ଜୁନ୍‍ ମାସରେ ଭଲ ବର୍ଷା ; ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ

ଭୁବନେଶ୍ୱର : ଜୁନ୍‍ ମାସରେ ଓଡିଶାରେ ହେବ ଭଲ ବର୍ଷା । ଅସହ୍ୟ ଗରମ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଏବେ ବର୍ଷାକୁ ନେଇ ଏକ ଆଶ୍ୱସ୍ତିକର ଖବର ମିଳିଛି । ଜୁନ୍‍ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ସୂଚନା ଦେଇଛନ୍ତି । ବର୍ତ୍ତମାନ ମୌସୁମୀ କେରଳକୁ ସମ୍ପୂର୍ଣ୍ଣ ଭାବେ ସ୍ପର୍ଶ କରି ସାରିଛି । କର୍ଣ୍ଣାଟକ, ଆସାମ, ମେଘାଳୟରେ ପ୍ରବେଶ କରୁଛି । ସାଧାରଣତଃ ଜୁନ୍‍ ୧୨ ରୁ ୧୫ ମଧ୍ୟରେ ମୌସୁମୀ ଓଡିଶା ଛୁଇଁଥାଏ । ଚଳିତ ମୌସୁମୀ ଋତୁରେ ଓଡିଶାରେ ମିଶ୍ରିତ ବର୍ଷା ହେବା ନେଇ ଆକଳନ କରାଯାଇଛି । ଜୁନରେ ସ୍ୱାଭାବିକ ବର୍ଷା ସହ ମୋଟରେ କିଛି ଅଞ୍ଚଳରେ ଅଧିକ ଓ କିଛି ଅଞ୍ଚଳରେ କମ ବର୍ଷିବ । କେନ୍ଦ୍ର ଓଡିଶା ଓ ଉତ୍ତର ଓଡିଶାର କିଛି ଅଞ୍ଚଳରେ କମ ବର୍ଷିପାରେ । ତେବେ ସାରା ଦେଶରେ ୧୦୩ ପ୍ରତିଶତ ବର୍ଷା ହୋଇପାରେ ।

Comments are closed.