ରାଜସ୍ଥାନ ରୟାଲ୍‍ସ ଜର୍ସିରେ ‘ନାଇନ’ ଲୋଗୋ

ନୂଆଦିଲ୍ଲୀ : ମାସିକ ଋତୁସ୍ରାବ ଏବଂ ସାନିଟାରୀ ନାପ୍‍କିନ ବ୍ୟବହାରକୁ ନେଇ ରହିଥିବା ରକ୍ଷଣଶୀଳ ମନୋଭାବ କ୍ରମଶଃ ଦୂରହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କର ସ୍ୱାଧୀନତା ଦିବସ ଅଭିଭାଷଣରେ ଏହାକୁ ନେଇ ରହିଥିବା ଲଜ୍ଜାବୋଧ ଏବଂ ରକ୍ଷଣଶୀଳ ମନୋଭାବ ଦୂର କରିବାକୁ ଆହ୍ୱାନ ଦେଇଛନ୍ତି।
ଏହି ବାର୍ତ୍ତାକୁ ପରିବ୍ୟାପ୍ତ କରିବାକୁ ସ୍ୱଦେଶୀ ସ୍ତରରେ ବିକଶିତ ବ୍ରାଣ୍ଡ୍‍ ‘ନାଇନ’ ରାଜସ୍ଥାନ ରୟାଲ୍‍ସ ସହିତ ସହଭାଗିତା କରିଛି। ଆଇପିଏଲରେ ଖେଳୁଥିବା ରାଜସ୍ଥାନ ରୟାଲ୍‍ସ ଦଳ ଚଳିତ ସିଜନ୍‍ରେ ସେମାନଙ୍କ ଜର୍ସିର ପଛପଟେ ‘ନାଇନ’ ଲୋଗୋକୁ ବ୍ୟବହାର କରିବେ। ସୂଚନାଯୋଗ୍ୟ ଯେ ୟୁଏଇରେ ଚଳିତ ମାସ ୧୯ରୁ ଆଇପିଏଲ ଆରମ୍ଭ ହୋଇଛି ଏବଂ ଏହା ନଭେମ୍ବର ୧୦ତାରିଖ ପର୍ଯ୍ୟନ୍ତ ଚାଲିବ।
ଦୁଇବର୍ଷ ତଳେ ଉତ୍ତରପ୍ରଦେଶର ଏକ ଛୋଟ ସହରରେ ଆରମ୍ଭ ହୋଇଥିବା ‘ନାଇନ’ ସମ୍ପ୍ରତି ପ୍ରିମିୟମ ଅଥଚ ସୁଲଭ ସାନିଟାରୀ ନାପ୍‍କିନ ଯୋଗାଇ ଦେଶରେ ଏକ ପ୍ରମୁଖ ବ୍ରାଣ୍ଡ୍‍ ଭାବରେ ଉଭା ହୋଇଛି। ଏହି ବ୍ରାଣ୍ଡ୍‍ର ପ୍ରତିଷ୍ଠାତା ଶରତ ଖେମକା କହିଛନ୍ତି, କ୍ରିକେଟ ଆମ ଦେଶରେ କେବଳ ଏକ ଖେଳ ନୁହେଁ, ଏହା ଏକ ରିଲିଜିୟନରେ ପରିଣତ ହୋଇଛି। ଜନସଚେତନତା ସୃଷ୍ଟି କରିବାରେ ଏହାର ପ୍ରମୁଖ ଭୂମିକା ରହିଛି।

Comments are closed.