କାଁ ଭାଁ ଦୋଳି ଖେଳରେ ସରିଲା ରଜ ମଉଜ

ଆଠଗଡ : ଦ୍ୱିତୀୟ ଲହର କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ରାଜ୍ୟସରକାରଙ୍କ ଦ୍ୱାରା ତାଲାବନ୍ଦ ଭଳି କଟକଣା ସହିତ ସାମାଜିକ ଓ ଧାର୍ମିକ ସମାବେଶ ଉପରେ ରୋକ ଲାଗିଛି। ଫଳରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ଗଣପର୍ବ ରଜ ଆଠଗଡ ଅଞ୍ଚଳରେ ସଂପୂର୍ଣ୍ଣ ଫିକା ପଡ଼ିଯାଇଛି। କୁମାରୀ ଝିଅ ମାନଙ୍କୁ ନୂତନ ପୋଷାକ ଓ ବେଶଭୂଷାରେ ଦଳଦଳ ହୋଇ ବୁଲିବା ବା ଏକତ୍ରିତ ହୋଇ ଦୋଳି ଖେଳିବା ଦେଖାଯାଇନାହିଁ। ସହରାଞ୍ଚଳରେ ତ ବାହାରେ ଦୋଳିଖେଳ ଆଦୌ ଦେଖିବାକୁ ମିଳିନଥିବା ବେଳେ ଗାଁ ଗହଳିରେ କାଁ ଭାଁ ବାହାରେ ଗଛରେ ବନ୍ଧା ପଟ୍ଟାଦୋଳିରେ କିଛି ଝିଅ, ବୋହୂ ଦୋଳି ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଦୋକାନ ବଜାର ବିଶେଷକରି ଲୁଗା ଓ ପୋଷାକ ଦୋକାନ ବନ୍ଦ ରହିଥିବାରୁ ଅନେକ ଝିଅ ନୂତନ ବସ୍ତ୍ର ମଧ୍ୟ ପିନ୍ଧିବାରୁ ବଞ୍ଚିତ ହୋଇଛନ୍ତି। ଘରେ ଘରେ ପିଠାପଣା କରି ଲୋକେ ରଜପର୍ବ ପାଳନ କରି ମନକୁ ବୁଝାଇ ଦେଇଛନ୍ତି।

Comments are closed.