ଛୁଇଁଲେନି ସମ୍ପର୍କୀୟ: ପୁଲିସ ସହାୟତାରେ ସ୍ଵେଚ୍ଛାସେବୀ କଲେ ଶବ ସତ୍କାର

ରେଢ଼ାଖୋଲ:ସମାଜର କଟକଣା ଯୋଗୁଁ ଶବ ସତ୍କାର ହୋଇପାରିଲା ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରେଢ଼ାଖୋଲ ଅଂଚଳରେ। ଶେଷରେ ପ୍ରଶାସନ ଓ କିଛି ସାମାଜିକ କର୍ମୀଙ୍କ ସହାୟତାରେ ବୃଦ୍ଧଙ୍କ ଶବସତ୍କାର କରାଯାଇଛି। ସମାଜର କଟକଣାର ଶିକାର ହୋଇଛନ୍ତି ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଶିଶୁପର୍ଣ୍ଣ ଗ୍ରାମର ଅଭିରାମ ବେହେରା(୬୫)। ଘଟଣାରୁ ପ୍ରକାଶ ଯେ ସଂପୃକ୍ତ ବୃଦ୍ଧଙ୍କର ୩ ଜଣ ପତ୍ନୀ। ବୃଦ୍ଧଙ୍କ ପ୍ରଥମ ପତ୍ନୀର ସନ୍ତାନ ସନ୍ତତି ନହେବାରୁ ସେ ଏହି ଥାନା ବଡକୁଡା ଗ୍ରାମରେ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ଔରସରୁ ୨ଟି ପୁଅ ଅଛନ୍ତି। ହେଲେ ଅଭିରାମଙ୍କ ଦ୍ୱିତୀୟ ପତ୍ନୀ ସହିତ କୌଣସି କାରଣରୁ ମନୋମାଳିନ୍ୟ ହୋଇଥିଲା। ଫଳରେ ଦ୍ୱିତୀୟ ପତ୍ନୀ ନିଜ ୨ ପୁଅକୁ ଧରି ବାପଘର ବଡକୁଡାରେ ଦିର୍ଘ ବର୍ଷ ହେବ ରହିଆସୁଥିଲେ। ଇତି ମଧ୍ୟରେ ଅଭିରାମ ପୁଣି ଏହି ଥାନା ଲଇଣ୍ଡାମାଳ ଗ୍ରାମର ଜଣେ ଅନ୍ୟ ଜାତିର ମହିଳା ପୁଣ୍ୟ ମିର୍ଦ୍ଧାଙ୍କୁ ବିବାହ କରି ତାଙ୍କ ସହିତ ଲଇଣ୍ଡାମାଳ ଗ୍ରାମରେ ରହିଆସୁଥିଲେ। ତେବେ ଗତ କିଛିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟଗତ କାରଣରୁ ଘରେ ଗୁରୁତର ଅବସ୍ଥାରେ ପଡିରହିଥିଲେ। ହେଲେ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲେ ମଧ୍ୟ ଅର୍ଥ ଅଭାବରୁ ସ୍ତ୍ରୀ ଚିକିତ୍ସା କରିବା ପାଇଁ ନେଇ ପାରୁନଥିଲେ।
ଗତ ୨୯ ତାରିଖ ଦିନ ରେଢ଼ାଖୋଲ ତହସିଲଦାର ରୁବି ବେହେରା କୌଣସି ରାଜସ୍ୱ କାମରେ ଲଇଣ୍ଡାମାଳ ଗ୍ରାମକୁ ଯାଇଥିବା ବେଳେ ଅଙ୍ଗନବାଡ଼ି କର୍ମୀ ସଂପୃକ୍ତ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ କହିବା ପରେ ତାଙ୍କୁ ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାକୁ ପଠାଇଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଅଭିରାମଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ୱାମୀଙ୍କ ଶବସତ୍କାର କରିବା ପାଇଁ ସ୍ତ୍ରୀ ପୁଣ୍ୟଙ୍କୁ ନାକେଦମ ହୋଇପଡିଥିଲା। ସ୍ୱାମୀଙ୍କୁ ସେ ପ୍ରଥମେ ତାଙ୍କ ପୈତୃକ ଗ୍ରାମ ଶିଶୁପର୍ଣ୍ଣ ନେଇଥିଲେ। କିନ୍ତୁ ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ସଂର୍ପକୀୟ ଶବଦାହ କରିବା ପାଇଁ ମନା କରିବା ସହ ଫେରାଇଦେଇଥିଲେ। ସ୍ୱାମୀଙ୍କ ମୃତ୍ୟୁରେ ଭାଙ୍ଗିପଡିଥିବା ପତ୍ନୀ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଓ ୨ ପୁଅ ରହୁଥିବା ବଡକୁଡା ଗ୍ରାମକୁ ନେଇଯାଇଥିଲେ। ସେଇଠି ମଧ୍ୟ ସେ ଅନୁରୁପ ଘଟଣା ଘଟିଥିଲା। ସେମାନେ ମଧ୍ୟ ଅଭିରାମ ଜାତିରେ ଚଷା ହେଲେ ଅନ୍ୟ ଜାତିରେ ବିବାହ କରିଥିବାରୁ ଶବଦାହ ପାଇଁ ମନା କରିଦେଇଥିଲେ। ଶେଷରେ ଅନ୍ୟ କୌଣସି ଉପାୟ ନପାଇ ଘଟଣା ନେଇ ପ୍ରଶାସନକୁ ଜଣାଇଥିଲେ। ଖବର ପାଇଁ ପ୍ରଶାସନ ବିଜେପି ନଗର ସଭାପତି ସମାଜସେବୀ ଶିବରାମ ସାହୁଙ୍କ ସହିତ ଯୋଗାଯୋଗ କରିଥିଲେ। ଶ୍ରୀ ସାହୁ ଓ ତାଙ୍କ ସହଯୋଗୀଙ୍କ ସହାୟତାରେ ମୃତ ଅଭିରାମଙ୍କ ଶବକୁ ଝରାପରାଠାରେ ଶବସତ୍କାର କରିଥିଲେ। ଏହି ସମୟରେ ତହସିଲଦାର ରୁବି ବେହେରା, ପୁଲିସ ଏସଆଇ ବୈବଭମାଳା ସ୍ୱାଇଁ ଉପସ୍ଥିତ ରହି ଶବସତ୍କାର କରିଥିଲେ। ତହସିଲଦାର ମୃତକଙ୍କ ବିଧବାଙ୍କୁ ବିଧବା ଭତ୍ତା ସହିତ ମୃତ୍ୟୁକାଳୀନ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।