ବଜ୍ରପାତ ବର୍ଷା ପାଇଁ ୯ ଜିଲାକୁ ୱାର୍ଣ୍ଣିଂ

-ଭୁବନେଶ୍ବର, ବାରିପଦାରେ ୩୯.୨, -୪ଦିନ କାଳବୈଶାଖୀ, -ସତର୍କ ରହିବାକୁ ଏସ୍‌ଆରସିଙ୍କ ନିର୍ଦେଶ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସତର୍କ ରହିବାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଆସନ୍ତାକାଲି ବଜ୍ରପାତ ଏବଂ ବର୍ଷାକୁ ଲକ୍ଷ୍ୟ କରି ପାଣିପାଗ କେନ୍ଦ୍ର ୯ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ଯେ ଶନିବାର ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ, ରାୟଗଡା, କୋରାପୁଟ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକ ବଜ୍ରପାତ ଓ ବର୍ଷାକୁ ଲକ୍ଷ୍ୟ କରି ପାଣିପାଗ କେନ୍ଦ୍ର ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦ୍ରାପଡା ଏବଂ କଟକ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ରବିବାର ବୌଦ୍ଧ, ଅନୁଗୋଳ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ସୁନ୍ଦରଗଡ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଛି। ଆଜି ଭୁବନେଶ୍ବର ଏବଂ ବାରିପଦାରେ ଦିନ ତାପମାତ୍ରା ବଢ଼ି ୩୯.୨ ଡିଗ୍ରୀ ଛୁଇଁଛି। ନୟାଗଡରେ ମଧ୍ୟ ସର୍ବାଧିକ ତାପମାତ୍ରା ୩୯ ଡିଗ୍ରୀରେ ପହଞ୍ଚିଛି। ଫଳରେ ରାଜ୍ୟର ଉତ୍ତପ୍ତ ସହର ଭାବେ ଭୁବନେଶ୍ବର ଏବଂ ବାରିପଦା ପରିଗଣିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଫୁଲବାଣୀରେ ୧୬.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସ୍ଥାନଗୁଡିକରେ ପାରଦ ୧୭ରୁ୨୬ ଡିଗ୍ରୀ ମଧ୍ୟରେ ରହିଛି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ସତର୍କ ରହିବା ସହ ଜନସାଧାରଣଙ୍କୁ ସଚେତନ କରିବାକୁ ଏସ୍‌ଆରସି ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

Comments are closed.