କବାଟ ନ ଥିବା ଗାଁ, ପର୍ଯ୍ୟଟନରେ ନାହିଁ ନାଁ

ରାଜକନିକା: ଏମିତି ଏକ ଗାଁଟିଏ ଅଛି, ଯେଉଁ ଗାଁକୁ କେବେ ହେଲେ ଚୋର ଚୋରି କରିବାକୁ ଆସିନାହିଁ କି କେବେ ପୁଲିସ କୌଣସି ମୋକଦ୍ଦମା ପାଇଁ ଯାଇ ନାହିଁ। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ,ଏହି ଗାଁର କୌଣସି ଘରେ କବାଟ ନାହିଁ। ଲୋକଙ୍କର ବିଶ୍ୱାସ ଯେ, ମା’ ଖରାଖାଇ କବାଟ ଭଳି ଜଗି ରହିଛନ୍ତି ସମସ୍ତଙ୍କ ଦୁଆରକୁ। ଦେଲେ ଦୁଃଖର କଥା ଏଭଳି ଗାଁ ଓଡ଼ିଶାରେ ଅନ୍ୟ କେଉଁ ସ୍ଥାନରେ ନାହିଁ। ହେଲେ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥାନ ଭାବରେ ଏହି ଗାଁର ନାଁ ନାହିଁ। କେବଳ ଭାରତରେ ମହାରାଷ୍ଟ୍ରର ସନି ସିଗ୍ନାପୁରରେ ଏଭଳି ଚିତ୍ର ଦେଖିବାକୁ ମିଳେ। ଯେଉଁଠି ଗାଁରେ କବାଟ ନାହିଁ। ମହାରାଷ୍ଟ୍ର ସରକାର ଏହି ଗାଁକୁ ପର୍ଯ୍ୟଟନର ମାନ୍ୟତା ଦେଇ ଏହାର ପ୍ରଚାର ପ୍ରସାର କରାଇଥିବାରୁ ପ୍ରତିଦିନ ୪୦ ହଜାରରୁ ଅଧିକ ପର୍ଯ୍ୟଟକ ଏହି ଗାଁକୁ ଦେଖିବାକୁ ଆସିଥାନ୍ତି। ହେଲେ ଓଡ଼ିଶା ସରକାର ଏହି ସିଆଳିଆ ଗାଁକୁ ପର୍ଯ୍ୟଟନ ଗାଁ ହିସାବରେ ଗ୍ରହଣ ନ କରିବାରୁ ଦୀର୍ଘଦିନ ଧରି ରାଜକନିକା ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି କବାଟ ନ ଥିବା ଗାଁ ଶିଆଳିଆକୁ ପର୍ଯ୍ୟଟନର ମାନ୍ୟତା ଦେବା ସହିତ ଆନୁଷଙ୍ଗିକ ଭିତ୍ତିଭୂମିର ବ୍ୟବସ୍ଥା କଲେ କେନ୍ଦ୍ରାପଡ଼ା ଜିଲାର ପର୍ଯ୍ୟଟନର ବିକାଶ ଅଧିକ ହୋଇପାରିବ ବୋଲି ସାଧାରଣରେ କୁହାଯାଇଛି।

କେନ୍ଦ୍ରାପଡ଼ା ଜିଲାର ଉତ୍ତର ଦିଗକୁ ଗଲେ ପଡ଼େ ଓଡ଼ିଶାର ଐତିହ୍ୟପୂର୍ଣ୍ଣ ବ୍ଲକ୍‍ ରାଜକନିକା। ରାଜକନିକାର ସଦର ମହକୁମାର କଟକ-ଚାନ୍ଦବାଲି ରାସ୍ତାର ପୂର୍ବ ଦିଗକୁ ୩ କିଲୋମିଟର ଗଲେ ପଡ଼େ ଏଇ କବାଟ ନ ଥିବା ଗାଁ ସିଆଳିଆ। ୩୨ ପରିବାରଙ୍କ ଛୋଟବଡ଼ ଚାଳଛପର ଘରଗୁଡ଼ିକ ଲମ୍ବି ରହିଛି। ଗାଁର ଉତ୍ତର ଦିଗକୁ ଶେଷମୁଣ୍ଡରେ ପ୍ରସିଦ୍ଧ ଗ୍ରାମଦେବତୀ ମା’ ଖରାଖାଇଙ୍କ ପୀଠସ୍ଥଳ। ଖରାଖାଇଙ୍କ ଆସ୍ଥାନ ଚତୁର୍ଦିଗରେ ଭରି ରହିଛି ଅନେକ ପ୍ରକାରର ବୃକ୍ଷଲତା। କି ଖରା କି ବର୍ଷା ସବୁ ସମୟରେ ମା’ ଖରାଖାଇ ସେମିତି ଛାତ ବିହୀନ ମୁକ୍ତ ଆକାଶ ତଳେ ପୂଜା ପାଉଛନ୍ତି। ସେଥି ପାଇଁ ମା’ଙ୍କ ନାମ ଖରାଖାଇ ଠାକୁରାଣୀ ବୋଲି ଲୋକେ କହିଆସୁଛନ୍ତି। ଠାକୁରାଣୀଙ୍କ ଉପରେ ଭରସା ରଖି ସକଳ ସୁଖ ଆନନ୍ଦଭରା ଜୀବନ ଯାପନ କରି ଆସୁଛନ୍ତି ଗ୍ରାମବାସୀ। ଗ୍ରାମବାସୀଙ୍କ କାହାରି ଘରେ କବାଟ ନାହିଁ କି ଦୁଆର ବନ୍ଦ ନାହିଁ। କି ଧନୀ କି ଗରିବ ସମସ୍ତେ ଏହି ଆଦର୍ଶ ପରମ୍ପରାର ଅନୁଗାମୀ। ଏହି ଗାଁରେ କୌଣସି ଦିନ ବାଦବିବାଦ କିମ୍ବା ସାମୟିକ ଭାବେ କଳହ ଦେଖାଦେଲେ ତାହା ସେହି ଗ୍ରାମରେ ହିଁ ତୁଟିଯାଏ। କବାଟ ନ ଥିଲେ ମଧ୍ୟ ଗାଁରେ କେବେ କାହା ଘରୁ ଚୋରି ହୁଏ ନାହିଁ। ପୁଲିସ କେବେ ସେହି ଗ୍ରାମକୁ ଯାଇନାହିଁ। ଏ ପର୍ଯ୍ୟନ୍ତ କୋର୍ଟ କଚେରିରେ କୌଣସି ​ମୋକଦ୍ଦମା ହୋଇନାହିଁ। କୁକୁର ବିଲେଇଙ୍କ ପାଇଁ ସମସ୍ତ ଦୁଆର ମୁହଁରେ ଖଣ୍ଡେ ଖଣ୍ଡେ ବାଉଁଶର ତାଟି କୁ ଆଉଜେଇ ଦିଅନ୍ତି। ପ୍ରତି ମଙ୍ଗଳବାର ଓ ଶନିବାର ମା’ଙ୍କ ନିକରେ ପ୍ରବଳ ଭିଡ଼ ହୁଏ। ମା’ଙ୍କ ପାଦୁକା ପାନ କରି ଲୋକମାନେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଉଛନ୍ତି। ଏହା ସହିତ ମା’ଙ୍କ ପାଖରେ ମାନସିକ କଲେ ତାହା ନିଶ୍ଛୟ ପୂରଣ ହେଉଥିବାର ଲୋକମାନେ କହୁଛନ୍ତି। ଫଳରେ ମାନସିକ ପୂରଣ ପରେ ମା’ଙ୍କ ନିକଟରେ ମାଟି ଘୋଡ଼ାକୁ ଦେଇ ଭୋଗ କରନ୍ତି। ବର୍ତ୍ତମାନ ଏହି ପୀଠର ଚାରିକଡ଼଼ରେ ରହିଛି ଲକ୍ଷାଧିକ ମାଟି ଘୋଡ଼ା। ଯାହାକି ଭକ୍ତଙ୍କର ମ​ନୋସ୍କାମନା ପୂରଣ ହେଉଥିବାର ଏଥିରୁ ଜଣାଯାଏ। କାର୍ତ୍ତିକ ପୂର୍ଣ୍ଣିମା ଓ ପଣାସଂକ୍ରାନ୍ତି ସହିତ ମା’ ଙ୍କ ପର୍ବପର୍ବାଣିରେ ଯଜ୍ଞ ସହିତ ସ୍ୱତନ୍ତ୍ର ପୂ​ଜାଉତ୍ସବ ଅନୁଷ୍ଠିତ ହୁଏ। ଏହି ଉତ୍ସବ ଦେଖିବା ପାଇଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଲୋକମାନେ ଶିଆଳିଆ ଆସନ୍ତି। ଏହି ଗାଁକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେବା ପାଇଁ ସାଧାରଣରେ ଦାବି ହେଉଛି।

Comments
Loading...