ପ୍ରଦର୍ଶନରେ ସନ୍ତୁଷ୍ଟ ନୁହେଁ; ଅଭିଜ୍ଞତା ଉତ୍ସାହିତ କରିବ: ରାଜେଶ

0

ଭୁବନେଶ୍ୱର : ୧୯ ବର୍ଷରୁ କମ୍‍ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଓଡ଼ିଆ ପେସ୍‍ ବୋଲର ରାଜେଶ ମହାନ୍ତି ସୋମବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଙ୍ଗଳବାର ବିମାନ ବନ୍ଦରରେ ରାଜେଶଙ୍କୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା।
ରଞ୍ଜୀବ ବିଶ୍ୱାଳଙ୍କ ପରେ ୨ୟ ଓଡ଼ିଆ ଖେଳାଳି ଭାବେ ୧୯ ବର୍ଷରୁ କମ୍‍ ଏସିଆ କପ୍‍ ଚମ୍ପିଆନ ଦଳର ସଦସ୍ୟ ଥିବା ରାଜେଶ କୁହନ୍ତି, ଭାରତ ଏସିଆ କପ୍‍ ୬ଷ୍ଠ ଥର ଲାଗି ଚମ୍ପିଆନ ହେବା ଏବଂ ମୁଁ ଏହି ଦଳର ସଦସ୍ୟ ରହିବା ନେଇ ବହୁତ ଆନନ୍ଦିତ। ଏସିଆ କପ୍‍ରେ ବ୍ୟକ୍ତିଗତ ଭାବେ ପ୍ରଦର୍ଶନ ନେଇ ସନ୍ତୁଷ୍ଟ ନୁହେଁ। ଆଶା ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ପ୍ରଥମ ଅର୍ନ୍ତଜାତୀୟ ସିରିଜ୍‍ରେ ବ୍ୟକ୍ତିଗତ ଭାବେ ବହୁତ କିଛି ଶିକ୍ଷା ମିଳିଛି। ଦଳର ପ୍ରଶିକ୍ଷକ ଡବ୍ଲ୍ୟୁ.ଭି. ରମଣ ଖେଳାଳିଙ୍କ ତ୍ରୁଟିକୁ ସୁଧାରିବା ଉପରେ ସବୁବେଳେ ଗୁରୁତ୍ୱ ଦେଉଥିଲେ। ଦଳର ପ୍ରତିଟି ଖେଲାଳିଙ୍କ ସହିତ ଉତ୍ତମ ବୁଝାମଣା ରକ୍ଷାକରି ପଡ଼ିଆରେ ଖେଳିବା ନେଇ ପରାମର୍ଶ ଦେଇଥାନ୍ତି ବୋଲି ରାଜେଶ କହିଛନ୍ତିି। ପେସ୍‍ ବୋଲରଙ୍କ ପାଇଁ ଫିଟ୍‍ନେସ ସବୁବେଳେ ଗୁରୁତ୍ୱପୂର୍ଣ୍ଣ। ପଡ଼ିଆରେ ପ୍ରଶିକ୍ଷଣ ବେଳେ ଫିଟ୍‍ନେସ ନେଇ ସର୍ବାଧିକ ସମୟ ଦେଇଥାଏ। ଦଳର ଫିଜିଓ ମଧ୍ୟ ଫିଟ୍‍ନେସ ଉପରେ ଗୁରୁତ୍ୱ ଦେଇଥା’ନ୍ତି। ପ୍ରଥମ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଖେଳିବା ଏବଂ ଏଥିରେ ଦଳ ଚମ୍ପିଆନ ହେବା ପରେ ମନୋବଳ ବୃଦ୍ଧିପାଇବା ସହିତ ମୋତେ ଉତ୍ସାହିତ ରହିଛି। କ୍ରିକେଟ ଜୀବନରେ ଆଗକୁ ବଢିବା ନେଇ ବହୁତ ଶିଖିବାକୁ ବାକିରହିଛି। ଓଡ଼ିଶା ରଣଜୀ ଦଳରେ ଖେଳିବା ନେଇ ଏବେ ପ୍ରଥମ ଲକ୍ଷ୍ୟରହିଛି। ଏଥିପାଇଁ ସବୁ ପ୍ରକାର ଉଦ୍ୟମ କରି ଭଲ ପ୍ରଦର୍ଶନ କରିବା ସହ ବିସିସିଆଇ ଘରୋଇ କ୍ରିକେଟ ଉପରେ ଗୁରୁତ୍ୱ ଦେବି ବୋଲି ରାଜେଶ କହିଛନ୍ତି। ସୂଚନାଯୋଗ୍ୟ, ଢାକାରେ ଖେଳା ଯାଇଥିବା ୭ମ ଏସିଆ କପରେ ଭାରତ ରେକର୍ଡ ୬ଷ୍ଠ ଥର ପାଇଁ ଚମ୍ପିଆନ ହୋଇଛି। ଭାରତୀୟ ଦଳରେ ସ୍ଥାନ ପାଇଥିବା ରାଜେଶ ୩ଟି ମ୍ୟାଚ ଖେଳି ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଥିଲେ।

Leave A Reply