ରାଜସ୍ଥାନ ରାଜନୀତି ନାଟକ: ମଙ୍ଗଳବାର ପର୍ଯ୍ୟନ୍ତ ଅଦାଲତଙ୍କ ମହଲତ

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ସଚିନ ପାଇଲଟଙ୍କ ସମେତ ୧୯ ଜଣ ବିଧାୟକଙ୍କୁ ନୋଟିସ ବିରୋଧରେ ହାଇକୋର୍ଟରେ ରୁଜୁ ମାମଲାର ଶୁକ୍ରବାର ଶୁଣାଇ ହୋଇଛି । ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍ ମହାନ୍ତି ଓ ଜଷ୍ଟିସ ପ୍ରକାଶ ଗୁପ୍ତାଙ୍କ ବେଞ୍ଚ ସମ୍ମୁଖରେ କଂଗ୍ରେସ ବିଧାୟକଙ୍କ ପକ୍ଷରୁ ଆଇନଜୀବୀ ହରିଶ ସାଲଭେ ନିଜର ମହକିଲମାନଙ୍କ ପକ୍ଷ ରଖିଛନ୍ତି । ବିଧାନସଭା ବାହାରେ କୌଣସି ରାଜନୈତିକ ଗତିବିଧିକୁ ଦଳବଦଳ ବିରୋଧୀ ଅଧିନିୟମର ଉଲ୍ଲଙ୍ଘନ ବୋଲି କୁହାଯାଇ ପାରିବ ନାହିଁ ବୋଲି ଉଲ୍ଲେଖ କରି ଦିଆଯାଇଥିବା ନୋଟିସର ଯଥାର୍ଥତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏହି ଅବସରରେ ଅଦାଲତ ମଙ୍ଗଳବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଧାନସଭା ବାଚସ୍ପତିଙ୍କୁ ଏହି ପ୍ରସଙ୍ଗରେ ଆବେଦନକାରୀ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦେଶ ଦେଇଛନ୍ତି । ଅଦାଲତ ଏହି ପ୍ରସଙ୍ଗରେ୨୦ ଜୁଲାଇ ଅର୍ଥାତ୍ ସୋମବାର ଶୁଣାଣି କରିବ । ଏହାପୂର୍ବରୁ ଏହି ବିଧାୟକମାନଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିବାର ଆଶଙ୍କା ନେଇ ଚର୍ଚା ହୋଇ ଆସୁଥିଲା । ଶୁକ୍ରବାର ସନ୍ଧ୍ୟା ପୂର୍ବରୁ ବିଧାୟକମାନଙ୍କୁ ଦିଆଯାଇଥିବା ନୋଟିସର ଉତ୍ତର ମଗାଯାଇଥିଲା । ଏହା ବିରୋଧରେ ବିଧାୟକମାନେ ବାଚସ୍ପତିଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ବିଜେପିରେ ମଧ୍ୟ ଗୋଷ୍ଠୀକନ୍ଦଳ

ରାଜସ୍ଥାନରେ କଂଗ୍ରେସରେ ଚାଲିଥିବା ଲଢ଼େଇ ମଧ୍ୟରେ ବିଜେପି ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି । ଏଠାରେ ବିଜେପି ମଧ୍ୟ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିବା ଆଲୋଚନା ହୋଇଛି । ଯେତେବେଳେ ବିଜେପିର ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ରାଲୋପା)ର ସାଂସଦ ହନୁମାନ ବେନିୱାଲ ବସୁନ୍ଧରା ରାଜେଙ୍କ ଉପରେ ଗେହଲଟଙ୍କୁ ସମର୍ଥନ କରିବା ଅଭିଯୋଗ କରିବା ପରେ ଏହି ଚର୍ଚାକୁ ଇନ୍ଧନ ଯୋଗାଇଛି । ହନୁମାନ ନିଜ ଟ୍ବିଟରେ ବସୁନ୍ଧରା ରାଜେ ସିକର ଓ ନାଗର ଜିଲାର ଜାଠ୍ ବିଧାୟକମାନଙ୍କୁ ପାଇଲଟଙ୍କଠାରୁ ଦୂରତ୍ବ ରଖିବାକୁ ପରାମର୍ଶ ଦେଇଥିବା ଉଲ୍ଲେଖ କରିଥିଲେ ଓ ଏହାର ପ୍ରମାଣ ଥିବା କହିଥିଲେ ।

ଭାଇରାଲ ଅଡ଼ିଓ ମଧ୍ୟ ଚର୍ଚାର ବିଷୟ 

ଗୁରୁବାର ବିଳମ୍ବିତ ରାତିରେ ବିଧାୟକଙ୍କ କିଣାବିକା ସହ ଜଡ଼ିତ ୩ ଅଡ଼ିଓ ଭାଇରାଲ ହୋଇଛି । ଏହି ଅଡ଼ିଓରେ ଜଣେ ବ୍ୟକ୍ତି ନିଜକୁ ସଞ୍ଜୟ ଜୈନ ଓ ଅନ୍ୟ ଜରକ ଗଜେନ୍ଦ୍ର ସିଂହ ବୋଲି କହୁଥିବା ଶୁଣାଯାଇଛି । ଦୁଇ ଅଡ଼ିଓରେ ବ୍ୟବହାର ଭାଷା ରାଜସ୍ଥାନୀ ଭାଷା ବ୍ୟବହାର ହୋଇଥିବାବେଳେ ତୃତୀୟ ଅଡ଼ିଓରେ ଉଭୟ ଇଂରାଜୀ ଓ ହିନ୍ଦିରେ କଥାବାର୍ତା ଚାଲିଥିବା ଶୁଣାଯାଇଛି । ମାତ୍ର ଏହି ଅଡ଼ିଓ କେଉଁ ସମୟର ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

୧୯ ବିଧାୟକଙ୍କୁ ନୋଟିସ 

ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି । ଏହି ବିଧାୟକମାନେ ହେଲେ ସଚିନ ପାଇଲଟ, ରମେଶ ମିଣା, ଇନ୍ଦ୍ରାଜ ଗୁର୍ଜର, ଗଜରାଜ ଖଟାନା, ରାକେଶ ପାରିଖ, ମୁରାରୀ ମୀଣା, ପିଆର୍ ମୀଣା, ସୁରେଶ ମୋଦୀ, ଭଓଁରଲାଲ ଶର୍ମା, ବେଦପ୍ରକାଶ ସୋଲାଙ୍କି, ମୁକେଶ ଭାକର, ରାମନିବାସ ଗାୱାଡ଼ିଆ, ହରୀଶ ମୀଣା, ବୃଜେନ୍ଦ୍ର ଓଲା, ହେମାରାମ ଚୌଧୁରୀ, ବିଶ୍ବେନ୍ଦ୍ର ସିଂହ, ଅମର ସିଂହ, ଦ୍ରୌପଦୀ ସିଂହ ଓ ଗଜେନ୍ଦ୍ର ଶକ୍ତାୱତ। ବରିଷ୍ଠ ଆଇଜୀବୀ ହରିଶ ସାଲଭେ ପାଇଲଟ ଗୋଷ୍ଠୀର ଏହି ୧୯ ବିଧାୟକଙ୍କ ନିମନ୍ତେ ଅଦାଲତରେ ଲଢ଼ୁଛନ୍ତି ଓ ସଚିନ ପାଇଲଟଙ୍କ ଓକିଲ ମୁକୁଳ ରୋହତଗୀ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ଅନ୍ୟପକ୍ଷରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଅଭିଷେକ ମନୁ ସିଂଘଭୀ ଅଦାଲତରେ ଲଢ଼େଇ କରୁଛନ୍ତି ।

ପିଟିସନ ସମ୍ପର୍କରେ କଂଗ୍ରେସ ମୁଖ୍ୟ ସଚେତକ ଅଜ୍ଞ

କଂଗ୍ରେସ ଦଳ ପକ୍ଷରୁ ଅଦାଲତରେ ଦିଆଯାଇଥିବା ପିଟିସନକୁ ନେଇ ମୁଖ୍ୟ ସଚେତକ ମହେଶ ଯୋଶୀଙ୍କ ମନ୍ତବ୍ୟ କଂଗ୍ରେସକୁ ଅଡ଼ୁଆରେ ପକାଇଛି । ସେ କହିଛନ୍ତି ପିଟିସନ ମୋ ନାଁରେ ପଡ଼ିଛି, ମାତ୍ର ଦଳ ଏ ସମ୍ପର୍କରେ ମୋତେ ଜଣାଇ ନାହିଁ । ଯୋଶୀଙ୍କ ଏହି ମନ୍ତବ୍ୟ ପରେ ତାଙ୍କ ପାଖରେ ଠୋସ କୌଣସି ପ୍ରମାଣ ନ ଥିବା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷରେ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ମୁକୁଳ ରୋହତଗୀଙ୍କ ପରି ବଡ଼ ଓକିଲ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କ ନିମନ୍ତେ ଅଦାଲତ ଲଢ଼ୁଛନ୍ତି । ଏହା କଂଗ୍ରେସ ପାଇଁ ଆହୁରି ଅଡ଼ୁଆ ସୃଷ୍ଟି କରିଛି ।

Comments are closed.