ଆନନ୍ଦର ପର୍ବ ରଜ ; ୨ୟ ଦିନ ରଜ ସଂକ୍ରାନ୍ତି

‘’ରଜ ଦୋଳି କଟକଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ’’
ବରଷକେ ଥରେ ଆସିଥାଏ ଆନନ୍ଦ ଉଲ୍ଲାସର ପର୍ବ ରଜ। ୩ ଦିନ ଧରି ଖୁବ ହସଖୁସିରେ ଏହାକୁ ପାଳନ କରାଯାଏ। ପ୍ରଥମ ଦିନ ପହିଲି ରଜ , ୨ୟ ଦିନ ରଜ ସଂକ୍ରାନ୍ତି ଓ ୩ୟ ଦିନ ଭୂମି ଦହନ ବା ବସୁମତୀ ସ୍ନାନ। ପ୍ରତ୍ୟେକ ମାସରେ ଗୋଟିଏ ସଂକ୍ରାନ୍ତି ସାଧାରଣ ଭାବେ ପଡ଼ିଥାଏ। ସୂର୍ଯ୍ୟଙ୍କର ଏକ ରାଶିରୁ ଅନ୍ୟ ଏକ ରାଶି ପରିବର୍ତନକୁ ସଂକ୍ରାନ୍ତି କୁହାଯାଏ। ରଜ ସଂକ୍ରାନ୍ତିଙ୍କୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହି ଦିନ ମଧ୍ୟ ପିହିଲି ରଜ ଭଳି କୁମାରୀ କନ୍ୟାମାନେ ସୂର୍ଯ୍ୟଉଦୟ ପୂର୍ବରୁ ସ୍ନାନ କରି ନୂତନ ବସ୍ତ୍ର ପିନ୍ଧିଥାଆନ୍ତି। ହସ୍ତରେ ଚୁଡ଼ି ପାଦରେ ଅଳତା ମଥାରେ ଟିକିଲି ପିନ୍ଧି ରଜ ମଉଜର ମଜା ନେଇଥାଆନ୍ତି। ସଂକ୍ରାନ୍ତି ହୋଇଥିବାରୁ ସାଧାରଣତଃ ଏହି ଦିନ ଆମିଷ ଖିଆଯାଏ ନାହିଁ। ମାତ୍ର ଅନ୍ୟାନ୍ୟ ପିଠାପଣା ଓ ରଜ ପାନ ଖାଇଥାଆନ୍ତି। ନିଜ ସଙ୍ଗାତଙ୍କୁ ଘରକୁ ଭ୍ରମଣ ପାଇଁ ଯାଆନ୍ତି। ଏକାଠି ମିଶି ଦୋଳି ଖେଳି ରଜ ଗୀତ ଗାଇ ଥାଆନ୍ତି। ଏହାସହ ପରମ୍ପରା ଅନୁଯାୟୀ ରଜ ୩ ଦିନ ଯାକ କୁଆଁରୀ କନ୍ୟାମାନେ ଭୂମିରେ ଖାଲି ପାଦରେ ଚାଲିବାକୁ ବାରଣ କରାଯାଇଥାଏ। ତେଣୁ ଖାଲି ପାଦରେ କନ୍ୟାମାନେ ଏହି ୩ଦିନ ଭୂମିରେ ଚାଲନ୍ତି ନାହିଁ।

Comments are closed.