ତପସ୍ୱିନୀ ଏକ୍ସପ୍ରେସରେ ରାଜଧାନୀ କୋଚର ଶୁଭାରମ୍ଭ

ରେଳ ଯାତ୍ରୀ ପାଇଲେ ଆରାମଦାୟକ ଯାତ୍ରା ଅଭିଜ୍ଞତା

ଭୁବନେଶ୍ବର : ଯାତ୍ରୀଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳବାଇ ପକ୍ଷରୁ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ ବର୍ତ୍ତମାନ ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତ ମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ କୋଚ ଚଳାଚଳ କରିବ। ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷାକୁ ବୃଦ୍ଧି କରାଇବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
କେନ୍ଦ୍ର ରେଳ, ସଞ୍ଚାର ଏବଂ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ବର ରେଳ ରହଣିସ୍ଥଳ (ଷ୍ଟେସନ)ରେ ଆଜି ସନ୍ଧ୍ୟାରେ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ରାଜଧାନୀ କୋଚ ଚଳାଚଳକୁ ଶୁଭାରମ୍ଭ କରିଛନ୍ତି। ଶିକ୍ଷା ଓ ଦକ୍ଷତା ବିକାଶ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଉତ୍ସବରେ ଆଭାସି ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ। ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଓଡ଼ିଶାରେ ରେଳ ପ୍ରକଳ୍ପ ସମ୍ପାଦନ ପାଇଁ ପାଣ୍ଠିର ଅଭାବ ନାହିଁ। କୌଣସି ପ୍ରକଳ୍ପ ପାଣ୍ଠିର ପ୍ରତିବନ୍ଧକ ପାଇଁ ବିଳମ୍ବ ହେବ ନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦ୍ୱାରା ଚାଲୁ ରହିଥିବା ପ୍ରକଳ୍ପ ଶୀଘ୍ର ଶେଷ ହେବ। ସେ ମଧ୍ୟ ଖୋର୍ଦ୍ଧା ରୋଡ-ବାଲାଙ୍ଗିର ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ଆଲୋକପାତ କରିଥିଲେ।
ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ରେଳ ରହଣିସ୍ଥଳରେ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିବାବେଳେ ପୁରୀ, କଟକ, ଢେଙ୍କାନାଳ, ଅନୁଗୋଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଏବଂ ହାତୀଆଠାରେ ଜନପ୍ରତିନିଧି ଆଭାସି ମାଧ୍ୟମରେ ସାମିଲ ହୋଇଥିଲେ। ଏହି ଉତ୍ସବରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ପ୍ରାରମ୍ଭିକ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.