ଘୂର୍ଣ୍ଣିବଳୟ ସୃଷ୍ଟି – ୨୩ରୁ ବର୍ଷା ସମ୍ଭାବନା

ଭୁବନେଶ୍ବର: ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବାୟୁ ପ୍ରବାହର ଦିଗ ବଦଳିବା ସହିତ ବାୟୁମଣ୍ଡଳରେ ଆର୍ଦ୍ରତା କାରଣରୁ ଓଡ଼ିଶାକୁ ଦକ୍ଷିଣ-ପୂର୍ବଦିଗରୁ ପବନ ବହିବ। ଏହାର ପ୍ରଭାବରେ ଆସନ୍ତା ୨୩ରୁ ୨୬ ତାରିଖ ୪ଦିନ ପର୍ୟ୍ୟନ୍ତ କେତେକ ଜିଲାରେ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୨୩ରେ ସୁନ୍ଦରଗଡ଼଼, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସମ୍ବଲପୁର ଓ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୪ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବାବେଳେ ଉତ୍ତର ଉପକୂଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ରାଜ୍ୟର ଅନ୍ୟ କେତେକ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ତେବେ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢ଼େଙ୍କାନାଳ ଓ ନୟାଗଡ଼ରେ ଅଧିକ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୨୫ ଓ ୨୬ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି।

ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ଅଞ୍ଚଳରେ ବର୍ଷା ହୋଇପାରେ। ତେବେ କଟକ, ଢ଼େଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଭଦ୍ରକର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝରଗଡ଼, ଅନୁଗୋଳ, ଢ଼େଙ୍କାନାଳ, ବୌଦ୍ଧ ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ। ଏସବୁ ଜିଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ବ୍ୟବସ୍ଥା ସ୍ବରୂପ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ୩ରୁ ୪ ଦିନ ଭିତରେ ରାତିର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ। ଉତ୍ତର ଉପକୂଳରେ ଆସନ୍ତା ଦୁଇ ଦିନ ପ୍ରବଳ କୁହୁଡ଼ି ଅନୁଭୂତ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.