ରାଜସ୍ଥାନ ମହାନାଟକ: ‘ପାଇଲଟ୍’ଙ୍କ ଚକ୍ରବ୍ୟୁହ, ଦ୍ବିଧାରେ କଂଗ୍ରେସ

ଦୁଇ ଗୋଷ୍ଠୀ ମଧ୍ୟରେ ସମାଧାନ ଲାଗି ମଙ୍ଗଳବାର ଜୟପୁର ଯିବେ ପ୍ରିୟଙ୍କା ଗାନ୍ଧୀ

ରାଜସ୍ଥାନରେ ଆରମ୍ଭ ହୋଇଛି ‘ପାଇଲଟ୍’ ମହାନାଟକ । ରାଜ୍ୟ କଂଗ୍ରେସ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ରାଜେଶ ପାଇଲଟଙ୍କ ବିଦ୍ରୋହ ପରେ ଲାଗୁଥିଲା କଂଗ୍ରେସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ମାତ୍ର ସୋମବାର ତୀବ୍ର ଗତିଶୀଳ ରାଜସ୍ଥାନ ରାଜନୈତିକ ଘଟଣାକ୍ରମ ପରେ ଦଳ ପାଇଲଟଙ୍କୁ ନେଇ ଦ୍ବିଧାରେ ପଡ଼ିଯାଇଛି । କଂଗ୍ରେସ ମହାସଚିବ ରଣଦୀପ ସୁରଜେୱାଲା ପାଇଲଟଙ୍କୁ କଂଗ୍ରେସ ବିଧାୟକ ଦଳ ବୈଠକରେ ସାମିଲ ହେବାକୁ କରିଥିବା ଅନୁରୋଧକୁ ପାଇଲଟ ପକ୍ଷ ଗ୍ରହଣ କରିନାହାନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ପାଇଲଟଙ୍କୁ ଦଳରେ ପୁଣି ସୁଯୋଗ ଦିଆଯିବାକୁ ଏକ ବାର୍ତା ମଧ୍ୟ ଦିଆଯାଇଛି, ତାହାକୁ ନେଇ ପାଇଲଟ ଓ ତାଙ୍କ ସମର୍ଥକମାନେ ମଧ୍ୟ ନିରବ ରହିଛନ୍ତି ।

ଏହି ସ୍ଥିତିରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ପ୍ରଦେଶ କାର୍ଯ୍ୟାଳୟ ବାହାରୁ ପାଇଲଟଙ୍କ ପୋଷ୍ଟର ହଟାଇବାର କିଛି ସମୟ ପରେ ପୁଣି ତାହାକୁ ଲଗାଇଛନ୍ତି । ଏପରିକି ଯେଉଁମାନେ ପାଇଲଟଙ୍କ ପୋଷ୍ଟର କାର୍ଯ୍ୟାଳୟରୁ ହଟାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏନ୍ଏସୟୁଆଇ ଅଧ୍ୟକ୍ଷ ଚେତାବନୀ ଦେଇଛନ୍ତି ।

ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି   

ପାଇଲଟ୍ ବିବାଦକୁ ନେଇ ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଦଳୀୟ କାର୍ଯ୍ୟାଳୟରୁ ପାଇଲଟଙ୍କ ପୋଷ୍ଟର ହଟାଇବା ପରେ ରାଜ୍ୟ କଂଗ୍ରେସ ରାଜନୀତି ଅଶାନ୍ତ ହୋଇ ପଡ଼ିଥିବାବଳେ  ପୁଣି ତାହାକୁ ଲଗାଯିବା ଦ୍ବାରା କିଛି ପରିମାଣରେ ସ୍ଥିତି ଶାନ୍ତ ପଡ଼ିଛି । ଦୁଇ ଗୋଷ୍ଠୀ ମଧ୍ୟରେ ସମାଧାନ ନିମନ୍ତେ ରାସ୍ତା ଖୋଜିବା ଆରମ୍ଭ ହୋଇଥିଲା । ଏତିକି ବେଳେ ବିଳମ୍ବିତ ସନ୍ଧ୍ୟାରେ ଗେହଲଟ ସରକାରର ଦୁଇ ମନ୍ତ୍ରୀ ପାଇଲଟଙ୍କ ପ୍ରତି ନିଜର ସମର୍ଥନ ଘୋଷଣା କରିବା ପରେ ପୁଣି ରାଜନୀତି ସରଗରମ ହୋଇ ପଡ଼ିଛି । କ୍ୟାବିନେଟ୍ ମନ୍ତ୍ରୀ ରମେଶ ମୀଣା କହିଛନ୍ତି ସେ ପାଇଲଟଙ୍କୁ ସମର୍ଥନ କରୁଛନ୍ତି । ସେହିପରି ପର୍ଯ୍ୟଟନ ମନ୍ତୟୀ ବିଶ୍ବେନ୍ଦ୍ର ସିଂହ ମଧ୍ୟ ପାଇଲଟଙ୍କ ସମର୍ଥନରେ ଟ୍ବିଟ୍ କରିଛନ୍ତି ।

ଏହା ପୂର୍ବରୁ ସୋମବାର ସକାଳେ କଂଗ୍ରେସର ମହାସଚିବ ପିଏଲ୍ ପୁନିଆ ଦିଲ୍ଲୀରେ କହିଥିଲେ ସଚିନ ଏବେ ବିଜେପିରର ହୋଇ ଯାଇଛନ୍ତି । ମାତ୍ର କିଛି ସମୟ ପରେ ସେ ନିଜର ବୟାନ ବଦଳାଇଥିଲେ । ସେ କହିଥିଲେ ଏ କଥା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରସଙ୍ଗରେ କହିଥିଲେ । ଏହା ଏକ ମାନବୀୟ ଭୁଲ ଓ ତାଙ୍କର ଜିଭରୁ ଭୁଲରେ ଏ କଥା ବାହାରି ଯାଇଥିଲା ।

ଗେହଲଟଙ୍କ ନିକଟରେ ନାହିଁ ବହୁମତ ?

ଯେତେବେଳେ କି ଗେହଲଟ ୧୦୭ ବିଧାୟକ ନିଜ ସପକ୍ଷରେ ଥିବା ଦାବି କରୁଛନ୍ତି ସେଠାରେ ବାସ୍ତବରେ ତାଙ୍କ ନିକଟରେ ସରକାର ଗଠନ ନିମନ୍ତେ ବହୁମନ ନଥିବା ତାଙ୍କ ପ୍ରତିପକ୍ଷ ଦାବି କରୁଛନ୍ତି । ଏ କଥା ବି କୁହାଯାଉଛି ଯେ ଯେଉଁ ସ୍ବାଧୀନ ବିଧାୟକଙ୍କ କଥା ଗେହଲଟ୍ କହୁଛନ୍ତି ସେମାନେ ମଧ୍ୟ ନିଜର ଆଭିମୁଖ୍ୟ ବଦଳାଇ ପାରନ୍ତି । ମୋଟାମୋଟି ଦେଖିଲେ ଗେହଲଟ ସରକାର ରହିବ ବା ଯିବ ଏହି ଛବି ବହୁତ ସ୍ପଷ୍ଟ ନୁହେଁ । ଏହାର କାରଣ କୁହାଯାଉଛି ଯେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲବ୍ୟ ସରକାରଙ୍କ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ଦାବି କରିବା ପରେ ଗେହଲଟ ସରକାରଙ୍କ ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ହାଇକମାଣ୍ଡଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନବାଚୀ 

ଗେହଲଟ୍ ଓ ପାଇଲଟ ପକ୍ଷଙ୍କ ମଧ୍ୟରେ ଯେତେବେଳେ କ୍ଷମତାକୁ ନେଇ ଯୁଦ୍ଧ ଆରମ୍ଭ ହୋଇଛି ସେଠାରେ ଦଳୀୟ ହାଇକମାଣ୍ଡଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦଳୀୟ ହାଇକମାଣ୍ଡ ପାଇଲଟଙ୍କୁ ନାଁ ମନେଇବାକୁ ଚେଷ୍ଟା କରୁଛନ୍ତି ନା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସଙ୍କେତ ଦେଇଛନ୍ତି । ଏହା ମଧ୍ୟରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟସ୍ଥ ଭାବରେ ଉଭା ହୋଇଥିବା ନେଇ ଚର୍ଚା ଚାଲିଛି । ପ୍ରିୟଙ୍କା ମଙ୍ଗଳବାର ଜୟପୁରରେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା କରି ପରିସ୍ଥିତି ସଜାଡ଼ିବାକୁ ଉଦ୍ୟମ କରିବେ ବୋଲି ମଧ୍ୟ ସୂଚନା ମିଳିଛି ।

ଏସଓଜି ନୋଟିସ ପରେ ପାଇଲଟ ଅସନ୍ତୁଷ୍ଟ

ପାଇଲଟଙ୍କ ଅସନ୍ତୋଷକୁ ନେଇ ତ ଅନେକ କାରଣ ରହିଛି । ଅଗଲି ବାର ପାଇଲଟ୍ ସରକାର ନାରା ଦେଇ କଂଗ୍ରେସ ରାଜସ୍ଥାନରେ କ୍ଷମତାକୁ ଫେରିଥିଲା ।

ମାତ୍ର ପାଇଲଟଙ୍କ ପରିବର୍ତ୍ତେ ଗେହଲଟଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଯାଇଥିଲା । ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଏହା ତାଙ୍କ ସମର୍ଥକମାନଙ୍କୁ ନିରାଶ କରିଥିଲା । ସେହିପରି ବିଭିନ୍ନ ପଦ ଓ ବିଭାଗକୁ ନେଇ ମଧ୍ୟ ବିଭିନ୍ନ ସମୟରେ ପାଇଲଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ମାତ୍ର ଯେତେବେଳେ ବିଧାୟକଙ୍କ ଘୋଡ଼ାବେପାର ସଂକ୍ରାନ୍ତ ଯାଞ୍ଚ ନିମନ୍ତେ ଏସ୍ଓଜି ନୋଟିସ ପରେ ପାଇଲଟ୍ କ୍ଷୁବ୍ଧ ହୋଇଥିଲେ । ତାଙ୍କୁ କଂଗ୍ରେସ ଓ ଅନ୍ୟ କିଛି ନିର୍ଦଳୀୟ ବିଧାୟକ ମଧ୍ୟ ସମର୍ଥନ କରୁଛନ୍ତି । ଏହି ନୋଟିସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଅନ୍ୟ କିଛି ବିଧାୟକଙ୍କୁ ମଧ୍ୟ ଜାରି କରାଯାଇଥିଲା ।

Comments are closed.