ପାଇଲଟଙ୍କ ସହ କଥା ହେଉ ନ ଥିଲେ ଗେହଲଟ; କିନ୍ତୁ ବସୁନ୍ଧରାଙ୍କ ସହ ନିୟମିତ ଯୋଗସୂତ୍ରରେ ରହିଥିଲେ

ଜୟପୁର: ରାଜସ୍ଥାନ ରାଜନୀତିର ଅଛିଣ୍ଡା ଗଣିତ ଛିଡ଼ୁ ନାହିଁ । ଗେହଲଟ୍ ସରକାର ପତନ ନିମନ୍ତେ ପାଇଲଟଙ୍କ ସୁପର ପ୍ଲାନ ଫେଲ୍ ମାରିଗଲା କେମିତି ? କେମିତି ପ୍ରଥମ ଦୁଇ ବାଜି ଜିତିଗଲେ ଗେହଲଟ ? ସତରେ ସେ କ’ଣ ରାଜନୀତିର ଜାଦୁଗର ନାଁ ଏହା ପଛରେ ରହିଛି ଆଉ କିଛି ରହସ୍ୟ ?

ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି ସଚିନ ପାଇଲଟଙ୍କ ମଧ୍ୟରେ ବ୍ୟବଧାନ ଢ଼େର ବଢ଼ି ଯାଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ଗେହଲଟ୍ ୨୦୧୮ ଡ଼ିସେମ୍ବର ମାସରୁ ସଚିନ ପାଇଲଟଙ୍କ ସହ କଥାବାର୍ତା ବନ୍ଦ କରିଦେଇଥିଲେ । ଉଭୟ ନେତାଙ୍କ ମଧ୍ୟରେ କୌଣସି ପ୍ରସଙ୍ଗରେ ଆଲୋଚନା ହେଉ ନ ଥିଲା ।

ଅନ୍ୟପକ୍ଷରେ ଗେହଲଟ ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ । ଉଭୟଙ୍କ ମଧ୍ୟରେ ନିୟମିତ ବ୍ୟବଧାନରେ ଟେଲିଫୋନ ବାର୍ତାଳାପ ହେଉଥିଲା । ବସୁନ୍ଧରା ରାଜେ ପାଇଲଟଙ୍କ ବଦଳରେ ଗେହଲଟଙ୍କୁ ସମର୍ଥନ ଦେବା ନିମନ୍ତେ ତାଙ୍କର ପରିଚିତ ବିଧାୟକମାନଙ୍କୁ ଫୋନ୍ କରିଥିବା ଅଭିଯୋଗ ପରେ ଏହି ସନ୍ଦେହ ଆହୁରି ଦାନା ବାନ୍ଧିଛି ।

ଅନ୍ୟପକ୍ଷରେ କଂଗ୍ରେସ ସରକାର ସହ ଆଦୌ ଭଲ ସମ୍ପର୍କ ରଖି ନ ଥିବା ଏବଂ ବସୁନ୍ଧରା ରାଜେଙ୍କ ଅତ୍ୟନ୍ତ ଘନିଷ୍ଠ କୁହାଯାଉଥିବା ଜଣେ ଆଇପିଏସ୍ ଅଧିକାରୀଙ୍କୁ ବିଧାୟକ କିଣାବିକା ନେଇ ଅଡ଼ିଓ ଟେପର ତଦନ୍ତ ଦାୟିତ୍ବ ଦେବା କଂଗ୍ରେସର ଉଚ୍ଚ ନେତୃତ୍ବକୁ ମଧ୍ୟ ଅକଳରେ ପକାଇ ଦେଇଛି । କଂଗ୍ରେସ ହାଇକମାଣ୍ଡ ଏହାକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ ମଧ୍ୟ ନିରବ ରହିଛନ୍ତି ।

ଏହି ସ୍ଥିତିରେ ଉଭୟ ବିଜେପି ଏବଂ କଂଗ୍ରେସ ଗେହଲଟଙ୍କୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି । ସଚିନ ପାଇଲଟଙ୍କ ରାଜନୈତିକ କାର୍ଯ୍ୟକଳାପ ସମ୍ପର୍କରେ  ବସୁନ୍ଧରା ରାଜେଙ୍କ ଶିବିରରୁ କେହି ନିୟମିତ ଗେହଲଟଙ୍କୁ ସୂଚନା ଦେଉଥିବା ସନ୍ଦେହ ପ୍ରକାଶପାଇଛି । ଏଥିପାଇଁ ସୋନିଆ, ରାହୁଳ କିମ୍ବା ପ୍ରିୟଙ୍କାଙ୍କ ବିନା ପରାମର୍ଶରେ ସେ ପାଇଲଟଙ୍କ ବିରୋଧରେ ତଦନ୍ତ ନିର୍ଦେଶ ଦେଇଥିଲେ ଓ ତାଙ୍କୁ ସରକାରରୁ ହଟାଇବା ପାଇଁ ସୁଯୋଗ ଖୋଜୁଥିଲେ ।

ଅନ୍ୟପକ୍ଷରେ ପାଇଲଟ୍ ମଧ୍ୟ କିଛି କମ୍ ଖେଳାଳି ନୁହନ୍ତି । ସେ ଏ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ସାରିଥିଲେ ଏବଂ ପ୍ରଥମ ଦୁଇ ବାଜି ହାରି ଯାଇଥିଲେ ମଧ୍ୟ ଏବେ ନିଷ୍କ୍ରିୟ ହୋଇ ନାହାନ୍ତି । କୌଣସି ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି । ତାଙ୍କୁ ରାଜସ୍ଥାନରୁ ନିର୍ମୁଳ କରିବା ପାଇଁ ଗେହଲଟ ପୁରା ଦମ୍ ଲଗାଇ ଦେଇଥିବାବେଳେ ପ୍ରିୟଙ୍କା ତାଙ୍କ ସହ ନିୟମିତ ଯୋଗସୂତ୍ରରେ ଅଛନ୍ତି। ଶେଷ ଖବର ଅନୁସାରେ ସେ ପ୍ରିୟଙ୍କାଙ୍କ ନିକଟରେ ସର୍ତ ରଖିଛନ୍ତି ଯେ ସେ କଂଗ୍ରେସରେ ଅଛନ୍ତି ଓ ରହିବେ । କିନ୍ତୁ ଗେହଲଟଙ୍କ ଅଧୀନରେ କାମ କରିବେ ନାହିଁ ।

ଏଥିପାଇଁ ଚିଦାମ୍ବରମଙ୍କଠାରୁ ଆରମ୍ଭ କରି ଦିଗବିଜୟ ସିଂହ, ଅହମ୍ମଦ ପଟେଲ ସଚିନଙ୍କ ସହ ଯୋଗସୂତ୍ରରେ ରହିଛନ୍ତି । ରାହୁଳଙ୍କ ଘନିଷ୍ଠ କୁହାଯାଉଥିବା ଏଆଇସିସି  ସାଧାରଣ ସମ୍ପାଦକ କେ. ଭେନୁଗୋପାଳ ଏକ ଚାଟାର୍ଡ଼ ବିମାନରେ ଥିରୁବନନ୍ତପୁରମରୁ ଦିଲ୍ଲୀରେ ପହଞ୍ଚି ରାହୁଳଙ୍କ ବିସ୍ତୃତ ଭାବରେ ଘଟଣାକ୍ରମ ସମ୍ପର୍କରେ ଜଣାଇଛନ୍ତି । ଏହାକୁ ନେଇ ଗାନ୍ଧୀ ପରିବାର ଦ୍ବନ୍ଦ୍ବରେ ଅଛନ୍ତି । ଉଭୟ ପାଇଲଟ ଓ ଗେହଲଟ୍ ଶତ୍ରୁ ଶିବିର ସହ ଯୋଗସୂତ୍ର ରଖିଥିବାରୁ ଏହାର କିପରି ସମାଧାନ ହେବ ସେଥିପାଇଁ ନୂଆ କୌଶଳ ଖୋଜୁଛନ୍ତି ।

Comments are closed.