ଗୋପାଳଙ୍କ ହାଟ୍ରିକ୍; ମ୍ୟାଚ୍ ବାତିଲ; ଆର୍‌ସିବିର ବିଦାୟ

ବାଙ୍ଗାଲୋର : ମଙ୍ଗଳବାର ଚଳିତ ଆଇପିଏଲ୍‌ରେ ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଏହି ମ୍ୟାଚ୍‌ରେ ଫଳାଫଳ ବାହାରି ପାରିନାହିଁ। ୩ ଘଣ୍ଟା ବିଳମ୍ବରେ ମ୍ୟାଚ୍ ଆରମ୍ଭହେବାରୁ ଏହା ୫ ଓଭରର ହୋଇଥିଲା। ଶେୟାସ ଗୋପାଳ ହାଟ୍ରିକ୍ ନେବାରୁ ଆର୍‌ସିବି ୫ ଓଭରରେ ୭ ୱିକେଟ ହରାଇ ୬୨ ରନ କରି ପାରିଥିଲା। ପରେ ରାଜସ୍ଥାନ ୩.୨ ଓଭରରେ ୧ ୱିକେଟ ହରାଇ ୪୧ ରନ୍ କରିଥିବା ବେଳେ ପୁଣି ବର୍ଷା ହେବାରୁ ଆଉ ଖେଳ ସମ୍ଭବପର ହୋଇନଥିଲା। ଉଭୟ ଦଳ ପଏଣ୍ଟ ଭାଗ କରିବାରୁ ୧୩ଟି ମ୍ୟାଚ୍‌ରୁ ୯ ପଏଣ୍ଟ ପାଇଥିବା ଆର୍‌ସିବି ପ୍ଲେଅଫ୍ ଦୌଡ଼କୁ ବାଦ୍‌ପଡ଼ିଛି। ୧୩ଟି ମ୍ୟାଚ୍‌ରୁ ୧୧ ପଏଣ୍ଟ ପାଇଛି ରାଜସ୍ଥାନ।
ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ଫିଲ୍‌ଡିଂ ନେବା ପରେ ଆର୍‌ସିବି ବିସ୍ଫୋରକ ଢଙ୍ଗରେ ଇନିଂସ ଆରମ୍ଭ କରିଥିଲା। ପ୍ରଥମ ୯ଟି ବଲ୍‌ରୁ ୩୫ ରନ୍ ହୋଇଥିବା ବେଳେ ପରବର୍ତ୍ତୀ ୨୧ ବଲ୍‌ରୁ ମାତ୍ର ୨୭ ରନ୍‌କରି ୭ଟି ୱିକେଟ ହରାଇଥିଲା। ୨ୟ ଓଭରର ଶେଷ ୩ଟି ବଲ୍‌ରେ ୱିକେଟ ନେଇ ହାଟ୍ରିକ୍ ପୂରଣ କରିଥିଲେ ଲେଗ୍‌ସ୍ପିନର ଶ୍ରେୟାସ ଗୋପାଳ। କ୍ରମାଗତ ୩ଟି ବଲ୍‌ରେ ବିରାଟ କୋହଲି, ଏବି ଡି’ଭିଲିଅର୍ସ ଓ ମାର୍କସ ଷ୍ଟୋଇନିସ ଆଉଟ ହୋଇଥିଲେ। କୋହଲି ୭ଟି ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୫ ରନ୍ କରିଥିଲେ। ଡି’ଭିଲିଅର୍ସ ୪ ବଲ୍‌ରୁ ୨ଟି ଚୌକା ସହ ୧୦ ରନ୍ କରିଥିଲେ। ପରେ କେହି ଦୁଇଅଙ୍କ ବିଶିଷ୍ଟ ସ୍କୋର୍ କରି ପାରିନଥିଲେ। ଚଳିତ ଆଇପିଏଲ୍‌ରେ ଏହା ୨ୟ ଏବଂ ଆଇପିଏଲ୍‌ ଇତିହାସରେ ୧୯ଶ ହାଟ୍ରିକ୍ ନେଇଥିଲେ ଶେୟାସ ଗୋପାଳ। ଓସାନେ ଥମାସ୍ ୨ଟି ୱିକେଟ ପାଇଥିଲେ। ୫ ଓଭରରୁ ୬୩ ରନ୍‌ ଲକ୍ଷ୍ୟରେ ଦୃଢ଼ତାର ସହ ରାଜସ୍ଥାନ ରୟାଲ୍‌ସ ଇନିଂସ ଆରମ୍ଭ କରିଥିଲା। ୧୯ ବଲ୍‌ରୁ ରାଜସ୍ଥାନର ଦୁଇ ଓପ୍‌ନର ସଞ୍ଜୁ ସାମ୍‌ସନ୍ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ୪୧ ରନ୍ ସଂଗ୍ରହ କରିଥିଲେ। ୧୩ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ସାମ୍‌ସନ୍ ୨୮ ରନ୍‌କରି ଆଉଟ ହୋଇ ଯାଇଥିଲେ। ଏହି ୱିକେଟ ପଡ଼ିବା ସହ ପୁଣି ବର୍ଷା ଆରମ୍ଭ ହୋଇ ଯାଇଥିଲା। ଲିଭିଙ୍ଗ୍‌ଷ୍ଟୋନ୍ ୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୧ ରନ୍‌କରି ଅପରାଜିତ ଥିଲେ।

Comments are closed.