ରାଜସ୍ଥାନ କଂଗ୍ରେସ ସରକାର : କାହାର ଦମ୍ କେତେ

ରାଜସ୍ଥାନର କଂଗ୍ରେସ ସରକାରରେ ଅନ୍ତର୍ଦ୍ବନ୍ଦ୍ବକୁ ନେଇ ରାଜନୈତିକ ଚର୍ଚ୍ଚା ଲାଗି ରହିଥିବାବେଳେ ଶାସକ ଓ ବିରୋଧୀ ନିଜ ନିଜର ଶକ୍ତି ଆକଳନ କରିଛନ୍ତି। ବିଧାନସଭାର ମୋଟ ୨୦୦ ଆସନରୁ ୨୦୧୮ ନିର୍ବାଚନରେ କଂଗ୍ରେସ ୯୯ଟି ଆସନରେ ବିଜୟୀ ହୋଇଥିଲା। ପରବର୍ତ୍ତୀ ସମୟରେ ମାୟାବତୀଙ୍କ ନେତୃତ୍ବ ବିଏସପିର ୬ ବିଧାୟକ ଓ ୨ ସ୍ବାଧୀନ ବିଧାୟକ କଂଗ୍ରେସରେ ସାମିଲ ହୋଇଥିଲେ। ଫଳରେ କଂଗ୍ରେସର ସଂଖ୍ୟା ୧୦୭କୁ ବୃଦ୍ଧି ପାଇଛି। କଂଗ୍ରେସକୁ ୧୩ଜଣ ସ୍ବାଧୀନ, ଭାରତୀୟ ଟ୍ରାଇବାଲ ପାର୍ଟି (ବିଟିପି)ର ୨, ସିପିଏମ୍‌ର ୨ ଓ ଆରଏଲଡିର ଜଣେ ବିଧାୟକଙ୍କ ସମର୍ଥନ ରହିଛି। କଂଗ୍ରେସ ପାଖରେ ୧୨୫ ବିଧାୟକଙ୍କ ସମର୍ଥନ ରହିଥିବାବେଳେ ବିଜେପି ପାଖରେ ୭୫ ବିଧାୟକଙ୍କ ସମର୍ଥନ ରହିଛି। ବିଜେପିର ୭୨ ବିଧାୟକ ଥିବାବେଳେ ହନୁମାନ ବେନିୱାଲଙ୍କ ନେତୃତ୍ବ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳର ୩ ସଦସ୍ୟଙ୍କ ସମର୍ଥନ ରହିଛି। ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ୧୨୩ଟି ଭୋଟ ମିଳିଥିଲା। ୨ଜଣ ବିଧାୟକ ମତଦାନ କରି ନଥିଲେ। ବିଜେପି ୭୪ ଭୋଟ ପାଇଥିବାବେଳେ ଏହାର ଗୋଟିଏ ଭୋଟ ନାକଚ ହୋଇଥିଲା। ଏପରିସ୍ଥିତିରେ ସଚିନ ପାଇଲଟ ଯଦି କଂଗ୍ରେସ ମେଣ୍ଟରୁ ୫୦ ବିଧାୟକଙ୍କୁ ଧରି ଓହରି ଆସିବେ ତେବେ ରାଜସ୍ଥାନରେ ବିଜେପି ସରକାର ଗଠନ କରିପାରିବ। ୫୦ ବିଧାୟକଙ୍କୁ ଧରି ଆସିଲେ ସେମାନଙ୍କ ସଭ୍ୟପଦ ରଦ୍ଦ ହେବ ଓ ବିଧାନସଭାର ମୋଟ ସଦସ୍ୟଙ୍କ ସଂଖ୍ୟା ୧୫୦କୁ ହ୍ରାସ ପାଇବ। ଏପରିସ୍ଥିତିରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୭୫ ହେବ ଓ ବିଜେପିର ସଂଖ୍ୟା ୭୫ ରହିବ। ଆସ୍ଥା ଭୋଟରେ ବାଚସ୍ପତି ମତଦାନରୁ ଦୂରେଇ ରହୁଥିବାରୁ ବିଜେପି ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରିବ। ତେବେ ସଚିନ ପାଇଲଟଙ୍କ ପାଖରେ ନିଜକୁ ମିଶାଇ ମୋଟ ୩୧ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଛନ୍ତି।

Comments are closed.