରେ ଅନ୍ୟ ଜିଲାରୁ ଆସି ବେଫିକର ଭାବେ ଗାଁରେ ରହୁଛନ୍ତି ।

କୋଇଲିପୁର ପଞ୍ଚାୟତର ଏହି ଦୁଇ ଗାଁକୁ ଆସିଥିବା ଏହି ୫ ଜଣଙ୍କ ମଧ୍ୟରୁ ୩ ଜଣ ରାଜ୍ୟରେ ରେଡ୍ ଜୋନରେ ରହିଥିବା ଯାଜପୁର ଜିଲାର ଚଣ୍ଡିଖୋଲ ଅଞ୍ଚଳରୁ ଆସିଥିବା ବେଳେ ଅନ୍ୟ ୨ ଜଣ ଅରେଞ୍ଜ ଜୋନରେ ଥିବା ସୁନ୍ଦରଗଡ ଜିଲାର ରାଉରକେଲାରୁ ଆସିଛନ୍ତି । ଅନ୍ୟ ଜିଲାରୁ ଆସି ମଧ୍ୟ ସେହି ବ୍ୟକ୍ତିମାନେ ପରିବାର ସହ ରହୁଛନ୍ତି । ସେମାନେ ଗାଁକୁ ଆସିବା ପରେ ସ୍ଥାନୀୟ ସରପଞ୍ଚ ସେମାନେ ହୋମ କ୍ବାରେଣ୍ଟାଇନରେ ରହିବେ ବୋଲି କହିଥିଲେ । କିନ୍ତୁ ଗ୍ରାମାଞ୍ଚଳରେ ହୋମ କ୍ବାରେଣ୍ଟାଇନ ସଠିକ ଭାବେ ପାଳନ କରାଯାଏ ନାହିଁ । ଗ୍ରାମାଞ୍ଚଳରେ ହୋମ କ୍ବାରେଣ୍ଟାଇନ କଣ ଲୋକମାନେ ସଠିକ ଭାବେ ଜାଣନ୍ତିନାହିଁ । ସୋମନଙ୍କ ପାଇଁ ବହାରୁ ଆସିଥିବା ଲୋକ ଘରୁବାହାରକୁ ନ ବାହାରିବ ହିଁ ହୋମ କ୍ବାରେଣ୍ଟାଇନ । କିନ୍ତୁ ଘର ଭିତରେହୋମ କ୍ବାରେଣ୍ଟାଇନରେ  ଗୋଟେ କୋଠରିରେ ରହୁଥିବା ଲୋକ ପରିବାର ସହ ମିଶୁଛନ୍ତି । ଶୌଚ ପାଇଁ ମଧ୍ୟ ବାହାରକୁ ଯାଉଛନ୍ତି । ସବୁଠୁ ବଡ କଥାହେଲା ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଲୋକ ସମସ୍ତଙ୍କ ସହ ମିଶୁଥିବା ବେଳେ ଗ୍ରାମରେ ସର୍ମସାଧାରଣଙ୍କ ପାଇଁ ଉଦିଷ୍ଟ ନଳକୂଳ ଆଦିର ବ୍ୟବହାର ମଧ୍ୟ କରୁଛନ୍ତି । ଏପରି ପରିସ୍ଥିତିରେ ଏମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ କହି ସ୍ଥାନୀୟ ସରପଞ୍ଚ ତାଙ୍କ କାମ ସାରିଦେଉଛନ୍ତି । 

କୋଇଲିପୁର ପଞ୍ଚାୟତର ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପିଠରେ ଅସ୍ଥାୟୀ ଆଇସୋଲେସନ ୱାଡ୍ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସେଠାରେ ତାଲା ଝୁଲୁଛି । ସେହି ସ୍ଥାନରେ ଅନ୍ୟ ଜିଲାରୁ ଫେରିଥିବା ଏହି ବ୍ୟକ୍ତିମାନଙ୍କୁ ରଖିବା ପାଇଁ ଆମ ପ୍ରତିନିଧି ସ୍ଥାନୀୟ ସରପଞ୍ଚଙ୍କୁ କହିଥିଲେ କିନ୍ତୁ ସରପଞ୍ଚଙ୍କ କହିଥିଲେ ତିଆରି ହୋଇଥିବା ଅସ୍ଥାୟୀ ଆଇସୋଲେସନ ୱାଡ୍ ମଇ ୩ ଲକ୍ ଡାଉନ ପରେ ଖୋଲିବ। ଲକ୍ ଡାଉନ ପରେ ଯେଉଁମାନେ ଅନ୍ୟ ରାଜ୍ୟରୁ ଫେରିବେ ସେମାନେ ସେଠାରେ ରହିବେ ଏବଂ ଏହା ତାଙ୍କୁ ରାଜକନିକା ବ୍ଲକ ଉନ୍ନୟନ ଅଧିକାରୀ କହିଛନ୍ତି ମଧ୍ୟ ସେ ପ୍ରକାଶ କରିଥିଲେ । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି ବର୍ତ୍ତମାନ ରେଡ୍ ଜୋନ ପରିସର ଭୁକ୍ତ ଜିଲାରୁ ଆସିଥିବା ଲୋକଙ୍କୁ ପରିବାର ସହ ଗାଁରେ ରଖିବା ପାଇଁ ଛାଡିଦେଇ ପ୍ରଶାସନ ମଇ ୩ ଲକ୍ ଡାଉନ ସରିବା ପରେ ଯେଉଁମାନେ ଆସିବେ ସେମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିବା କେତେଦୂର ଯୁକ୍ତିଯୁକ୍ତ ଅଟେ ।

କୋଇଲିପୁର ପଞ୍ଚାୟତର ନରେନ୍ଦ୍ର ଗୁଞ୍ଜରୀ ବିଦ୍ୟାପିଠରେ ଅସ୍ଥାୟୀ ଇସୋଲେସନ ୱାଡ୍ ବର୍ତ୍ତମାନ ପରିସ୍ଥିତିରେ ନ ଖୋଲି ବନ୍ଦ କରିବା ବାବଦରେ ଆମ ପ୍ରତିନିଧି ରାଜକନିକା ବ୍ଲକ ଉନ୍ନୟନ ଅଧିକାରୀଙ୍କ ଫୋନ ଯୋଗେ ପଚାରିବାକୁ ସେ କହିଥିଲେ ଅସ୍ଥାୟୀ ଆଇସୋଲେସନ ପାଇଁ ଆମ ପାଖରେ ଷ୍ଟାଫ ନାହାନ୍ତି । ସେଠାରେ ଜଣେ ସିକ୍ୟୁରିଟ୍ ଗାର୍ଡ ସହ ଆଇସୋଲେସନରେ ରହୁଥିବା ଲୋକଙ୍କ ଦେଖାଶୁଣା କରିବା ପାଇଁ ଦୁଇ ଜଣ ଷ୍ଟାଫ ଆବଶ୍ୟକ । ଏଣୁ ଆାମେ ବର୍ତ୍ତମାନ ଫେରୁଥିବା ଲୋକଙ୍କୁ ଘରେ ହୋମ କ୍ବାରେଣ୍ଟାଇନରେ ରହିବାକୁ କହୁଛୁ । ମଇ ୩ ପରେ ଆାମେ ଅସ୍ଥାୟୀ ଆଇସୋଲେସନ ୱାର୍ଡ ଖୋଲିବୁ ବୋଲି ବିଡିଓ କହିଥିଲେ । ଏହି ସମୟରେ ଆମ ପ୍ରତିନିଧି କୋଇଲିପୁର ପଞ୍ଚାୟତ ଘରଭଞ୍ଜା କୋହ୍ଲା ଏବଂ ଗଜରାଜପୁର ଗ୍ରାମକୁ ଅନ୍ୟ ଜିଲାରୁ ଫେରିଥିବା ବ୍ୟକ୍ତିଙ୍କ କଥା ପଚାରିଥିଲେ । କିନ୍ତୁ ସ୍ଥାନୀୟ ସରପଞ୍ଚ ଏନେଇ ତାଙ୍କୁ କିଛି ସୂଚନା ଦେଇନଥିବା ରାଜକନିକା ବିଡିଓ କହିଥିଲେ । 

 

Comments are closed.