ରାଜସ୍ଥାନରେ ୪୦% ପର୍ଯ୍ୟନ୍ତ ସ୍କୁଲ ଫି’ ଛାଡ଼; ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ରାଜସ୍ଥାନ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ପିଲାମାନଙ୍କର ସ୍କୁଲ ଫି ୪୦ % ପର୍ଯ୍ୟନ୍ତ ହ୍ରାସ କରିଛନ୍ତି । ଅବଶ୍ୟ ପ୍ରାଥମିକ ପର୍ଯ୍ୟାୟରେ ଏହି ସୁବିଧା ୯ମରୁ ୧୨ଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଇବେ । ଫି’ ହ୍ରାସ ସଂକ୍ରାନ୍ତ କମିଟି ଯୁକ୍ତି କରିଛି ଯେ ଯେହେତୁ ପାଠ୍ୟକ୍ରମ ୪୦% ହ୍ରାସ ପାଇଛି, ତେଣୁ ଫି ମଧ୍ୟ ୪୦% ହ୍ରାସ ହେବା ଉଚିତ୍ । ମାତ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଘରୋଇ ସ୍କୁଲ ସଂଘ ବିରୋଧ କରିଛନ୍ତି । ରାଜସ୍ଥାନ ପ୍ରଗତିଶୀଳ ଆସୋସିଏସନ ସ୍କୁଲ ଓ ଘରୋଇ ବିଦ୍ୟାଳୟ ସଙ୍ଗଠନ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ଘୋଷଣା କରିଛନ୍ତି ।

ଘରୋଇ ବିଦ୍ୟାଳୟର ଏପରି ଧମକ ପରେ ରାଜ୍ୟ ସରକାର ଆହୁରି କଠୋର ହୋଇଛନ୍ତି । ବର୍ତମାନ କେବଳ ଉଚ୍ଚ ଶ୍ରେଣୀଗୁଡ଼ିକ ଖୋଲା ଯାଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରଥମରୁ ୮ମ ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବା ପରେ ସେହି ପିଲାମାନଙ୍କର ସ୍କୁଲ ଫି ମଧ୍ୟ ଅନୁରୂପ ହ୍ରାସ କରାଯାଇପାରେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହା ସହିତ ୨୦୨୦-୨୧ ବର୍ଷ ଲାଗି ୟୁନିଫର୍ମରେ କୌଣସି ପରିବର୍ତନ ହେବ ନାହିଁ ଏବଂ ଟ୍ୟୁସନ ଫି ବ୍ୟତୀତ, ଲ୍ୟାବ, କ୍ରୀଡ଼ା, ଲାଇବ୍ରେରୀ ଓ ଅନ୍ୟାନ୍ୟ ସୁବିଧା ବାବଦରେ କୌଣସି ଅର୍ଥ ନିଆଯାଇପାରିବ ନାହିଁ । ଅଭିଭାବକଙ୍କୁ ତ୍ରୟମାସିକ ଫି’ ଦେବାକୁ ଅନୁମତି ମିଳିବ । ଅପରପକ୍ଷରେ ସ୍କୁଲଗୁଡ଼ିକ ଶିକ୍ଷକ ଓ କର୍ମଚାରୀଙ୍କୁ ନିର୍ଦିଷ୍ଟ ଦରମା ଦେବେ ଓ କୌଣସି କର୍ମଚାରୀଙ୍କୁ ବହିଷ୍କାର କରିପାରିବେ ନାହିଁ । ସେହିପରି ଅଫଲାଇନ ବ୍ୟତୀତ ଅନଲାଇନରେ ପିଲାଙ୍କ ଶିକ୍ଷାଦାନ ଅବ୍ୟାହତ ରଖିବାକୁ ସ୍କୁଲଗୁଡ଼ିକୁ ସରକାର ନିର୍ଦେଶ ଦେଇଛନ୍ତି ।

Comments are closed.