ବନସ୍ତେ ଡାକିଲା ଗଜ…

ଶନିବାର ସଜବାଜ, ରବିବାର ପହିଲି ରଜ

ଗ୍ରୀଷ୍ମର ହୁତାଶନ ଜ୍ୱାଳାରେ ଅତିଷ୍ଠ ହୋଇ ପୃଥିବୀ ଚାତକ ପରି ଚାହିଁଥାଏ ପହିଲି ଆଷାଢ଼ର ବର୍ଷା ଟୋପାକୁ। ଏଇ ବର୍ଷା ବିନ୍ଦୁ ପୃଥିବୀକୁ ରଜସ୍ୱଳା କରେ। ଆକାଶ ଓ ପୃଥିବୀର ମିଳନ ଏହି ମୁହୂର୍ତ୍ତକୁ ମଧୁମୟ କରିଦିଏ। ସୃଷ୍ଟି ସଂରଚନା ଏବଂ ପାଳନର ପର୍ବ ଆରମ୍ଭ ହୁଏ। ଶସ୍ୟସମ୍ଭବା ପ୍ରକୃତିକୁ ବିଶ୍ରାମ ଦେବା ଏବଂ ଆଗତ ଅମଳର ସ୍ବପ୍ନରେ ଉଲ୍ଲସିତ ହୋଇ ଓଡ଼ିଶାର ପୁରପଲ୍ଲୀ ପାଳନ କରନ୍ତି ରଜ ପର୍ବ। ରଜ ଓଡ଼ିଶାର ଏକ ଗଣପର୍ବ। ଏ ବର୍ଷ ମହାମାରୀ କରୋନା ସଂକ୍ରମଣରେ ରଜ ପାଳନ ପ୍ରସ୍ତୁତି ପର୍ବ ଫିକା ପଡିଛି ସିନା, ରଜକୁ ସ୍ବାଗତ କରିବାର ପରମ୍ପରାକୁ ନେଇ ଓଡ଼ିଆ ମନରେ କିଛି ବି ଅଭାବ ଦେଖାଯାଉନାହିଁ।

ଗ୍ରୀଷ୍ମ ଶେଷ, ଆଷାଢର ଆରମ୍ଭରେ ରଜ ଆସେ। ଧରାରେ ବର୍ଷାର ପ୍ରଥମ ସ୍ପର୍ଶର ସୁଗନ୍ଧ ମାଟିରୁ ଆକାଶ ଯାଏ ମହକାଇଦିଏ। ଜମିରେ ସୁନା ଫସଲ ଫଳାଇ ଅମଳରେ ନିଜ ଅମାର ଭରିବା ସ୍ବପ୍ନରେ ବିଭୋର ହୁଏ ଚାଷୀ। ମାଟିକୁ ଟିକେ ସାଷ୍ଟମ କରିବା ଲାଗି ବିଶ୍ରାମ ଦିଆଯାଏ। ପାଳିତ ହୁଏ କୃଷିଭିତ୍ତିକ ପର୍ବ ରଜ। ‌ମା’ ମାଟିର ମହନୀୟତାକୁ ପ୍ରତିପାଦିତ କରିବା ସହିତ ଭ୍ରାତୃତ୍ୱଭାବର ଭିତ୍ତି ସୁଦୃଢ କରେ।
ଓଡ଼ିଶାର ପ୍ରାଚୀନତମ ପର୍ବ ଭାବେ ପରିଗଣିତ ରଜ ବଣ୍ଡା, ଧରୁଆ, ସଅର ଆଦି ଜନଜାତିଙ୍କ ପୋଡୁଚାଷ ପରମ୍ପରା ସହିତ ଜଡିତ ବୋଲି କେତେକ ଐତିହାସିକ ମତ ଦିଅନ୍ତି। ଏହି ଜନଜାତିମାନେ ପ୍ରତିଥର ଜଙ୍ଗଲର କିଛିକିଛି ଭାଗ ପୋଡି ପୋଡୁଚାଷ ଲାଗି ପ୍ରସ୍ତୁତି କରିଥାନ୍ତି। ଜଙ୍ଗଲ ପୋଡିବା ପରେ ଯେଉଁ ପାଉଁଶ ରହେ ତା’କୁ ଚାଷ ଲାଗି ଉଦ୍ଦିଷ୍ଟ ଭାଗରେ ବୁଣିଦେଇ ମୌସୁମୀକୁ ଅପେକ୍ଷା କରିରହନ୍ତି ସେମାନେ।
ଏହି ସମୟରେ କୃଷିକ୍ଷେତ୍ର ପ୍ରସ୍ତୁତ ହେଉଥିବାରୁ ଧରିତ୍ରୀକୁ କୌଣସି ପ୍ରକାର ଆଘାତ ଦିଆଯାଏ ନାହିଁ। ଏପରିକି ଗଛରୁ ଫୁଲ, ଫଳ ବି ତୋଳାଯାଏ ନାହିଁ। ଏହି ଅବସର ମୁହୂର୍ତ୍ତକୁ ଜନଜାତିମାନେ ନୃତ୍ୟଗୀତ ମଧ୍ୟରେ ବିତାଇଥାନ୍ତି। ଧୀରେଧୀରେ ଏହି ଚଳଣି ସାଧାରଣ ଜନଜୀବନକୁ ପ୍ରବେଶ କରିଥିଲା ଏବଂ ରଜ ଏକ ଗଣପର୍ବରେ ପରିଣତ ହେଲା ବୋଲି କୁହାଯାଏ। ଜନଜାତି ସଂସ୍କୃତିରେ ସେମାନେ ବଣର ଫଳମୂଳ, କୋଳି ଆଦି ଖାଉଥିବା ବେଳେ ଏବେ ପିଠା ଓ ମିଠା ଆଧୁନିକ ରଜରେ ମୁଖ୍ୟ ଖାଦ୍ୟ ପାଲଟିଛି। ଓଡ଼ିଶାର ପୁରପଲ୍ଲୀରେ ରଜପର୍ବର ଗୁରୁତ୍ବ ଖୁବ୍‌ ଅଧିକ। ଏହି ପର୍ବ ମୁଖ୍ୟତଃ ତିନିଦିନର ହୋଇଥିଲେ ବି ଏହାର ପୂର୍ବଦିନ ସଜବାଜ (କେତେକ ସ୍ଥାନରେ ପାଣିବୁହା ବୋଲି ବି କହନ୍ତି) ଏବଂ ଶେଷଦିନ ବସୁମତି ସ୍ନାନକୁ ମିଶାଇ ଏହା ପାଞ୍ଚଦିନ ଧରି ପାଳିତ ହୋଇଥାଏ। ରଜର ମୁଖ୍ୟ ତିନିଦିନ ହେଲା- ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଭୂମିଦହନ। ପହିଲି ରଜର ପୂର୍ବଦିନ ସଜବାଜ ହୋଇ ରଜ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇଥାନ୍ତି। କାରଣ, ରଜର ତିନିଦିନଯାକ ମହିଳାମାନଙ୍କୁ କାମ କରିବା ମନା। ବିଶେଷକରି ଝିଅ ଏବଂ ନୂଆବୋହୂମାନଙ୍କୁ କାମ କରିବାକୁ ଦିଆଯାଏ ନାହିଁ। ପୃଥିବୀକୁ କଷ୍ଟ ହେବ ବୋଲି ଛେଚା, କୁଟା, ବଟା, ଘଷା ଆଦି କାମ ବନ୍ଦ ରଖାଯାଏ। ଚାଷୀମାନେ ବି ହଳ, ଲଙ୍ଗଳ ରଖିଦେଇ ଆମୋଦପ୍ରମୋଦରେ ଲାଗିଯା’ନ୍ତି। କାରଣ, ଏହାପରେ ଆରମ୍ଭ ହୋଇଯାଏ ମାଟି ସହ ମାଟି ହୋଇ ଖଟିବାର ସମୟ। ଭୂମିଦହନ ପରଦିନ ବସୁମତି ସ୍ନାନ ପରେ ରଜକୁ ବିଦାୟ ଦିଆଯାଏ ଆରବର୍ଷ ଯାଏଁ।

ରଜପାନ ଓ ପୋଡ଼ପିଠାର ମହତ୍ତ୍ବ

ଭାରତୀୟ ପରମ୍ପରାରେ ପ୍ରତ୍ୟେକ ପୂଜାପର୍ବରେ ପାନ ଲୋଡାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ବିଡିଆ ପାନ ନଖାଇଲେ ଷାଠିଏ ପଉଟି ଭୋଗ ବି ତାଙ୍କୁ ଅରୁଚିକର ଲାଗେ। ସୁବାସିତ ପାନ ମନ କିଣିନେବା ଲାଗି ରଜର ଅନ୍ୟତମ ବିଶେଷତ୍ୱ। ପାନର ବି ସ୍ୱାସ୍ଥ୍ୟ ଉପକାରିତା ରହିଛି। ରଜପାନରେ ନଡିଆ କୋରା, ଶୁଖିଲା ଗୋଲାପ ପାଖୁଡା, ଲବଙ୍ଗ, ପାନମହୁରି, ଖଇର ଆଦି ବ୍ୟବହାର କରାଯାଏ। ଅବଶ୍ୟ କଡା ପାନ ଖାଉଥିବା ଲୋକ ସେଥିରେ ତମାଖୁଜାତୀୟ ଦ୍ରବ୍ୟ ମିଶାନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ପାନପତ୍ରର ହଜମକାରକ ଗୁଣ ଅଛି। ଏହା ଯେକୌଣସି ଗରିଷ୍ଠ ଖାଦ୍ୟକୁ ସହଜରେ ହଜମ କରାଇବାରେ ସହାୟକ ହୋଇଥାଏ। ରଜପର୍ବ ଅବସରରେ ପୋଡପିଠା ଏବଂ ଅନ୍ୟାନ୍ୟ ଗରିଷ୍ଠ ଖାଦ୍ୟ ଖିଆଯାଉଥିବାରୁ ହଜମ ଲାଗି ପାନ ଏହି ପରମ୍ପରାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କୁହାଯାଇପାରେ। ପାନପତ୍ର ଶୀତଳ ପ୍ରକୃତିର ହୋଇଥିବାରୁ ମୁଣ୍ଡବ୍ୟଥା ଦୂର କରିପାରେ। ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଖାଦ୍ୟର ସ୍ୱାଦ ସମ୍ପୂର୍ଣ୍ଣ କରିବା ଲାଗି ପାନ ବେଶ୍‌ ଉପକାରୀ। ପାନ ମଧ୍ୟ ମେଦବହୁଳତା ହ୍ରାସ କରିବାରେ ସହାୟକ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ୱ ଥିବାରୁ ଏହା ମୁଖ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ। ଖାଇବାକୁ ଚାହୁଁଥିଲେ ସ୍ୱାସ୍ଥ୍ୟକର ପାନ ଖାଆନ୍ତୁ।

ରଜ ଦୋଳି କଟମଟ

ପୋଡପିଠା, ପାଚିଲା ଆମ୍ବ-ପଣସ ଆଦି ଫଳର ସମ୍ଭାର ଓ ସ୍ବତନ୍ତ୍ର ରଜପାନର ମହକଭରା ପସରା ଭିତରେ ରଜପର୍ବ ପାଳିତ ହୁଏ। ଏହି ପର୍ବ​‌େ​‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦୋଳି। ରଜ ମୁଖ୍ୟତଃ ପିଠା, ପାନ ଓ ଦୋଳିର ପର୍ବ। ବଡି ଭୋର୍‌ରୁ ଗାଧୋଇ ଚନ୍ଦନଟିପା, ନୂଆ ପୋଷାକରେ ସଜେଇ ହୋଇ ଛୋଟରୁ ବଡ ଯାଏ କୁଆଁରୀ ଝିଅମାନେ ବାହାରିଯା’ନ୍ତି ଦୋଳି ଖେଳିବାକୁ। ଘର ଛାତର ହୁକ, ବାରଣ୍ଡା, ଆମ୍ବଗଛଠାରୁ ନଡିଆଗଛ, ବରଗଛ ସବୁଠି ଦୋଳିର ଭିଡ। ପଟା ଦୋଳି, ବାଉଁଶ ଦୋଳି, ଚକ୍ରି ଦୋଳି ଆଦି ବିଭିନ୍ନ ପ୍ରକାରର ଦୋଳି ରଜ ପରମ୍ପରାକୁ ଉଲ୍ଲସିତ କରିଆସିଛି। ଦୋଳି ଚାରିପଟେ ଦୋଳି ଖେଳାଳି ଆଉ ଦେଖଣାହାରୀଙ୍କର ଭିଡ ଜମିଥାଏ। ଗୋଟିଏଗୋଟିଏ ଜାଗାରେ ଏକାଧିକ ଦୋଳି ଲାଗି କିଏ କେତେ ଉପରକୁ ଯାଇପାରୁଛି ସେ ନେଇ ପ୍ରତିଯୋଗିତା ମଧ୍ୟ ହୋଇଥାଏ। ଦୋଳି ଖେଳୁଥିବା ଝିଅମାନଙ୍କର ଆକାଶ ଛୁଆଁ ଗତି ଦେଖିଲେ ଆଖି ଖୋସି ହୋଇପଡେ। ଦୋଳି ଖେଳିବା ସମୟରେ ହାଲ୍‌କା ବର୍ଷା ହୋଇ ପରିବେଶକୁ ଆହୁରି ମନୋରମ କରିଦିଏ।

ସବୁଜ ବଳୟ ଭିତରୁ ଭାସିଆସେ ଦୋଳି ଗୀତର ସ୍ୱର- ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ…। ରଜ ଦୋଳି କଟକଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟଝଟ…। ଦୋଳି ଖେଳ ଏବଂ ବାଦୀ ଦୋଳିଗୀତ ରଜପର୍ବର ମୁଖ୍ୟ ଆକର୍ଷଣ। ବିଭିନ୍ନ ଦଳ ମଧ୍ୟରେ ପଦକୁ ପଦ ସଜାଡି ଦୋଳିଗୀତର ଆସର ଜମାଇବା ଏକ ପ୍ରତିଯୋଗିତାଠାରୁ କମ୍‌ ହୋଇନଥାଏ। ଏହାକୁ ଡାଳଭଙ୍ଗା ଗୀତ ବୋଲି ବି କହନ୍ତି। ଦୋଳି ଖାଲି ଆମୋଦପ୍ରମୋଦ ପାଇଁ ଉଦ୍ଦିଷ୍ଟ ନୁହେଁ। ମଣିଷ ଜୀବନ ପାଇଁ ଏହାର ଉପକାରିତା ଯଥେଷ୍ଟ ଅଧିକ। ବିଜ୍ଞାନ ମଧ୍ୟ ଦୋଳିର ଉପକାରିତାକୁ ସ୍ୱୀକୃତି ଦେଇଛି। ବର୍ଷା ଋତୁରେ ସବୁଜ ଗଛଡାଳରେ ଦୋଳି ଝୁଲିବା ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ଦୋଳିରେ ଝୁଲିବା ଶରୀର ପାଇଁ ଏକ ଭଲ ବ୍ୟାୟାମ ହେବା ସହିତ ଫୁସ୍‌ଫୁସ୍‌, ହୃଦ୍‌ଯନ୍ତ୍ର ଏବଂ ଅନ୍ୟ ଅଙ୍ଗଗୁଡିକୁ ସୁସ୍ଥ ରଖେ। ପାଦରେ ଚାପ ଦେଇ (ପେଙ୍ଗା ମାରିବା ବୋଲି କହନ୍ତି) ଦୋଳି ଝୁଲାଇବା ଦ୍ୱାରା ଗୋଡର ମାଂସପେଶୀର ବ୍ୟାୟାମ ହୋଇଥାଏ ଏବଂ ଏହା ସୁଦୃଢ ରହେ।
ଦୋଳିଗୁଡିକ ସାଧାରଣତଃ ନିମ୍ବ, ଆମ୍ବ, ବର ଆଦି ଗଛରେ ଲଗାଯାଇଥିବାରୁ ଦୋଳି ଖେଳିବା ସମୟରେ ଶରୀରକୁ ପର୍ଯ୍ୟାପ୍ତ ଅମ୍ଳଜାନ ମିଳେ। ଫଳରେ ଶରୀରର ନିଷ୍କ୍ରିୟ କୋଷଗୁଡିକ ସକ୍ରିୟ ହୋଇଉଠନ୍ତି। ରଜପର୍ବ ବେଳେ ଆକାଶରୁ ବିନ୍ଦୁବିନ୍ଦୁ ବର୍ଷା ପଡୁଥିବାରୁ ବାୟୁମଣ୍ଡଳର ଧୂଳି ଓ ଅନ୍ୟ କ୍ଷତିକାରକ ତତ୍ତ୍ୱ ପରିଷ୍କାର ହୋଇଯାଇଥାନ୍ତି। ବୟସ୍କମାନେ ମଧ୍ୟ ଏସବୁ ଗଛମୂଳରେ ଛୋଟ ପିଲାଙ୍କୁ ଦୋଳି ଖେଳାଇବା ଦ୍ୱାରା ମାନସିକ ଶାନ୍ତି ପାଇଥାନ୍ତି। ଖରାଧାସରୁ ମୁକୁଳିଥିବା ପୃଥିବୀ ବର୍ଷାଟୋପା ସହିତ ସବୁଜ ପରିଧାନରେ ସୁସଜ୍ଜିତ ହୋଇଯାଇଥାଏ। ଚାରିଆଡେ ସତେଜତାର ବାସ୍ନା ଖେଳିଯାଏ, ଯାହା ମଣିଷର ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ସେହିପରି ପୋଡପିଠା ଗରିଷ୍ଠ ହୋଇଥିଲେ ମଧ୍ୟ ବେଶ୍‌ ପୁଷ୍ଟିକର ଖାଦ୍ୟ। ଏହା ମଧ୍ୟ ନଷ୍ଟ ନହୋଇ କିଛିଦିନ ରହିପାରେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗରେ ପୋଡପିଠା ରହିଥିବା ବେଳେ ରଥଯାତ୍ରା ସମୟରେ ମାଉସୀମା’ର ପୋଡପିଠା ନଖାଇ ମହାପ୍ରଭୁ ଦେଉଳକୁ ଫେରନ୍ତି ନାହିଁ। ଓଡ଼ିଆର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରିୟ ପାନ ଏବଂ ପୋଡପିଠା ଓଡ଼ିଶାର ଗଣପର୍ବ ରଜରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।

ବିଦାୟ ନିଏ ରଜ

ଚାରି-ପାଞ୍ଚଦିନର ମଉଜ ପରେ ଆର ବର୍ଷ ପାଇଁ ବିଦାୟ ନିଏ ରଜ। ବସୁମାତା ସ୍ନାନ ପରେ ରଜ ପାଳିବା ଶେଷ ହୁଏ। କେତେକ ସ୍ଥାନରେ ରଜବତୀ କୁହାଯାଉଥିବା କୁଆଁରୀ ଝିଅମାନଙ୍କ ପାଇଁ ରଜରେ ରହିବା ଲାଗି ସ୍ବତନ୍ତ୍ର ଘର ରଖାଯାଇଥାଏ। ଏହାକୁ ରଜକୋଠି ବୋଲି କହନ୍ତି। ଶେଷ ରଜ ଦିନ ଘର, ଦ୍ବାର ଲିପାପୋଛା କରାଯାଏ। ରଜକୋଠି ଭାଙ୍ଗେ। ଆଉ କେତେକ ସ୍ଥାନରେ ରଜକୁ ବିଦାୟ ଦେବା ଲାଗି ଏହାକୁ ବାଟେଇ ଦେଇଆସିବାର ପରମ୍ପରା ରହିଛି। ବିଶେଷକରି କେନ୍ଦୁଝର ଅଞ୍ଚଳର ଜନଜାତି ସମ୍ପ୍ରଦାୟରେ ଶେଷ ରଜ ସନ୍ଧ୍ୟାରେ ମହିଳାମାନେ ଠାକୁରାଣୀ ରଜବତୀଙ୍କୁ ଘଣ୍ଟଘଣ୍ଟା ପଟୁଆରରେ ନେଇ ଗାଁ ଶେଷମୁଣ୍ଡରେ ଥିବା ଜଳାଶୟରେ ବିସର୍ଜନ କରିଦେଇଆସନ୍ତି।

ଉପସ୍ଥାପନା : ଲହରିକା ପଟ୍ଟନାୟକ

 

Comments are closed.