ବହୁ ଚର୍ଚ୍ଚିତ ରାଜା ନିଖୋଜ ଘଟଣାରେ ବୌଦ୍ଧ ପୁଲିସକୁ ବଡ ସଫଳତା ; ଦୁଇ ଅଭିଯୁକ୍ତ ଗିରଫ

ବୌଦ୍ଧ :  ବୌଦ୍ଧର ବହୁ ଚର୍ଚ୍ଚିତ ମୋବାଇଲ ବ୍ୟବସାୟୀ ପ୍ରମୋଦ ପ୍ରସାଦ(ରାଜା) ନିଖୋଜ ଘଟଣାର ପର୍ଦ୍ଦାଫାସ କରିବାରେ ବୌଦ୍ଧ ପୁଲିସକୁ ବଡ ସଫଳତା ମିଳିଛି। ବୌଦ୍ଧ ଏସପି ଭି ରଘୁନାଥ ରାଓ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ମୁତାବକ ମୋବାଇଲ ଦୋକାନୀ ରାଜା ନିଖୋଜ ଘଟଣା ଏକ ସୁପରି କଳ୍ପିତ ହତ୍ୟାକାଣ୍ଡ ବୋଲି ପ୍ରକାଶ କରିଛନ୍ତି। ରାଜାକୁ ହତ୍ୟା ପରେ ଶବକୁ ପୋଡି ହତ୍ୟାକାରୀମାନେ ମହାନଦୀରେ ଭସାଇ ଦେଇଥିବା ଜଣାପଡିଛି।

ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ ଗତ ୧୧ ତାରିଖ ଦିନ ସନ୍ଧ୍ୟାରେ ରାଜା ନିଜ ପୋଡାପଡାସ୍ଥିତ ଘରେ ଥିବାବେଳେ ତାଙ୍କ ମୋବାଇଲକୁ ଅଭିଷେକ ସାହାଣୀଙ୍କ ମୋବାଇଲରୁ ଏକ ଫୋନ କଲ ଆସିଥିଲା। କିଛି ସମୟ କଥା ହେବାପରେ ରାଜା ଘରୁ ବାହାରକୁ ଆସିଥିଲା। ପୋଡାପଡାର ମିଲନ ପାତ୍ର(୨୮) ଓ ଅଭିଷେକ ସାହାଣୀ (୧୯) ରାଜାକୁ ଏକ ବାଇକ୍ ରେ ବସାଇ କ୍ଲବ ଆଡେ ଯିବା କହି ସଙ୍ଗରେ ନେଇଯାଇଥିଲେ। ସାହି ଭିତରେ ମିଲନ ଚଳାଉଥିବା ଏକ ଜିମକୁ ରାଜାକୁ ନେବାପରେ ଅଭିଷେକକୁ ଗେଟରେ ଜଗାଇ ମିଲନ ରାଜାକୁ ଛାତ ଉପରକୁ ନେଇଯାଇଥିଲା। ସେଠାରେ ଅଭିଯୁକ୍ତ ମିଲନ ହଠାତ୍ ରାଜା ପେଟରେ ଏକ ଛୁରୀ ଭୁଷି ଦେବାରୁ ସେ ତଳେ ପଡିଯାଇଥିଲା ଏବଂ ଚିତ୍କାର କରିବା ଭୟରେ ମିଲନ ରାଜା ପାଟିକୁ ହାତରେ ଚାପି ଧରିବା ସହିତ ଅନ୍ୟ ହାତରେ ତାର ଗଳା ଦବାଇ ଦେଇଥିଲା। ରାଜାର ମୃତ୍ୟୁ ହୋଇଯାଇଥିବା ସୁନିଶ୍ଚିତ ହେବାପରେ ମିଲନ ତାର ପକେଟରୁ ମୋବାଇଲ ବାହାର କରି ଅଭିଷେକକୁ ଆସିବାକୁ କହିଥିଲା। ଅଭିଷେକ ଫେରିବା ସମୟ ଭିତରେ ରାଜାର ଶବକୁ ମିଲନ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଏକ ପଲିଥିନରେ ଗୁଡାଇ ବାନ୍ଧି ଦେଇଥିଲା। ଅଭିଷେକ ଓ ମିଲନ ରାଜାର ଶବକୁ ଜିମ୍‌ର ଛାତ ଉପରୁ ମହାନଦୀକୁ ଫିଙ୍ଗି ଦେଇଥିଲେ। ହତ୍ୟାକାଣ୍ଡ ଘଟାଇବା ପରେ ଜିମରୁ ଫେରି ମିଲନ ଓ ଅଭିଷେକ ଏକାଠି ଆଇପିଏଲ ଦେଖିଥିଲେ। ପରେ ରାତି ପ୍ରାୟ ୧ ଟା ବେଳେ ଉଭୟ ମହାନଦୀ ଭିତରକୁ ଯାଇ ଫିଙ୍ଗିଥିବା ସ୍ଥାନରୁ ଶବକୁ ଉଠାଇ ପ୍ରାୟ ୪୦ ମିଟର ବୋହି ନେଇଥିଲେ ଏବଂ ପେଟ୍ରୋଲ ଓ କାଠ ସାହାଯ୍ୟରେ ଶବକୁ ପୋଡି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ନଦୀକୁ ଫିଙ୍ଗି ଦେଇଥିଲେ।

ଗତ ୧୪ ତାରିଖ ଦିନ ମହାନଦୀରେ ମର୍ଜାକୁଦକୁ ନିର୍ମାଣାଧିନ ପୋଲ ନିକଟରେ ଏକ କଙ୍କାଳ ପଡି କାଉ ଶାଗୁଣା ଖାଉଥିବା ସୂଚନା ପାଇ  ପୁଲିସ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଯାଞ୍ଚ୍ ପାଇଁ ବୁର୍ଲା କୁ ପଠାଇଥିଲା। ରାଜାକୁ ତାଙ୍କ ପିତା ଗୋପାଲଜୀ ପ୍ରସାଦ ଖୋଜାଖୋଜି କରିବା ପରେ ନପାଇ ବୌଦ୍ଧ ଥାନାରେ ଲିଖିତ ଭାବରେ ଜଣାଇଥିଲେ। ପ୍ରଥମେ ପୁଲିସ ରାଜା ନିଖୋଜ ହେବା ଘଟଣାକୁ ହାଲକା ଭାବରେ ଗ୍ରହଣ କରି ସେ ବାହାରକୁ କୁଆଡେ ତାର ସାଙ୍ଗମାନଙ୍କ ସହ ଚାଲିଯାଇଥିବା ସନ୍ଦେହ କରିଥିଲା। କିନ୍ତୁ ରାଜା ସଂପର୍କରେ କୌଣସି ସୂଚନା ନମିଳିବା ପରେ ସହରରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ରାଜାର ବନ୍ଧୁ ଓ ବଣିକ ସଂଘ ପକ୍ଷରୁ ରାଜା ମାମଲାର ତଦନ୍ତ କରିବାକୁ ଜିଲାପାଳ  ଓ ଏସପିଙ୍କୁ  ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହାପରେ ପୁଲିସ ଘଟଣାକୁ ଗୁରୁତର ସହିତ ନେଇ ରାଜା ନିଖୋଜ ମାମଲାର ତଦନ୍ତ ଆରମ୍ଭ କରିଥିଲା। ରାଜାର ମୋବାଇଲ କଲ ରେକର୍ଡକୁ ଯାଞ୍ଚ କରାଯିବାପରେ ଅଭିଷେକ ସାହାଣୀର ମୋବାଇଲରୁ ଶେଷ ଫୋନ ଆସିଥିବା ଜଣାପଡିଥିଲା। ଏହାକୁ ଆଧାର କରି ପୁଲିସ ତଦନ୍ତ କରିବା ସହିତ ମିଲନ ଓ ଅଭିଷେକକୁ ଭୁବନେଶ୍ୱରର ଜାଗମରା ରୁ ଧରି ବୌଦ୍ଧ ଆଣିଥିଲା। ଥାନାରେ ପଚରା ଉଚୁରା ପରେ କୌଣସି ସୂଚନା ନପାଇ ପୁଲିସ ଉଭୟଙ୍କୁ ପ୍ରତିଦିନ ଥାନାରେ ହାଜିରା ଦେବାକୁ ଏବଂ ସହର ଛାଡି ନଯିବାକୁ କହି ଛାଡି ଦେଇଥିଲା। ଏହି ମାମଲାର ତଦନ୍ତ କରି ପୁଲିସ ମିଲନ ଓ ଅଭିଷେକ ରାଜାକୁ ଘରୁ ଡାକି ନେଇଥିବା ଜାଣିପାରିବା ସହିତ ୨୬ ତାରିଖ ଦିନ ପୁଣି ସେମାନଙ୍କୁ ଥାନାକୁ ଆଣି ପଚରା ଉଚୁରା କରିଥିଲା। ଶେଷରେ ଉଭୟ ଅଭିଯୁକ୍ତ, ରାଜାକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ।

ରାଜା ହତ୍ୟାକାଣ୍ଡର କାରଣ ସଂପର୍କରେ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ ରାଜା କିଛିଦିନ ତଳେ ମିଲନକୁ ମୋବାଇଲରେ ଏକ ମାଉଜର(ପିସ୍ତଲ) ର ଫୋଟ ଦେଖାଇ କିଣିବାକୁ ପଚାରିଥିଲା। ମିଲନ ସେଥିରେ ରାଜି ହେବା ସହିତ ରାଜାକୁ କିସ୍ତିରେ ୩୫ ହଜାର ଟଙ୍କା ପ୍ରଦାନ କରିଥିଲା। କିନ୍ତୁ ରାଜା ମାଉଜର ଦେବାକୁ ସମୟ ଗଡାଇ ଚାଲିବାରୁ ଶେଷରେ ମିଲନ ତାକୁ ହତ୍ୟା କରି ପ୍ରତିଶୋଧ ନେବାକୁ ଯୋଜନା ପ୍ରସ୍ତୁତ କରିଥିଲା ଏବଂ ଯୋଜନା ମୁତାବକ ଅଭିଷେକ ସହିତ ମିଶି ହତ୍ୟାକାଣ୍ଡ ଘଟଣାକୁ ରୂପ ଦେଇଥିଲା। ଗତ ୧୪ ତାରିଖରେ ମହାନଦୀରୁ ଉଦ୍ଧାର ହୋଇଥିବା କଙ୍କାଳ, ମୋବାଇଲ ବ୍ୟବସାୟୀ ରାଜାର ବୋଲି ପୁଲିସ ଦାବି କରିବା ସହିତ ବୁର୍ଲାର ଏଫଏମଟି ରେ ଥିବା ଉକ୍ତ କଙ୍କାଳର ଡିଏନଏ ଓ ସମସ୍ତ ପ୍ରକାର ଯାଞ୍ଚ ପ୍ରକ୍ରିୟା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ସହିତ ଦୁଇଟି ମୋଟର ସାଇକେଲକୁ ପୁଲିସ ଜବତ କରିବା ସହ ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପ୍ରକାଶ କରିଛି। ଏସପି ଭି.ରଘୁନାଥ ରାଓ ଏବଂ ଏସଡିପିଓ ସାଲେଷ୍ଟିନ ଟିଗାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର ଏହି ହତ୍ୟାକାଣ୍ଡ ମାମଲାର ତଦନ୍ତ କରି ପର୍ଦ୍ଦାଫାସ କରିବାରେ ସଫଳ ହୋଇଥିଲେ।

 

Comments are closed.