ଆଜିଠୁ ୧୪ ତାରିଖ ଯାଏ ବର୍ଷା

ଭୁବନେଶ୍ବର : ଗୁରୁବାରଠାରୁ ତିନିଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। ୫ରୁ ଅଧିକ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଅଛି। ୧୩ ତାରିଖରେ ବର୍ଷାର ପ୍ରକୋପ ବଢ଼ିବ। କିଛି ଜିଲାରେ କୁଆ ପଥର ବୃଷ୍ଟି ସହ ୫୫ କିମି ବେଗରେ ପବନ ବହିବା ସମ୍ଭାବନା ଅଛି। ବୁଧବାର ରାତିରେ କିଛି ସ୍ଥାନରେ ସ୍ବଳ୍ପ ବୃଷ୍ଟିପାତ ଆରମ୍ଭ ହୋଇଛି। ଅଧିକାଂଶ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ (ପ୍ରସ୍ତୁତ ରହିବା) ଜାରି କରାଯାଇଛି। ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, କଟକ, କନ୍ଧମାଳ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ମଧ୍ୟରେ ରହିବ।

ଏହା ବ୍ୟତୀତ ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା ଜିଲାରେ ମଧ୍ୟ ପବନ ଓ ଘଡ଼ଘଡ଼ି ସହ ବର୍ଷା ହେବ। ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବଲାଙ୍ଗୀର, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ପୁରୀ, ଜଗତସିଂହପୁର ଜିଲାରେ ମଧ୍ୟ ଆସନ୍ତା କାଲି ବର୍ଷା ହୋଇପାରେ। ୧୩ ତାରିଖରେ କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ୧୪ ତାରିଖରେ ବର୍ଷା ପରିମାଣ ହ୍ରାସ ପାଇବ। ତେବେ ଏହି ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୋଳ, ଢ଼େଙ୍କାନାଳ, କନ୍ଧମାଳ, ସୋନପୁର ଓ ବୌଦ୍ଧ ଜିଲାରେ ବର୍ଷା ସହିତ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ଅଛି।

Comments are closed.