ଆଜି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, କୁଆଡ଼େ ଯିବ ବିଜେଡି!

ନୂଆଦିଲ୍ଲୀ: ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ। ସଂସଦର ମୌସୁମି ଅଧିବେଶନର ପ୍ରଥମ ଦିନ(ସୋମବାର)ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ହେବ।

ବିଜେପି ନେତୃତ୍ବାଧୀନ ଏନଡିଏରୁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ପୁନର୍ବାର ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ନେତୃତ୍ବାଧୀନ ୟୁପିଏରୁ ଆରଜେଡି ସାଂସଦ ମନୋଜ ଝା ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି। ରାଜ୍ୟସଭାରେ ସଂପ୍ରତି ବିଜେପିର ୮୭ ସାଂସଦଙ୍କ ସମେତ ଏନଡିଏର ମୋଟ ୧୧୭ ଜଣ ଥିବାବେଳେ କଂଗ୍ରେସର ୪୦ ସାଂସଦ ସମେତ ୟୁପିଏ ନିକଟରେ ରହିଛି ୬୦ ଆସନ। ତୃଣମୂଳ କଂଗ୍ରେସ (୧୩), ବିଜେଡି (୯), ଏସପି (୮), ଟିଆରଏସ(୭), ୱାଇଏସଆରସିପି(୬), ବାମଦଳ (୬), ବିଏସପି (୪), ଆପ୍‌ (୩), ଶିବସେନା (୩) ଭଳି ଅନ୍ୟ ଛୋଟ ଛୋଟ ଦଳଙ୍କୁ ମିଶାଇ ମୋଟ ୬୭ ସଦସ୍ୟ ରହିଛନ୍ତି। ୨୪୫ ଆସନରୁ ଏବେ ଗୋଟିଏ ଖାଲି ପଡିଛି। ସଂପ୍ରତି ୨୪୪ ଆସନରୁ ନିର୍ବାଚନ ଜିତିବା ଲାଗି କୁହୁକ ସଂଖ୍ୟା ୧୨୩ ଦରକାର। ଅର୍ଥାତ୍ ଏନଡିଏ ଲାଗି ଲୋଡ଼ା ଆଉ ୬ ଜଣ ସଭ୍ୟଙ୍କ ସମର୍ଥନ। ଅନ୍ୟପକ୍ଷରେ ୟୁପିଏ ପ୍ରାର୍ଥୀଙ୍କୁ ଯଦି ବାମଦଳ, ଏସପି, ଟିଏମସି, ବିଏସପି, ଆପ୍‌ ସମେତ ଅନ୍ୟ ଛୋଟ ଛୋଟ ବିରୋଧୀ ଦଳ ସମର୍ଥନ କରନ୍ତି, ତେବେ ଏହି ସଂଖ୍ୟା ୯୫ ପର୍ଯ୍ୟନ୍ତ ପହଞ୍ଚିପାରେ। ଶିବସେନା ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ସହ ମେଣ୍ଟ କରି ସରକାର ଗଠନ କରିଥିବାରୁ ୟୁପିଏ ପ୍ରାର୍ଥୀ ଶ୍ରୀ ଝାଙ୍କୁ ସମର୍ଥନ କରିବା ନେଇ ଘୋଷଣା କରିଛି। ଏହାସତ୍ତ୍ବେ ଜିତିବା ଲାଗି ୟୁପିଏକୁ ଆଉ ୨୮ଟି ଭୋଟ ଲୋଡ଼ା। ତେ​‌େ​‌ବ ଏଠାରେ ବିଜେଡି, ଟିଆରଏସ ଓ ୱାଇଏସଆରସିଙ୍କ ନିଷ୍ପତ୍ତି ଉଭୟ ମେଣ୍ଟ ଲାଗି ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏଭଳି ସ୍ଥିତିରେ ଯଦି ଏନଡିଏ ଏହି ତିନି ଦଳ ମଧ୍ୟରୁ କୌଣସି ଗୋଟିକର ମଧ୍ୟ ସମର୍ଥନ ମିଳେ, ତେବେ ହରିବଂଶ ପୁନର୍ବାର ଉପାଧ୍ୟକ୍ଷ ହେବା ନିଶ୍ଚିତ। ଅତୀତରେ ଗୃହରେ ବିଭିନ୍ନ ପ୍ରସଙ୍ଗ ନେଇ ଏହି ତିନି ଦଳ ଏନଡିଏକୁ ସମର୍ଥନ କରିଆସିଛନ୍ତି। ଏଥର ମଧ୍ୟ ଅନୁରୂପ ସମର୍ଥନ ମିଳିବା ନେଇ ବିଜେପି ଆଶାବାଦୀ ରହିଛି। ବରିଷ୍ଠ ବିଜେପି ନେତାଙ୍କ ଆକଳନ ଅନୁଯାୟୀ, ଏନଡିଏକୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏଥର ୧୪୦ ସଭ୍ୟଙ୍କ ସମର୍ଥନ ମିଳିବା ଆଶା କରାଯାଉଛି।

ଅନ୍ୟପକ୍ଷରେ ରାଜ୍ୟସଭାରେ ସୋମବାର ଉପସ୍ଥିତ ରହିବାକୁ ବିଜେଡି ହୁଇପ୍‌ ଜାରି କରିଥିବାରୁ ଦଳ କେଉଁ ଆଡ଼କୁ ଢଳିବ ସେନେଇ ସମସ୍ତଙ୍କ ନଜର ରହିଛି। ଗତଥର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ହରିବଂଶଙ୍କୁ ସମର୍ଥନ କରିଥିଲା। ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ବିଜେଡି ନିର୍ବାଚନରେ ପୁଣି ଥରେ ହରିବଂଶଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ସୋମବାର ନିର୍ବାଚନ ପୂର୍ବରୁ ହରିବଂଶଙ୍କ ପ୍ରତି ବିଜେଡି ସମର୍ଥନ ବିଷୟରେ ଘୋଷଣା ସମ୍ଭାବନା ରହିଛି। ସବୁଠାରୁ ବଡ଼ କଥା ହେଲା, ବିଜେଡିର ନଅ ଜଣ ସାଂସଦଙ୍କ ସମର୍ଥନ ପାଇବାକୁ ଜେଡିୟୁ ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତ ଗୁରୁବାର ଦିନ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ସମର୍ଥନ ଲୋଡ଼ିଥିଲେ। ବିଜେଡି ସମର୍ଥନ ପାଇବାକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଶ୍ରୀ ହରିବଂଶ ଗତ ଗୁରୁବାର ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଠାରୁ ବିଜେଡିର ସମର୍ଥନ ମାଗିଥିଲେ। ୟୁପିଏ ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ମନୋଜ ଝା ମଧ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ଠାରୁ ବିଜେଡିର ସମର୍ଥନ ଲୋଡ଼ିଥିବା ଜଣାପଡ଼ିଛି।
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଏନଡିଏ ଅଥବା ୟୁପିଏ କେଉଁ ଆଡ଼କୁ ବିଜେଡିର ସମର୍ଥନ ରହିବ ସେ ନେଇ ଦଳୀୟ ସାଂସଦମାନେ ଚୁପ୍‌ ରହିଥିବାବେଳେ ଦଳୀୟ ନିର୍ଦେଶକୁ ଅପେକ୍ଷା କରିଛନ୍ତି। ରାଜନୈତିକ ମହଲରେ ଚର୍ଚ୍ଚା ଅନୁଯାୟୀ ଯଦିଓ ଏନଡିଏ ପ୍ରାର୍ଥୀଙ୍କୁ ଗତ ଥର ବିଜେଡି ସମର୍ଥନ କରିଥିଲା ସେତେବେଳେ ରାଜନୈତିକ ପରିସ୍ଥିତି ଭିନ୍ନ ଥିଲା। ୨୦୧୮ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ହରିବଂଶଙ୍କ ବିପକ୍ଷରେ ନିର୍ବାଚନୀ ମଇଦାନକୁ ୟୁପିଏ ପ୍ରାର୍ଥୀ ଭାବେ ଓହ୍ଲାଇଥିଲେ ତତ୍କାଳୀନ କଂଗ୍ରେସ ସାଂସଦ ବି କେ ହରିପ୍ରସାଦ। ନିର୍ବାଚନର କିଛି ମାସ ପୂର୍ବରୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଦାୟିତ୍ୱରୁ କଂଗ୍ରେସ ଦଳ ତାଙ୍କୁ ବାଦ୍‍ ଦେଇଥିଲା। କଂଗ୍ରେସ ପ୍ରଭାରୀ ଭାବେ ହରିପ୍ରସାଦ ବହୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ସମାଲୋଚନା କରିଥିଲେ। ତେଣୁ ସେତେବେଳେ ହରିବଂଶଙ୍କୁ ସମର୍ଥନ କରିବା ବିଜେଡି ପାଇଁ ସହଜ ବ୍ୟାପାର ଥିଲା। ଚଳିତ ନିର୍ବାଚନରେ ୟୁପିଏ ପ୍ରାର୍ଥୀ ମନୋଜ ଝା ଥିବାବେଳେ ତାଙ୍କର ଓଡ଼ିଶା ରାଜନୀତି ସହ କୌଣସି ସିଧାସଳଖ ସଂପର୍କ ନାହିଁ। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେପି ସାଂସଦ ଭାବେ ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇଥିଲେ। ଗତ ଏକବର୍ଷ ମଧ୍ୟରେ ତିନି ତଲାକ ପ୍ରସଙ୍ଗ, ସୂଚନା ଆଇନ ସଂଶୋଧନ ବିଧେୟକ, ଧାରା ୩୭୦ ଉଚ୍ଛେଦ, ନାଗରିକତା ଆଇନ ସଂଶୋଧନ ବିଧେୟକ ଆଦି ପ୍ରସଙ୍ଗରେ ବିଜେଡି ସଂସଦରେ ଏନଡିଏ ସହ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛି। ଏସବୁ ବିତର୍କିତ ବିଧେୟକକୁ ସମର୍ଥନ ବେଳେ ଜାତୀୟ ସ୍ୱାର୍ଥକୁ ବିଜେଡି ଅଗ୍ରାଧିକାର ଦେଉଛି ବୋଲି ଦଳ ତରଫରୁ ଦର୍ଶାଯାଇଥିଲା; କିନ୍ତୁ ବର୍ତ୍ତମାନ ପରିସ୍ଥିତି ଭିନ୍ନ ରହିଛି। ଆଗକୁ ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ରହିଛି। ବିଜେଡି ଯଦି ଏନଡିଏ ପ୍ରାର୍ଥୀଙ୍କୁ ସିଧାସଳଖ ସମର୍ଥନ କରିବ ସେଭଳି ସ୍ଥିତିରେ ବିଜେଡି-ବିଜେପି ଅଘୋଷିତ ରାଜନୈତିକ ମେଣ୍ଟ ପ୍ରସଙ୍ଗକୁ ଉପନିର୍ବାଚନ ପ୍ରଚାରବେଳେ କଂଗ୍ରେସ ଦଳ ଉଠାଇବା ସମ୍ଭାବନା ରହିଛି। ଏଥିପାଇଁ ଦଳ ଖୋଲାଖୋଲି ସମର୍ଥନ ଘୋଷଣା କରିପାରୁନାହିଁ ବୋଲି ରାଜନୈତିକ ସମୀକ୍ଷକ ମତ ରଖଛନ୍ତି।

Comments are closed.