ଲଗାଣ ବର୍ଷା : ଘରର କାନ୍ଥ ପଡିଲା, ଦୋକାନ ବାରଣ୍ଡା ଭରଷାରେ ପରିବାର

0

ଖୁଣ୍ଟା : ସାମୁଦ୍ରିକ ବାତ୍ୟା ତିତଲି ପ୍ରଭାବରେ ଲଗାଣ ବର୍ଷାରେ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକରେ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି । ଖୁଣ୍ଟା ବଜାର ଓ ସରକାରୀ କାର୍ଯ୍ୟାଳୟ ଶୂନଶାନ ହୋଇପଡିଥିବା ବେଳେ ଗୋପବନ୍ଧୁ ନଗର ବ୍ଲକର କେତେକ ସ୍ଥାନରେ ଘର ଗୁଡିକର କାନ୍ଥ ଓ ଛପର କ୍ଷତିଗ୍ରସ୍ତ ହୋଇଛି। ସାନଖୁଣ୍ଟା ଗ୍ରାମ ପଞ୍ଚାୟତ ଅଧୀନ ଖୁଣ୍ଟା ଟେଲିଫୋନ ଏକ୍ସଚେଞ୍ଜ ନିକଟରେ ରହୁଥିବା ସନ୍ୟାସୀ ଦେହୁରୀଙ୍କ ନଡ଼ା ଚାପର ଘରର ଉତ୍ତର ଓ ଦକ୍ଷିଣ ପାଖ ମାଟି କାନ୍ଥ ପଡିଯାଇଛି । ବୁଧବାର ରାତିରେ ରୋଷେଇ ଘରର କାନ୍ଥ ପଡିଯାଇଥିବା ବେଳେ ଗୁରୁବାର ରାତିରେ ଶୋଇବାଘର କାନ୍ଥ ପଡିଯାଇଛି । ଏବେ ଏହି ଘର ଧରାଶାୟୀ ହେବାକୁ ବସିଛି । ଗୋପବନ୍ଧୁ ନଗର ତହସିଲଦାରଙ୍କୁ ସନ୍ୟାସୀ ଓ ତାଙ୍କ ପତ୍ନୀ ପ୍ରବଳ ବର୍ଷାରେ ଭେଟି ସହାୟତା ମାଗିବା ସତ୍ତ୍ୱେ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ପରିବାରକୁ କେବଳ ପଲିଥିନ ଦିଆଯାଇଥିବା ଜଣାପଡିଛି। ସନ୍ୟାସୀ ଓ ତାଙ୍କ ପତ୍ନୀ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ସେହିପରି ଗୋପବନ୍ଧୁ ନଗର ବ୍ଲକର କୁଆମରା, ଜୟପୁର, ରାଣୀବନ୍ଧ ଓ ସାଇଁକୁଳା ପଞ୍ଚାୟତର ଅନ୍ୟୁନ ୩୦ ଘର କ୍ଷତିଗ୍ରସ୍ତ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳିଥିବା ବେଳେ ସମ୍ପୃକ୍ତ ପଞ୍ଚାୟତ ମାନଙ୍କୁ ରାଜସ୍ବ କର୍ମଚାରୀଙ୍କୁ ପଠାଯାଇ ରିପୋର୍ଟ ଦେବାକୁ କୁହାଯାଇଛି। ଏଥିମଧ୍ୟରେ କୁଆମରାର ଚିଲିମା ଗ୍ରାମକୁ ୧୦ ଖଣ୍ଡ ପଲିଥିନ ଯୋଗାଇ ଦିଆଯାଇଥିବା ତହସିଲଦାର ଅନିତା ନାଏକ କହିଛନ୍ତି।

Leave A Reply