ବର୍ଷା ଆଶ୍ବସ୍ତି: ଚାଷକାମକୁ ସୁହାଇବ

ଓଡ଼ିଶାରେ ଅବଶେଷରେ ମୌସୁମି ସକ୍ରିୟ ହୋଇଛି ଏବଂ ଅଗଷ୍ଟ ମାସର ଦ୍ବିତୀୟାର୍ଦ୍ଧରୁ ବର୍ଷା ବଢ଼ିଛି। କ୍ରମାଗତଭାବେ ତିନିଟି ଲଘୁଚାପ ସୃଷ୍ଟି ହେବାରୁ ସମଗ୍ର ରାଜ୍ୟରେ ବର୍ଷା ପରିମାଣ ଯଥେଷ୍ଟ ବଢ଼ିଛି। ଏହା ଫଳରେ ଉପାନ୍ତ ମାଲକାନଗିରି ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଓ ବଦଳ ଦେଖାଦେଇଛି। ପାଣିପାଗ ବିଭାଗର ଯାହା ଅନୁମାନ ଲଗାଣବର୍ଷା ଯୋଗୁଁ ରାଜ୍ୟର କେତେକ ଅଞ୍ଚଳରେ ସାମାନ୍ୟରୁ ମଧ୍ୟମଧରଣର ବନ୍ୟା ଦେଖା ଦେଇପାରେ। ବିଶେଷକରି ମହାନଦୀ ପ୍ରଣାଳୀରେ ପ୍ରଥମ ବନ୍ୟା ଆସିପାରେ। ଏବେ ବ୍ରାହ୍ମଣୀ ଓ ବୈତରଣୀ ଆଦିରେ ଛୋଟଧରଣର ବଢ଼ିରହିଛି। ଚଳିତ ବର୍ଷା ସେହି ନଦୀ ଉପତ୍ୟକାରେ ଅଧିକ କ୍ଷତି ଘଟାଇପାରେ। ତେବେ ରାଜ୍ୟରେ ଏବେ ପ୍ରଳୟଙ୍କରୀ ବନ୍ୟାର ସମ୍ଭାବନା ପ୍ରାୟ ନାହିଁ ବୋଲି କୁହାଯାଉଛି।

ସମଗ୍ର ରାଜ୍ୟ ଏବେ ମହାମାରୀ କରୋନା ସହିତ ଲଢ଼ୁଛି। ଏଭଳି ଅବସ୍ଥାରେ ବନ୍ୟା ବିତ୍ପାତ ଦେଖାଦେଲେ ଲୋକେ ଅଧିକ ହଇରାଣ ହରକତ ହେବେ। ଏହା ସତ୍ତ୍ବେ ସରକାରଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିବ; କାରଣ ପାଣିପାଗ ସର୍ବଦା ଅନିଶ୍ଚିତ। ମାଲକାନଗିରି ଜିଲାରେ ଏବେ ଯେଉଁ ବନ୍ୟା ବିତ୍ପାତ ଦେଖାଦେଇଛି ତାହା ଆନ୍ଧ୍ରକୃତ। ପୋଲାଭରମ୍‌ ବ୍ୟାରେଜ ନିର୍ମାଣ ଫଳରେ ଗୋଦାବରୀର ବନ୍ୟାଜଳ ନିଷ୍କାସନ ବିଳମ୍ବିତ ହେଉଛି। ଏହା ଫଳରେ ମୋଟୁ ଓ ଆଖପାଖ ଇଲାକାରେ ପଛୁଆପାଣି ପଶି କ୍ଷୟକ୍ଷତି ଘଟାଉଛି। ଓଡ଼ିଶାର ନଦୀଗୁଡ଼ିକରୁ ବନ୍ୟାଜଳ ନିଷ୍କାସନ ହୋଇପାରୁନାହିଁ। ସରକାର ଅବିଳମ୍ବେ ବିପନ୍ନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ଆବଶ୍ୟକ। ଦେଖାଯାଉଛି ସେଠାକାର ପ୍ରଭାବିତ ଜନତା ଅସୁବିଧାରେ ଅଛନ୍ତି।

ବିଳମ୍ବ ଅଗଷ୍ଟ ଓ ଆଦ୍ୟ ସେପ୍ଟେମ୍ବର ବର୍ଷା ଖରିଫ ଚାଷ ପାଇଁ ସହାୟକ ହୋଇଥାଏ। ଏବର୍ଷ ଖରିଫ ଚାଷ କାମ ପ୍ରାୟ ଏକ ମାସ ବର୍ଷାଭାବରୁ ପଛେଇ ଯାଇଛି। ଏହି ବର୍ଷା ଫଳରେ ଚାଷୀ ପୁନର୍ବାର ରୁଆ ବେଉଷଣ କାମ ଆରମ୍ଭ କରିବେ। ଆଜିକାଲି ସବୁଆଡ଼େ ଲଘୁଧାନ ଚାଷ ହେଉଥିବାରୁ ଫସଲ ଉତୁରି ଯାଇପାରେ। ଜଳଭଣ୍ଡାରଗୁଡ଼ିକର ସ୍ଥିତି ଭଲ ରହିଲେ ସେଚାଞ୍ଚଳର ଚାଷକୁ ପାଣି ଆବଶ୍ୟକତା ଅନୁସାରେ ମିଳିପାରିବ। ଅତିବୃଷ୍ଟି ଓ ବନ୍ୟା ବିତ୍ପାତ ନ’ହେଉ ଏବଂ ଏମିତି ଚାଷକୁ ପାଇବା ଭଳି ବର୍ଷା ମଝିରେ ମଝିରେ ହେଉଥାଉ, ଏତିକି କାମନା।

Comments are closed.