‘ଦୂର ତାଳବଣ ଆକାଶେ ଶୁଣାଏ…’, କେବେ ଫେରିବ ସେହି ଅଭୁଲା ସୁନ୍ଦର ପରିବେଶ

ରାଜକନିକା : ଏହି ରାସ୍ତାରେ ଗଲେ ମନେପଡ଼େ କବି ବିନୋଦ ଚନ୍ଦ୍ର ନାୟକଙ୍କ ଅନନ୍ୟ ସ୍ମରଣୀୟ କବିତା ‘ଗ୍ରାମପଥ’ କବିତାର କେଇପଦ ଧାଡ଼ି- ‘ଦୂର ତାଳବଣ ଆକାଶେ ଶୁଣାଏ, ମାଟିର କବିତା କିସେ ଏହି ଗ୍ରାମପଥ ତହିଁ ଦିଗନ୍ତେ ଦିଶେ। କ୍ଷେତ ପରେ କ୍ଷେତ, କାଶଫୁଲ ଆଉ-ବେଣାରେ ଜଟିଳାପାଟ, ପାଟ ପରେ ବଣ ବଣ ପାରିହେଲେ ମାମୁଘର ଗାଁ ଦିଶେ।’ ହେଲେ ଏହି ରାସ୍ତାର ଧାଡ଼ି ଧାଡ଼ି ନଡ଼ିଆ ଆଉ ତାଳବଣ ପାରି ହେଲେ ନିଶ୍ଚୟ କନିକାରେ ଅନେକଙ୍କ ମାମୁଘର ଗାଁ ଦିଶିବ। ଏହା ସହିତ ରାଜକନିକାର ଅନେକ ଗାଁଗଣ୍ଡା ଦିଶେ। ଦୁଇ ପାଖରେ ଧାଡ଼ିଧାଡ଼ି ନଡ଼ିଆ ଗଛ ସେମିତି ଆକାଶକୁ ଚାହିଁ ନିଜ ନିଜ ବାହୁଙ୍ଗା ହଲାଇ କନିକା ଆସୁଥିବା ଆଗନ୍ତୁକଙ୍କୁ ସ୍ୱାଗତ ଜଣାଉଥିଲେ। ଶହେ ବର୍ଷ ତଳେ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେବଙ୍କ ଦ୍ୱାରା କନିକାର ପ୍ରବେଶ ପଥ ଚାନ୍ଦବାଲି ପର୍ଯ୍ୟନ୍ତ ୪ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଇଥିଲେ। ଗୋଟିଏ ଗୋଟିଏ ଇଟାଖଞ୍ଜା ଯାଇ ଏହି ରାସ୍ତା ତିଆରି କରାଯାଇଥିଲା। ଚାନ୍ଦବାଲି ବନ୍ଦର ଥିଲା ଓଡ଼ିଶାର ପ୍ରଥମ ନଦୀ ବନ୍ଦର। ସେତେ ବେଳେ ବିଦେଶକୁ ଗଲେ ଚାନ୍ଦବାଲି ବନ୍ଦର ଦେଇ ଷ୍ଟିମର ଲଞ୍ଚରେ କଲକାତା ଆଉ ସେଠାରୁ ବିଦେଶ ଏମିତିକି ଲଣ୍ଡନ ଯାତାୟତ ହେଉଥିଲା। କନିକା ରାଜା ନିଜ ରାଜପ୍ରାସାଦରୁ ନଦୀଘାଟ ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ କରାଇ ଦୁଇ ପାଖରେ ନଡ଼ିଆ ଆଉ ତଳ ଗଛ ଲଗାଇ ପରିବେଶକୁ ଖୁବ୍‍ ମନୋରମ କରିଥିଲେ। ଇଂଲଣ୍ଡର ବଡ଼ଲାଟ୍‍ଙ୍କଠାରୁ ଦେଶ ବିଦେଶର ବହୁ ଅତିଥିମାନେ କନିକାକୁ ଏହି ରାସ୍ତା ଦେଇ ଆସିଥିବାର ଇତିହାସ କହେ। ମହାନ ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କ ଧର୍ମପତ୍ନୀ ମା’ ସାରଦାଦେବୀ ମଧ୍ୟ ଏହି ରାସ୍ତା ଦେଇ ଶଗଡ଼ଗାଡ଼ିରେ ବସି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ନିମେନ୍ତ ପୁରୀ ଯାଇଥିଲେ। ଏହି କାରଣରୁ ଏହି ରାସ୍ତାକୁ ଜଗନ୍ନାଥ ସଡ଼କ ଭାବେ ଲୋକେ କହନ୍ତି। ଏହା ସହିତ ମଧୁବାବୁ, କନିକାରାଜା ରାଜେନ୍ଦ୍ର ନାରାୟଣ ଏବଂ ମଧୁବାବୁଙ୍କ ଅଳିଅଳି ଝିଅ ଶୈଳବାଳା ଅନେକ ଥର ଏହି ରାସ୍ତାଦେଇ ଇଂଲଣ୍ଡ ଯାଇଥିବାର ସ୍ମୃତିବହନ କରେ।

ଶହେ ବର୍ଷ ପରେ ଏହି ରାସ୍ତା ପୂର୍ବଭଳି ତାର ଚମକ ହରାଇନଥିଲା। ହେଲେ କଟକ-ଚାନ୍ଦବାଲି ରାସ୍ତା ନିର୍ମାଣ ପାଇଁ ୨୦୧୬ ମସିହାରେ କନିକାର ଐତିହ୍ୟ ଓ ପରମ୍ପରାର ସ୍ମୃତି ବହନ କରୁଥିବା ୬୪୮ଟି ଗଛକୁ ବନ ବିଭାଗ ପକ୍ଷରୁ କାଟି ଦିଆଯାଇଛି। ଏହି ଗଛକୁ ନ କାଟିବା ପାଇଁ କନିକାର ଗଛ ଆଉ ପରିବେଶ ପ୍ରେମୀମାନେ ତୀବ୍ର ଆନ୍ଦୋଳନ ସହିତ ଅନଶନ ବି କରିଥିଲେ। ରାସ୍ତାରେ ଗଛ ନ କାଟି ବିକଳ୍ପ ରାସ୍ତା ପାଇଁ ମଧ୍ୟ ଅଡ଼ିବସିଥିଲେ। ହେଲେ ସେସବୁ କିଛି ବି ଫଳପ୍ରଦ ହୋଇନଥିଲା। ଶେଷରେ ରାସ୍ତା ପାଇଁ ବଳିପଡ଼ିଲା ଶହେ ବର୍ଷର ଇତିହାସ। ସେଦିନ କନିକାର ପରିବେଶବିତ୍‍ଙ୍କୁ କୁହାଯାଇଥିଲା ଗଛ ବଦଳରେ ପୁଣି ଗଛ ଲାଗିବ। ହେଲେ ସେଦିନ କଥା ଆଜି କେବଳ ପ୍ରହସନରେ ପରିଣତ କରିଛି। ସେହି ସ୍ମୃତିର ରାସ୍ତାରେ ଏବେ ଖାଁ ଖାଁ ପରିବେଶ। ହଜିଯାଇଛି ଇତିହାସର ସେହି ତାଳବଣ ରାସ୍ତା। ତାଳ ଆଉ ନଡ଼ିଆ ଗଛକୁ କନିକା ରାଜା ରାସ୍ତା କଡ଼ରେ ଲଗାଇବାରେ ରହିଥିଲା ଗୋଟେ ଭିନ୍ନ କାରଣ। ପରିବେଶ ସାଙ୍ଗକୁ ବଜ୍ରପାତ ଭୟ ନ ଥିଲା ଏହି ରାସ୍ତାରେ। କାରଣ ବଜ୍ରପାତ ହେଲେ ପ୍ରଥମେ ଗଛ ପରେ ହିଁ ପଡ଼ୁଥିଲା। କନିକା ରାଜା ଦୂରଦୃଷ୍ଟି ସମ୍ପନ ରହିଥିଲେ। ହେଲେ ସେ ସମୟର ବୈଜ୍ଞାନିକ କାରଣ ପ୍ରତି ଏବେ ହେୟ ଜ୍ଞାନ। ଏଥିପ୍ରତି କେହିବି ନଜର ଦେଉନଥିବାରୁ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି।

କୋଟି କୋଟି ଟଙ୍କା ଖର୍ଚ୍ଚ ଚାଲିଛି ହେଲେ ଏଭଳି ଗୋଟିଏ ନଡ଼ିଆ କି ତାଳ ଗଛ ଆଜି ପର୍ଯ୍ୟନ୍ତ ବନ ବିଭାଗ କି ରାଜ୍ୟ ସରକାର ରାସ୍ତା କଡ଼ରେ ଠିଆ କରାଇବାରେ ସଫଳ ହୋଇପାରି ନାହାନ୍ତି କି ଆଗକୁ ସଫଳ ହେବେ ବୋଲି ମଧ୍ୟ ଆଶା କରାଯାଇ ନ ପାରେ। ଏହି କାରଣକୁ ନେଇ ତରାସ ଗ୍ରାମର ନେତାଜୀ କ୍ଲବ୍‍ର ଦେବଜ୍ୟୋତି ଜେନା ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଐତିହ୍ୟପୂର୍ଣ୍ଣ ରାସ୍ତାକୁ ନଷ୍ଟ କରିବାରେ ସରକାର ଯେତେ ତତ୍ପର ସେହିଭଳି ରାସ୍ତା କାହିଁକି କରିପାରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିଭଳି କନିକାର ବର୍ତ୍ତମାନ ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଏହି ରାସ୍ତା ସଂପର୍କରେ କହିଛନ୍ତି ଯେ, ଆମ ପୂର୍ବଜଙ୍କ ଏହି ରାସ୍ତା ଅନେକ ସ୍ମୃତି ବହନ କରେ। ଓଡ଼ିଶାରେ ଏହି ରାସ୍ତା ଆଉ କେଉଁଠି ଦେଖିବାକୁ ମିଳୁନଥିଲା। କେବଳ କନିକାରେ ଏକ ସ୍ୱତନ୍ତ୍ର ଭାବେ ଜଗନ୍ନାଥ ସଡ଼କ ପରିଚିତ ରହିଥିଲା। ହେଲେ ଆଜି ତାହା ଇତିହାସ ପାଲଟି ଯାଇଛି। ଏହି ରାସ୍ତାରେ ସରକାର ଦୁଇ କଡ଼ରେ ନଡ଼ିଆ ଆଉ ତାଳ ଗଛ ଲଗାଇ ସ୍ମୃତିକୁ ଫେରାଇ ଆଣିବାକୁ ସେ ଦାବି କରିଛନ୍ତି। ଏସବୁ ଭିତରେ ରାଜକନିକା ଅଞ୍ଚଳବାସୀ ‘ତାଳତମାଳ ନାରିକେଳ ବନବିଥିକା ନାନା ଦ୍ରୁମଲତାଘେରା ପ୍ରକୃତିର ଚିର ହାସ୍ୟମୟୀ ଚିର ଲସ୍ୟମୟୀ ରାଜକନିକା’କୁ ଫେରିପାଇବାକୁ ଚାହିଁ ରହିଛନ୍ତି।

Comments are closed.