ମରିସ୍‌ଙ୍କୁ ୧୬.୨୫ କୋଟିରେ କିଣିଲା ରାଜସ୍ଥାନ

ଚେନ୍ନଇ: ବିଶ୍ବର ସବୁଠାରୁ ଧନଶାଳୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଇତିହାସରେ ସବୁଠାରୁ ଦାମୀ କ୍ରିକେଟର ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ବରିଷ୍ଠ ଅଲ୍‌ରାଉଣ୍ଡର କ୍ରିସ୍ ମରିସ୍। ଗୁରୁବାର ହୋଇଥିବା ଆଇପିଏଲ୍‌ ନିଲାମରେ ମରିସ୍‌ଙ୍କୁ ରାଜସ୍ଥାନ ରୟାଲ୍‌ସ ୧୬.୨୫ କୋଟି ଟଙ୍କା​ରେ କିଣିଛି। ଆଇପିଏଲ୍‌ ଇତିହାସରେ ଏତେ ଅର୍ଥରେ କୌଣସି ଖେଳାଳି ବିକ୍ରି ହୋଇନଥିଲେ। ମରିସ୍‌ଙ୍କ ମୂଳ ନିଲାମ ମୂଲ୍ୟ ୭୫ ଲକ୍ଷ ଟଙ୍କା ଥିଲା। ୨୦୧୫ରେ ତାରକା ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଯୁବରାଜ ସିଂହଙ୍କୁ ଦିଲ୍ଲୀ କ୍ୟାପିଟାଲ୍‌ସ ୧୬ କୋଟି ଟଙ୍କାରେ କିଣିଥିଲା।

ଗତବର୍ଷ ମରିସ୍‌ଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୧୦ କୋଟି ଟଙ୍କାରେ କିଣିଥିଲା। ତେବେ ପେସ୍ ବୋଲର ଏବଂ ବିସ୍ଫୋରକ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ମରିସ୍ ସେପରି ଭଲ ପ୍ରଦର୍ଶନ କରି ପାରିନଥିଲେ। ଗତବର୍ଷ ମରିସ୍ ଆର୍‌ସିବି ପାଇଁ ମାତ୍ର ୯ଟି ମ୍ୟାଚ୍‌ ଖେଳି ୧୨ଟି ୱିକେଟ ନେଇଥିବା ବେଳେ ମୋଟ ୩୪ ରନ୍ କରିଥିଲେ। ନିକଟରେ ମରିସ୍‌ଙ୍କୁ ଦକ୍ଷିଣ ଆଫ୍ରିକା ଜାତୀୟ ଦଳରୁ ମଧ୍ୟ ବାଦ୍ ଦିଆ ଯାଇଥିଲା। ଅଦ୍ୟାବଧି ମରିସ୍ ୭୦ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୮୦ଟି ୱିକେଟ ନେଇଛନ୍ତି। ଓଭର ପିଛା ମରିସ୍ ୭.୮୧ ରନ୍‌ ଦେଇଛନ୍ତି। ପୁଣି ସେ ୧୫୭ ଷ୍ଟ୍ରାଇକ୍‌ରେଟ୍‌ରେ ​ମୋଟ ୫୫୧ ରନ୍ କରିଛନ୍ତି। ନ୍ୟୁଜିଲାଣ୍ଡର ଯୁବ ଫାଷ୍ଟବୋଲର କାଏଲ୍‌ ଜେମିସନ୍ ଏହି ନିଲାମରେ ୨ୟ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି। ଜେମିସନ୍‌ଙ୍କୁ ୧୫ କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) କିଣିଛି। ସାରାବିଶ୍ବରେ ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଜଣେ ହିରୋ ତଥା ମ୍ୟାଚ୍ ବିଜେତା ଅଷ୍ଟେଲିଆର ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟି ଟଙ୍କାରେ ଆର୍‌ସିବି କିଣିପାରିଛି।

ଗତବର୍ଷ ମ୍ୟାକ୍ସୱେଲ ପଞ୍ଜାବ ପାଇଁ ଖେଳିଥିଲେ ହେଁ ଭଲ ପ୍ରଦର୍ଶନ ନ କରିବାରୁ ପଞ୍ଜାବ ତାଙ୍କୁ ରିଲିଜ୍ କରି ଦେଇଥିଲା। ଅପ୍ରତ୍ୟାଶିତ ଭାବେ ଅଷ୍ଟ୍ରେଲିଆର ଫାଷ୍ଟବୋଲର ଝାଏ ରିଚାର୍ଡସନ୍‌ ୧୪ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ବିଗ୍ ବାସ୍ ଲିଗ୍‌ରେ ଭଲ ପ୍ରଦର୍ଶନ କରିଥିବା ରିଚାର୍ଡସନ୍‌ଙ୍କୁ ୧୪ କୋଟିରେ ପଞ୍ଜାବ କିଣିଛି। କର୍ଣ୍ଣାଟକର ଅଭିଜ୍ଞ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର କୃଷ୍ଣପ୍ପା ଗୌତମଙ୍କୁ ୯.୨୫ କୋଟି ଟଙ୍କାରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚେନ୍ନଇ ସୁପର କିଙ୍ଗ୍‌ସ କିଣିଛି।

ଅଷ୍ଟ୍ରେଲିଆର ଯୁବ ଫାଷ୍ଟବୋଲର ରାଇଲି ମେରିଡିଥ୍‌ଙ୍କୁ ୮ କୋଟି ଟଙ୍କାରେ କିଣି ପଞ୍ଜାବ କିଙ୍ଗ୍‌ସ ସମସ୍ତଙ୍କୁ ଚକିତ କରିଦେଇଛି। ମେରିଡିଥ୍‌ ଅଦ୍ୟାବଧି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିନାହାନ୍ତି। ଇଂଲଣ୍ଡ ଟେଷ୍ଟ ଦଳରୁ ବାଦ୍ ପଡ଼ିଥିବା ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ମୋଇନ୍ ଅଲୀଙ୍କୁ ୭ କୋଟି ଟଙ୍କାରେ ଚେନ୍ନଇ ସୁପର କିଙ୍ଗ୍‌ସ କିଣିଛି। ତାମିଲନାଡୁର ବ୍ୟାଟିଂ ଅଲ୍‌ରାଉଣ୍ଡର ଶାହାରୁଖ୍ ଖାଁ ଘରୋଇ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ କରିବା ଯୋଗୁଁ ଆଇପିଏଲ୍‌ କୋଟିପତି ହୋଇଛନ୍ତି। ଶାହ୍‌ରୁଖ୍‌ଙ୍କୁ ପଞ୍ଜାବ କିଙ୍ଗ୍‌ସ ୫.୨୫ କୋଟି ଟଙ୍କା‌େ​‌ର କିଣିଛି। ଅଷ୍ଟ୍ରେଲିଆର ପେସ୍ ବୋଲର ନାଥାନ୍ କୌଲ୍‌ଟର-ନାଇଲଙ୍କୁ ୫ କୋଟି ଟଙ୍କାରେ ମୁମ୍ବଇ ଇଣ୍ଡିଆନ୍‌ସ କିଣିଛି। ଅଷ୍ଟ୍ରେଲିଆର ବରିଷ୍ଠ ଅଲ୍‌ରାଉଣ୍ଡର ଡାନିଏଲ୍‌ କ୍ରିଷ୍ଟିଆନ୍‌ଙ୍କୁ ୪.୮ କୋଟି ଟଙ୍କାରେ ଆର୍‌ସିବି କିଣିଛି।

ଗତବର୍ଷ ଆର୍‌ସିବି ପାଇଁ ଖେଳିଥିବା ମୁମ୍ବଇର ଯୁବ ଅଲ୍‌ରାଉଣ୍ଡର ଶିବମ୍ ଦୁବେଙ୍କୁ ୪.୪ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍‌ସ କିଣିଛି। ନ୍ୟୁଜିଲାଣ୍ଡର ଆଡାମ୍ ମିଲ୍‌ନଙ୍କୁ ୩.୨ କୋଟି ଟଙ୍କାରେ ମୁମ୍ବଇ ଇଣ୍ଡିଆନ୍‌ସ କିଣିଛି। ବାଂଲାଦେଶର ଅଭିଜ୍ଞ ଅଲ୍‌ରାଉଣ୍ଡର ସାକିବ୍ ଅଲ୍ ହାସନ୍‌ ଅଧିକ ମୂଲ୍ୟରେ ବିକ୍ରିହେବେ ବୋଲି ଆଶା କରା ଯାଉଥିଲେ ହେଁ ୩.୨୦ କୋଟି ଟଙ୍କା ମୂଲ୍ୟରେ ସାକିବ୍ ତାଙ୍କ ପୁରୁଣା ଦଳ କେକେଆର୍‌ରେ ସାମିଲ ହୋଇଛନ୍ତି।

Comments are closed.