ରାଜନୀତିରେ ପ୍ରବେଶ ନେଇ ଖୁବ୍‌ ଶୀଘ୍ର ଘୋଷଣା କରିବେ ତାମିଲ୍‌ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନଇ : ରାଜନୀତିରେ ପ୍ରବେଶ ନେଇ ଖୁବ୍ ଶୀଘ୍ର ଘୋଷଣା କରିବେ ତାମିଲ୍‌ ସୁପରଷ୍ଟାର ରଜନୀକାନ୍ତ। ଆଜି ପାର୍ଟି ନେତାଙ୍କ ସହ ବୈଠକ ପରେ ରଜନୀକାନ୍ତ ଏହି ବୟାନ ଦେଇଛନ୍ତି। ସୋମବାର ନିଜ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମ୍ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ରଜନୀକାନ୍ତ। ବୈଠକରେ ତାମିଲନାଡୁରେ ଆଗାମୀ ୨୦୨୧ ନିର୍ବାଚନରେ ​​ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ କି ନାହିଁ ସେ ନେଇ ସେ ନେତାଙ୍କ ମତାମତ ଲୋଡିଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଚୂଡ଼ାନ୍ତ ନିଷ୍ପତ୍ତି ଅପେକ୍ଷା କରାଯାଇଛି ଏବଂ ରଜନୀକାନ୍ତ ଖୁବ୍‌ ଶିଘ୍ର  ରାଜନୀତିରେ ପ୍ରବେଶ ନେଇ ଘୋଷଣା କରିବେ ବୋଲି ଆଶା କରାଯାଉଛି।
ଆଜି ବୈଠକରେ ରଜନୀକାନ୍ତ ନିଜ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମର ଜିଲା  ସଚିବଙ୍କ ସମେତ ୫୨ ଜଣ ନେତାଙ୍କ ସହ ନିଜ ବିଚାରର ଆଦାନପ୍ରଦାନ କରିଥିଲେ। ଏହି ବୈଠକରେ ରଜନୀକାନ୍ତ କହିଥିଲେ ଯେ ପାର୍ଟି ନେତା ତାଙ୍କୁ ସହଯୋଗ କରିଥିଲେ ଏବଂ ସେ ଯେ କୌଣସି ନିଷ୍ପତ୍ତି ନେଲେ ସମସ୍ତ ପାର୍ଟି ନେତା ତାଙ୍କର ସମର୍ଥନ କରିବେ। ଏଣୁ ଆଗକୁ ରାଜନୀତିରେ ପ୍ରବେଶ ନେଇ ସେ ଖୁବ୍‌ ଶିଘ୍ର ଘୋଷଣା କରିବେ ବୋଲି ଗଣମାଧ୍ୟମକୁ କହିଥିଲେ।

ତାମିଲନାଡ଼ୁରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ସେଠାକାର ରାଜନୀତିରେ ନିର୍ବାଚନକୁ ନେଇ ସବୁ ଦଳରେ ସକ୍ରିୟତା​‌ ବଢ଼ିଯାଇଛି। ଏପରି କ୍ଷେତ୍ରରେ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଛି କି ଯେ ରଜନୀକାନ୍ତ ନିର୍ବାଚନୀ ଯୁଦ୍ଧରେ ମୈଦାନକୁ ଆସିବେ କି ନାହିଁ? ଆସନ୍ତା ବର୍ଷ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବ। ଏପରି ପରିସ୍ଥିତିରେ ରଜନୀକାନ୍ତଙ୍କ ରାଜନୀତିରେ ଏଣ୍ଟ୍ରିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଦୁଇ ବର୍ଷରୁ ରାଜନୀତିରେ ରଜନୀକାନ୍ତ ସକ୍ରିୟ ରହିଥିଲେ ମଧ୍ୟ ଆଧିକାରିକ ଭାବେ ସେ ଏବେ ସୁଦ୍ଧା ରାଜନୀତିରେ ଏଣ୍ଟ୍ରି ନେଇ ନାହାନ୍ତି।

ଏହାରି ମଧ୍ୟରେ ତାମିଲନାଡୁର ଅନେକ ନେତା ମତ ଦେଇଛନ୍ତି ଯେ ରଜନୀକାନ୍ତ ତାଙ୍କ ରାଜନୀତିରେ ପ୍ରବେଶ ନେଇ ଖୁବ୍‌ ଶିଘ୍ର ଆନୁଷ୍ଠାନିକ ଭାବେ ଘୋଷଣା କରିବା ଉଚିତ୍।  ଅନ୍ୟମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ମହାମାରୀ ହେତୁ ସେ ରାଜନୀତିରେ ପ୍ରବେଶ ଘୋଷଣାକୁ ବିଳମ୍ବ କରିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ୨୦୧୬ରେ ରଜନୀକାନ୍ତଙ୍କର କିଡନୀ ପ୍ରତିରୋପଣ କରାଯାଇ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ରାଜନୀତିରେ ପ୍ରବେଶ ନକରିବାକୁ ତାଙ୍କ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ତେବେ ୨୦୨୧ ଏପ୍ରିଲ -ମେ ମାସରେ ତାମିଲନାଡୁ ବିଧାନସଭା ନିର୍ବାଚନ ରହିଥିବାରୁ ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବେ କି ନାହିଁ ସେନେଇ ଖୁବ୍‌ ଶିଘ୍ର ଘୋଷଣା କରିବେ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ ଅତୀତରେ ତାମିଲନାଡୁରେ ତିନିଜଣ କଳାକାର ମୁଖ୍ୟମନ୍ତ୍ରୀ ପଦବୀକୁ ଉଠିଥିବାର ଦେଖାଯାଇଛି। ରଜନୀକାନ୍ତଙ୍କ ନିଷ୍ପତ୍ତି ଦଶନ୍ଧି ଧରି କଳ୍ପନା ଜଳ୍ପନାର ବିଷୟ ହୋଇ ରହିଛି। ରାଜ୍ୟର ଦୁଇ ଶକ୍ତିଶାଳୀ ରାଜନେତା  AIADMK ର  ଜୟଲଳିତା ଏବଂ ଡିଏମକେର ଏମ.କେ କରୁଣାନିଧିଙ୍କ ଦେହାନ୍ତ ପରେ ରାଜ୍ୟରେ ଏକ ରାଜ​‌ନୈତିକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ୨୦୧୯ରେ ଉଭୟ ରଜନୀକାନ୍ତ ଏବଂ ଅନ୍ୟ ଜଣେ ସୁପରଷ୍ଟାର-ରାଜନେତା କମଲ ହାସନ  ଆବଶ୍ୟକ ସ୍ଥଳେ ରାଜ୍ୟ କଲ୍ୟାଣ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

Comments are closed.