ପ୍ୟାକ୍ସଗୁଡ଼ିକରେ ପର୍ଯ୍ୟାପ୍ତ ବିହନ ଓ ସାର ରଖିବା ଉପରେ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର : କୋଭିଡ ସଂକ୍ରମଣ ପରିପ୍ରେକ୍ଷୀରେ ଚଳିତ ଖରିଫ ଚାଷ ନିମନ୍ତେ ଚାଷୀମାନଙ୍କୁ ବିହନ ଓ ସାର ଯୋଗାଣ ନିମନ୍ତେ ରାଜ୍ୟର ପ୍ୟାକ୍ସ ଓ ଲ୍ୟାମ୍ପ୍ସଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ବିହନ ଓ ସାର ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ବିହନ ଓ ସାର ଯୋଗାଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଲୋକସେବା ଭବନଠାରେ ମନ୍ତ୍ରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ବୀର ବିକ୍ରମ ଯାଦବ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦେଶକ ଦେବେନ୍ଦ୍ର କୁମାର ଜେନା, ସମବାୟ ବ୍ୟାଙ୍କ ସମିତି ସମୁହର ନିବନ୍ଧକ ବିଭୁତି ଭୂଷଣ ପଟ୍ଟନାୟକଙ୍କ ସମେତ ମାର୍କଫେଡର ପରିଚାଳନା ନିର୍ଦେଶକ ଯୋଗ ଦେଇଥିଲେ। ପ୍ୟାକ୍ସ୍‌ଗୁଡ଼ିକରେ ସାର ମହଜୁଦ ରଖିବା ଦିଗରେ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଣ କରିବା ପାଇଁ କେନ୍ଦ୍ର ସାର ମନ୍ତ୍ରଣାଳୟ ସହିତ ନିୟମିତ ଯୋଗାଯୋଗ ରଖିବା ଦିଗରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଚାଷୀମାନେ ଯେପରି ସହଜରେ ଖରିଫ ଚାଷ ନିମନ୍ତେ ଫସଲ ଋଣ ପାଇପାରିବେ ସେଥିନିମନ୍ତେ ଅଧିକାରୀମାନେ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ସ୍ୱାଇଁ ଗୁରୁତ୍ୱ ଦେଇଥିଲେ। ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଯୁଗ୍ମଦେୟ ଗୋଷ୍ଠୀମାନଙ୍କୁ ପା୍ରଥମିକତା ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ। ଏଥିସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମବାୟ ବ୍ୟାଙ୍କ ମାଧ୍ୟମରେ ଅଧିକରୁ ଅଧିକ ସ୍ୱଳ୍ପକାଳୀନ ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦେବା ପାଇଁ ମନ୍ତ୍ରୀ କହିଥିଲେ। ଏତଦ୍‌ବ୍ୟତୀତ ରାଜ୍ୟରେ ରବିଧାନ ସଂଗ୍ରହ ସହିତ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ୟାକ୍ସ୍‌ ଓ ଲ୍ୟାମ୍ପ୍ସ୍‌ ଦ୍ୱାରା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କ ଠାରୁ ମୁଗ, ବିରି, ଚିନାବାଦାମ ଏବଂ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଇଛି।

Comments are closed.