ପ୍ରଣବଙ୍କ ଛଅ ଦଶନ୍ଧିର ରାଜନୈତିକ ଯାତ୍ରା: ବିଚକ୍ଷଣ ରାଜ୍ୟସଭା ସାଂସଦରୁ ଦେଶର ରାଷ୍ଟ୍ରପତି

ପ୍ରଣବ ମୁଖାର୍ଜୀ ଥିଲେ ଜଣେ ବିଚକ୍ଷଣ ରାଜନେତା ।  ପ୍ରଣବ ମୁଖାର୍ଜୀଙ୍କ ରାଜନୈତିକ ଜୀବନ  ୧୯୬୯ ମସିହାରେ ଆରମ୍ଭ ହୋଇଥିଲା ।   ଭାରତର ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ପ୍ରତିଭାକୁ ସ୍ୱୀକୃତି ଦେଇ ତାଙ୍କୁ ଦଳ​‌ରେ ଗ୍ରହଣ କରିିଥିଲେ ଏବଂ  ସେ ଜୁଲାଇ ୧୯୬୯ ରେ ରାଜ୍ୟସଭା (ଭାରତୀୟ ସଂସଦର ଉପର ଗୃହ) ର ସଦସ୍ୟ ହୋଇଥିଲେ। ମୁଖାର୍ଜୀ ୧୯୭୫, ୧୯୮୧, ୧୯୯୩ ଏବଂ ୧୯୯୯ ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ଗାନ୍ଧୀ ପରିବାରର ଜଣେ ବିଶ୍ଵାସୀ ଓ ବିଶ୍ଵସ୍ତ କୁହାଯାଉଥିବା ପ୍ରଣବଙ୍କୁ ଜାତୀୟ ରାଜନୀତିରେ ବେଶ୍ ଗୁରୁତ୍ଵ ଦିଆଯାଇଛି ।  ସେ ୧୯୭୩ ମସିହାରେ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ଶିଳ୍ପ ବିକାଶ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ। ୧୯୭୫–୭୭ ର ବିବାଦୀୟ ଆଭ୍ୟନ୍ତରୀଣ ଜରୁରୀକାଳୀନ ପରିସ୍ଥିତିରେ ମୁଖାର୍ଜୀ ଭାରତୀୟ କ୍ୟାବିନେଟରେ ସକ୍ରିୟ ଥିଲେ। ୧୯୭୭ ସାଧାରଣ ନିର୍ବାଚନରେ ​​କଂଗ୍ରେସର ପରାଜୟ ପରେ ନବ ଗଠିତ ଜନତା ସରକାରଙ୍କ ଦ୍ୱାରା ନିଯୁକ୍ତ ଶାହା କମିଶନ ଜରୁରୀକାଳୀନ ପରିସ୍ଥିତିରେ ମୁଖାର୍ଜୀଙ୍କ ଭୂମିକା ନିମନ୍ତେ ଦୋଷୀ ସାବ୍ୟସ୍ତ କରିଥିଲା । ମାତ୍ର ପରବର୍ତୀ ସମୟରେ ସେ ଏଥିରୁ ମୁକ୍ତ ହୋଇଥିଲେ।  ​ସେ ଅର୍ଥମନ୍ତ୍ରୀ ଥିବାବେଳେ ମନମୋହନ ସିଂହଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ନିଯୁକ୍ତି ଚିଠିରେ ଦସ୍ତଖତ କରିଥିଲେ ।

୧୯୭୯ ରେ ମୁଖାର୍ଜୀ ରାଜ୍ୟସଭାରେ ତାଙ୍କ ଦଳର ଉପନେତା ଓ ୧୯୮୦ ମସିହାରେ ରାଜ୍ୟସଭାରେ କଂଗ୍ରେସର ନେତା ଭାବରେ ନିଯୁକ୍ତ ହୋଇଥିଲେ । ତାଙ୍କୁ କ୍ୟାବିନେଟରେ ବରିଷ୍ଠ ମନ୍ତ୍ରୀ ଭାବରେ ନିଯୁକ୍ତି ଦିଆଯାଇଥିଲା  ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁପସ୍ଥିତି​‌ରେ ସେ ଅଧିକାଂଶ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଥିବା ଦୃଷ୍ଟାନ୍ତ ରହିଛି ।

ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ପ୍ରଣବ ମୁଖାର୍ଜୀଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ନିମନ୍ତେ କିଛି ସମୟ ଚର୍ଚାରେ ରହିଥିଲା । ମାତ୍ର ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ରାଜୀବ ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଣବ ମୁଖାର୍ଜୀ କ୍ୟାବିନେଟ ପଦ ମିଳିଲା ନାହିଁ ବରଂ ତାଙ୍କୁ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟି ପରିଚାଳନା ପାଇଁ ପଠାଗଲା। ସେ ଇନ୍ଦିରାଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ବିବେଚିତ ହୋଇଥିଲେ ଏବଂ ରାଜୀବ ଗାନ୍ଧୀଙ୍କ ବିରୁଦ୍ଧରେ ନିଜକୁ ସାମିଲ କରିଥିବା ଅଭିଯୋଗରେ ମୁଖାର୍ଜୀଙ୍କୁ ପୃଥକ କରାଯାଇଥିଲା ଏବଂ ଶେଷରେ ମୁଖ୍ୟ ସ୍ରୋତରୁ ବିତାଡିତ କରାଯାଇଥିଲା।

୧୯୮୬​‌ରେ ପ୍ରଣବ ମୁଖାର୍ଜୀ ପଶ୍ଚିମବଙ୍ଗରେ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ (ଆରଏସସି) ଅନ୍ୟ ଏକ ଦଳ ପ୍ରତିଷ୍ଠା କରିଥିଲେ। ମାତ୍ର  ତିନି ବର୍ଷ ପରେ ରାଜୀବ ଗାନ୍ଧୀଙ୍କ ସହ ଆପୋଷ ବୁଝାମଣା ପରେ ପ୍ରଣବଙ୍କ ଦଳ କଂଗ୍ରେସରେ ବିଲୀନ ହୋଇ ଯାଇଥିଲା ।

୧୯୯୧ ରେ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ମୁଖାର୍ଜୀଙ୍କ ରାଜନୈତିକ କ୍ୟାରିୟର ପୁନର୍ଜୀବିତ ହୋଇଥିଲା ଯେତେବେଳେ ପି ଭି ନରସିଂହ ରାଓ ତାଙ୍କୁ ଭାରତୀୟ ଯୋଜନା ଆୟୋଗ ଉପାଧ୍ୟକ୍ଷ  ଓ ପରବର୍ତ୍ତୀ ସମୟରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବରେ ନିଯୁକ୍ତି ଦେଇଥିଲେ ।  ୧୯୯୫ ରୁ ୧୯୯୬ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ନରସିଂହ  ରାଓଙ୍କ କ୍ୟାବିନେଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଥିଲେ।

ଗାନ୍ଧୀ ପରିବାରର ବିଶ୍ଵସ୍ତ କୁହାଯାଉଥିବା ପ୍ରଣବ ମୁଖାର୍ଜୀଙ୍କୁ ସୋନିଆଙ୍କ ରାଜନୈତିକ ପ୍ରବେଶର ମୁଖ୍ୟ ସୂତ୍ରଧର ବୋଲି ବିବେଚିତ କରାଯାଏ । ସୋନିଆ ଗାନ୍ଧୀ ଦଳର ସଭାପତି ହେବା ପରେ ୧୯୯୮–୯୯ ମସିହାରେ ତାଙ୍କୁ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଥିଲା। ମୁଖାର୍ଜୀଙ୍କୁ ୨୦୦୦ ରେ ପଶ୍ଚିମବଙ୍ଗ କଂଗ୍ରେସର ସଭାପତି କରାଯାଇଥିଲା ଏବଂ ୨୦୧୦ ରେ ଇସ୍ତଫା ଦେବାପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ।

୨୦୦୪ ରେ ମୁଖାର୍ଜୀ ଲୋକସଭାରେ ଗୃହର ନେତା ହୋଇଥିଲେ। ସେ ପଶ୍ଚିମବଙ୍ଗର ଜାଙ୍ଗିପୁରରୁ ଏକ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୨୦୦୪ ମସିହାରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାକୁ ମନା କରିବା ପରେ  ମୁଖାର୍ଜୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ କରାଯିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ପରବର୍ତୀ ସମୟରେ ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତି ଦିଆଯାଇଥିଲା ଓ ପ୍ରଣବ ମୁଖାର୍ଜୀ କ୍ୟାବିନେଟରେ ଦ୍ବିତୀୟ ସ୍ଥାନରେ ରହିଥିଲେ ।

୨୦୦୭ ମସିହାରେ ପ୍ରଣବଙ୍କ ନାମ ରାଷ୍ଟ୍ରପତି ପଦ ନିମନ୍ତେ ଆଲୋଚନା ହୋଇଥିଲା, ମାତ୍ର କ୍ୟାବିନେଟରେ ତାଙ୍କର ଆବଶ୍ୟକତା ଦୃଷ୍ଟିରୁ ଏହାକୁ ଏଡ଼ାଇ ଦିଆଯାଇଥିଲା । ପ୍ରଣବ ମୁଖାର୍ଜୀ ମନମୋହନ ସିଂ ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ପ୍ରତିରକ୍ଷା, ଅର୍ଥ ଏବଂ ବୈଦେଶିକ ବ୍ୟାପାର ସମେତ ବିଭିନ୍ନ ଉଚ୍ଚ ବିଭାଗର ମନ୍ତ୍ରୀ ପଦ ତାଙ୍କୁ ମିଳିଥିଲା।

୨୦୧୨ ରେ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଥିଲେ ।

Comments are closed.