ରାସ୍ତାରେ ଆଣ୍ଠୁଏ  ପାଣି… ପାନୀୟ ଜଳରେ ପଶୁଛି ମଇଳା ପାଣି

ରେଙ୍ଗାଲିକ୍ୟାମ୍ପ :   ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ୍ ସଂଯୋଗ ଆଦି ଲୋକଙ୍କର ମୌଳିକ ସୁବିଧା,ଏହି ସୁବିଧା ପାଇବା ପ୍ରତ୍ୟେକ ଜନ ସାଧାରଣଙ୍କର ଅଧିକାର ରହିଛି ବୋଲି ସରକାର ଘୋଷଣା କରିଛନ୍ତି ।  କିନ୍ତୁ ୱାର୍ଡ ନଂ ୮ ରେ ଜମିରହିଛି ଆଣ୍ଠୁଏ  ପାଣି । ଅଦିନିଆ ସାମାନ୍ୟ ବର୍ଷାରେ ରାସ୍ତାରେ ଗମନା ଗମନ କଷ୍ଟକର ହେବା ସହ ଘରୁ ପଡ଼ାକୁ ବାହାରିବା ମୁସ୍କିଲ ହୋଇପଡିଛି । ୱାର୍ଡରେ ରହିଥିବା ନଳକୂଅ ମୂଳେ ମଇଳା ପାଣି ଜମି ରହି ବାଟି ତଳକୁ ପଶୁଛି। ଏହି ନଳକୂପର ପାଣିକୁ ୱାର୍ଡର ଲୋକେ ପାନୀୟ ରୂପେ ବ୍ୟବହାର କରିଥାନ୍ତି। ତେବେ ଏହି ପାନୀୟ ଜଳ ମଧ୍ୟ ଦୂଷିତ ହୋଇ ସାମ୍ପ୍ରତିକ କରୋନା ମହାମାରୀ  ସମୟରେ ବିକଟ ପରିସ୍ଥିତି ସୃଷ୍ଟି କରୁଛି । ଅଶୋକା ୱିଲକାନର ଅଧାପନ୍ତରିଆ କାମ ଯୋଗୁ ଆଜି  ଏଭଳି ଏହିସ୍ଥିିତି ଦେଖା ଦେଇଛି।
ନାଳର ଦୁଇପଟ ବନ୍ଦ ରହିବା ଫଳରେ ପାଣି ଡ୍ରେନ ଭିତରେ ଜମି ରହି ଯାଉଛି ଏବଂ  ଏହି ୱାର୍ଡର ଗଳି ରାସ୍ତାଟି ଗଡାଣିଆ ଥିବାରୁ ଜାତୀୟ ରାଜପଥର ପାଣି ମଧ୍ୟ ଗଳି ରାସ୍ତାକୁ ପଶି ଜମି ରହୁଛି । ଏ ନେଇ ୱାର୍ଡବାସୀ ଅନେକ ଥର ଏନଏସିରେ  ଅଭିଯୋଗ କରି ଆସିଛନ୍ତି । ହେଲେ ଆଜି ଯାଏ ତାର କିଛି ସମାଧାନ ହୋଇ ନଥିବା ନେଇ ୱାର୍ଡବାସୀ  କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ବର୍ଷା ଋତୁରେ  ଏହି ରାସ୍ତାର ଅବସ୍ଥା କଣ ହେଉନଥିବ ? ଏହି ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡ଼ୁଛି । ମଶା ମାଛିଙ୍କ ପାର୍ଦୂର୍ଭାବ ବଢୁଛି। ତେବେ ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ ୱାର୍ଡବାସୀ ଦାବି ଜଣାଇଛନ୍ତି ।

Comments are closed.