ରାଜସ୍ଥାନରେ ସରକାର ଭାଙ୍ଗିବା ଷଡ଼ଯନ୍ତ୍ର : ବିଜେପିର ଦୁଇ ନେତା ଗିରଫ

ଜୟପୁର : ରାଜସ୍ଥାନର ଅଶୋକ ଗେହଲଟଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଭାଙ୍ଗିବା ପାଇଁ ବିଜେପି ଚଳାଇଥିବା ଷଡ଼ଯନ୍ତ୍ର ଧରାପଡ଼ିଛି। ଦୁଇ ବିଜେପି ନେତାଙ୍କ ଟେଲିଫୋନ୍‌ କଲ୍‌ ରେକର୍ଡରୁ ଏହି ଷଡ଼ଯନ୍ତ୍ର ସମ୍ପର୍କରେ ସୂଚନା ପାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୁଲିସ ଶନିବାର ଭରତ ମାଲାନୀ ଏବଂ ଅଶୋକ ସିଂହ ମେଟୱାଲା ନାମକ ଦୁଇ ନେତାଙ୍କୁ ରାଜସ୍ଥାନ ପୁଲିସର ସ୍ପେସାଲ ଅପରେସନ ଗ୍ରୁପ(ଏସଓଜି) ଯଥାକ୍ରମେ ବିୱାର ଓ ଉଦୟପୁରରୁ ଗିରଫ କରିଛି। ମାଲାନୀ ରାଜସ୍ଥାନ ବିଜେପିର ଜଣେ ପ୍ରଭାବଶାଳୀ ନେତା।
ରାଜସ୍ଥାନରେ ବିଧାୟକମାନଙ୍କୁ କିଣିବା ପାଇଁ ଏହି ଦୁଇ ନେତା ମଧ୍ୟସ୍ଥତା କରୁଥିଲେ। ବିଧାୟକଙ୍କ ପିଛା ୧୫କୋଟି ଟଙ୍କା ଲେଖାଏଁ ଦେବାକୁ କଥା ହୋଇଥିଲେ। ଅଗ୍ରିମ ୧୦କୋଟି ଦେବା ପାଇଁ କୁହାଯାଇଥିଲା। ସରକାର ଭାଙ୍ଗିବା ବାବଦରେ ବିଜେପି ୨ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ ରଖିଥିବା ଓ କିଣା ହୋଇଥିବା ବିଧାୟକମାନେ ୧ହଜାରରୁ ୨ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାର ସମ୍ଭାବନା ଥିବା ସେମାନଙ୍କ କଥାବାର୍ତ୍ତାରୁ ଜଣାପଡ଼ିଥିଲା। ଜୁନ ୧୩ରେ ହୋଇଥିବା ଏହି କଥୋପକଥନରୁ ପ୍ରକାଶ ଯେ ଗେହଲଟ ସରକାର ଭାଙ୍ଗିଲା ପରେ ବିଜେପିରୁ ଜଣେ ମୁଖ୍ୟମନ୍ତ୍ରୀ ହେବେ ଓ ସଚିନ ପାଇଲଟଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ଦିଆଯିବ। ଜୁନ ୩୦ ପ​‌େ​ର; ଅର୍ଥାତ୍‌ ୧୦ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ ହେବ। କୁଶଳଗଡ଼ ବିଧାୟକ ରାମିଲା ଖଡ଼ିଆ ଓ ବାଗିଦୋରା ବିଧାୟକ ମହେନ୍ଦ୍ରଜିତ ସିଂହ ମାଲବିୟଙ୍କ ସହିତ ଏହି ଆଲୋଚନା ହୋଇଥିବା ଏତଲାରେ ଉଲ୍ଲେଖ ରହିଛି। ଏତଲା ପରେ ଏସଓଜି ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସେମାନଙ୍କ ଫୋନ ବାର୍ତ୍ତାଳାପ ରେକର୍ଡ ସମୟରେ ଅଭିଯୋଗ ସମ୍ପର୍କରେ ଏସଓଜିକୁ ପ୍ରମାଣ ମିଳିଥିଲା। ଏହି ଆଧାରରେ ଏସଓଜି ଭରତ ମାଲାନୀଙ୍କୁ ଶୁକ୍ରବାର ରାତିରେ ଅଟକ ରଖି ପଚରାଉଚରା କରିଥିଲା। ପରେ ତାଙ୍କୁ ଗିରଫ କରିଥିଲା। ଏହି ପ୍ରସଙ୍ଗରେ ଏସ୍‌ଓଜି ଗେହଲଟ ଓ ଉପ-ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କୁ ନୋଟିସ ଜାରି ସହ ସେମାନଙ୍କ ମନ୍ତବ୍ୟ ଲିପିବଦ୍ଧ କରିଛି। ସରକାରୀ ଦଳର ମୁଖ୍ୟ ସଚେତକ ମହେଶ ଜୋଷୀଙ୍କୁ ମଧ୍ୟ ନୋଟିସ ହୋଇଛି। ଆଗକୁ ଡଜନେରୁ ଅଧିକ ବିଧାୟକଙ୍କୁ ନୋଟିସ ହେବ ବୋଲି ଏସ୍‌ଓଜି ପକ୍ଷରୁ କୁହାଯାଇଛି।
ଏହି ଘଟଣାରେ ଗେହଲଟ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ବିଜେପି ଅତ୍ୟନ୍ତ ଲଜ୍ଜାହୀନ କାର୍ଯ୍ୟ କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ସମୟରେ ଏଭଳି ଅନୈତିକ କାର୍ଯ୍ୟ ହେଉ ନ ଥିଲା। ଦେଶ କରୋନା ସଂକ୍ରମଣ ବିପତ୍ତିରେ ପଡ଼ିଥିବାବେଳେ ବିଜେପି ମାନବିକତା ହରାଇଛି ଓ ସମସ୍ତ ଅନୈତିକତାର ସୀମା ଅତିକ୍ରମ କରିଛି। ଏଭଳି ଲଜ୍ଜାର ସୀମା ରହିବା ଉଚିତ। ଗତ ମାସରେ ଗୁଜରାଟରେ ୭ ବିଧାୟକଙ୍କୁ କିଣି ଦୁଇଟି ରାଜ୍ୟସଭା ଆସନ ପାଇଛନ୍ତି। ମଧ୍ୟପ୍ରଦେଶରେ ୨୪ ବିଧାୟକଙ୍କୁ କିଣି କମଳନାଥଙ୍କ ସରକାରକୁ ଭାଙ୍ଗିବାରେ ସମର୍ଥ ହୋଇଛନ୍ତି। ସେହିଭଳି ଗୋଆ, ମଣିପୁର, ଅରୁଣାଚଳ ପ୍ରଦେଶ ଭଳି ଖେଳ ରାଜସ୍ଥାନରେ ସଫଳ ଦେବ ନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷରେ ବିଜେପି ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ପ୍ରଦେଶ ବିଜେପି ସଭାପତି ସତୀଶ ପୁନିଆ କହିଛନ୍ତି ଯେ ଦୁଇ ଅପରାଧୀଙ୍କ ମଧ୍ୟରେ ଆଲୋଚନାକୁ ନେଇ ଗେହଲଟ ତୁଚ୍ଛା ଅଭିଯୋଗ ଆଣିଛନ୍ତି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ଏହାର ସିବିଆଇ ତଦନ୍ତ ହେବା ଉଚିତ। ସୂଚନାଯୋଗ୍ୟ ଯେ ରାଜ୍ୟ ବିଧାନସଭାର ୨୦୦ ଆସନରୁ କଂଗ୍ରେସର ୧୦୭ ସଦସ୍ୟ ଥିବାବେଳେ ଏହା ଅନ୍ୟ ୩ କ୍ଷୁଦ୍ର ଦଳ ଓ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପାଇଛି।

Comments are closed.