ବର୍ଷାଜଳ ଅମଳ ପ୍ରକଳ୍ପ ବାଟବଣା : ଅଧାପନ୍ତରିଆ ଅବସ୍ଥାରେ ୧୦୦ କୋଟିର ପ୍ୟାକେଜ୍‌

ଖସୁଛି ଭୂତଳ ଜଳ

ଭୁବନେଶ୍ବର : ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ସହିତ ଆକାଶଛୁଅଁା ଅଟ୍ଟାଳିକା ଗଢ଼ି ଉଠୁଛି। ଜଙ୍ଗଲ ସଫା କରି ନୂଆନୂଆ ବସତି ସ୍ଥାପନ ହେଉଛି। ଲୋକେ ପାନୀୟଜଳ ଏବଂ ଦୈନନ୍ଦିନ କାର୍ଯ୍ୟପାଇଁ ଭୂତଳ ଜଳ ଉପ‌େ‌ର ନିର୍ଭର କରୁଛନ୍ତି। ଫଳରେ ଭୂତଳ ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ହାଇଲେବୁଲ୍‌ ବୋରିଂ ଦ୍ବାରା ଭୂତଳ ଜଳ ଉତ୍ତୋଳନ ହେତୁ ଜଳସ୍ତର ସଂଘାତିକ ଭାବେ କମୁଛି। ଏଭଳି ସ୍ଥିତି ଦେଖି ବିଶେଷଜ୍ଞ ମହଲ ଚିନ୍ତା ପ୍ରକଟ କରିବା ସହିତ ଆଗକୁ ଜଳ ସଙ୍କଟ ଦେଖାଦେବାର ଭବିଷ୍ୟବାଣୀ କଲେଣି। ଜଳ ସମ୍ପଦ ବିଭାଗ ତଥ୍ୟ କହୁଛି ୨୦୦୯ରୁ ୨୦୧୭ ଭିତରେ ରାଜ୍ୟରେ ଭୂତଳ ଜଳସ୍ତର ୬.୭୧ ପ୍ରତିଶତ ହ୍ରାସ ପାଇଛି। ଏପରିକି ରାଜ୍ୟର ସବୁଠୁ ଜନବହୁଳ ସହର ଭୁବନେଶ୍ବରରେ ଗତକିଛି ବର୍ଷ ଭିତରେ ଭୂତଳ ଜଳସ୍ତର କ୍ରମାଗତଭାବେ ନିମ୍ନଗାମୀ ହେବାରେ ଲାଗିଛି।
ଏଠାରେ ପ୍ରାକ୍ ମୌସୁମି ସମୟରେ ସହରର ବିଭିନ୍ନ ସ୍ଥାନରେ ନଳକୂପର ଜଳସ୍ତର ସର୍ବନିମ୍ନ ୧.୨୨ ମିଟର ଏବଂ ସର୍ବାଧିକ ୧୧.୩୦ ମିଟର ତଳକୁ ଖସିଯାଏ। ହାରାହାରି ୪.୭୭ ମିଟର ଭୂତଳଜଳ ସ୍ତର ତଳକୁ ଖ‌େ‌ସ। ମୌସୁମି ପରବର୍ତ୍ତୀ ସମୟରେ ଜଳସ୍ତର ସର୍ବନିମ୍ନ ୧.୦୮ ମିଟର ଏବଂ ସର୍ବାଧିକ ୯.୦୨ ମିଟର ଏବଂ ହାରାହାରି ୪.୩୮ ତଳକୁ ଖସେ ବୋଲି କେନ୍ଦ୍ରୀୟ ଭୂତଳ ଜଳବୋର୍ଡ ସର୍ଭେ ତଥ୍ୟରୁ ଜଣାପଡ଼ିଛି।
ବର୍ଷାଜଳର ଉପଯୁକ୍ତ ପରିଚାଳନା ଅଭାବରୁ ତଳିଆ ଅଞ୍ଚଳରେ ରାସ୍ତାଘାଟ ନଷ୍ଟ ହେବା ସହିତ ବିକାଶମୂଳକ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି। ବର୍ଷାଜଳ ସଂରକ୍ଷଣ କରିବା ସହିତ ଭୂତଳଜଳ ସ୍ତରରେ ସନ୍ତୁଳନ ଆଣିବା ନିମନ୍ତେ କୋଠାବାଡ଼ି ଏବଂ ଜମିରେ ବର୍ଷାଜଳ ଅମଳ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିଲା।
ଜଳ ସମ୍ପଦ ବିଭାଗ ପକ୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷରେ ପୌରାଞ୍ଚଳର ସରକାରୀ ଏବଂ ଘରୋଇ କୋଠାବାଡ଼ି ଛାତରେ ବର୍ଷାଜଳ ଅମଳ ବ୍ୟବସ୍ଥା କରିବା ନିମନ୍ତେ ଲୋକଙ୍କୁ ପ୍ରୋତ୍ସାହନ ରାଶି ଦେବାକୁ ୧୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର, ବ୍ରହ୍ମପୁର, ଟିଟିଲାଗଡ଼, ବଲାଙ୍ଗିର ଏବଂ ଝାରସୁଗୁଡ଼ାରେ ଏହି ବ୍ୟବସ୍ଥା ହେବାକୁ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଜଳ ସଙ୍କଟ ସହରରେ କାର୍ଯ୍ୟକାରୀ ହେବାକୁ ଲକ୍ଷ୍ୟ ଥିଲା। ଉକ୍ତ ସ୍କିମ୍‌ରେ ୨୦୧୮-୧୯ରେ ପୁରୀ, କଟକ, ଅନୁଗୋଳ, ତାଳଚେର, ସମ୍ବଲପୁର ଏବଂ ରାଉରକେଲା ସହର ଅନ୍ତର୍ଭୁକ୍ତ କରାଯାଇଥିଲା। ୨୦୧୫ରୁ ୨୦୧୯ ଭିତରେ ୪ହଜାର ୧୦୨ଟି ସରକାରୀ ଏବଂ ବେସରକାରୀ କୋଠାରେ ବର୍ଷାଜଳ ଅମଳ ବ୍ୟବସ୍ଥା ହୋଇଥିବାବେ‌େ‌ଳ ଏଥିରେ ୧୫୪୯.୪୫ ଲକ୍ଷ ଟଙ୍କା ବିନିଯୋଗ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଛାତର ଆୟତନ ୨୧୫୦ବର୍ଗଫୁଟ ରୁ କମ ଏବଂ ତିନି ମହଲାରୁ କମ ହୋଇଥିବା କୋଠାଘର ଏହି ଯୋଜନା ଅନ୍ତର୍ଭୁକ୍ତ ହେବ। ବେସରକାରୀ କୋଠା ମାଲିକ ନିଜ ଖର୍ଚ୍ଚ‌େ‌ର ଏହି ପ୍ରକଳ୍ପ ନିର୍ମାଣ କରିବେ। ପରେ ସେମାନଙ୍କର ବ୍ୟାଙ୍କ ଖାତାରେ ପ୍ରକୃତ ଖର୍ଚ୍ଚର ୫୦ପ୍ରତିଶତ କିମ୍ବା ୪୫ ହଜାର ଟଙ୍କା ରିଆତି ଭାବେ ସରକାର ଜମା କରିବେ ବୋଲି ବ୍ୟବସ୍ଥା ହୋଇଥିଲା।
ରାଜ୍ୟରେ ଲକ୍ଷ ଲକ୍ଷ କୋଠାବାଡ଼ି ଥିବାବେଳେ ୫ବର୍ଷରେ ଉକ୍ତ ସ୍କିମରେ ୪ହଜାର କୋଠାରେ ବର୍ଷାଜଳ ଅମଳ ବ୍ୟବସ୍ଥା ସୀମିତ ରହିଛି। ଫଳରେ ଏହାର ବାସ୍ତବ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରୋତ୍ସାହନ ଅର୍ଥ ପାଇବା ପାଇଁ ବହୁବାର ସରକାରୀ କାର୍ଯ୍ୟାଳୟ ଦୌଡ଼ି‌େ‌ଲ ବି ଅଧିକାଂଶ ହିତାଧିକାରୀଙ୍କୁ ଏହା ମିଳୁ ନାହିଁ। ଉକ୍ତ ସ୍କିମ ବାଟବଣା ହୋଇଥିବା ଅଭିଯୋଗ ହୋଇଛି।
ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆଇନ ୨୦୦୩ରେ ମଧ୍ୟ କୋଠାବାଡ଼ିର ଛାତ ଏବଂ ଏହାର ଅନ୍ୟାନ୍ୟ ସ୍ଥାନରୁ ବର୍ଷାଜଳ ସଂରକ୍ଷଣ କରିବାକୁ ମାଲିକ ବ୍ୟବସ୍ଥା କରିପାରିବେ ବୋଲି ସର୍ତ୍ତାବଳୀ ଜାରି ହୋଇଥିଲା। ଆଦେଶନାମାର ୬ମାସ ଭିତରେ ଯେଉଁମାନେ ଆଦେଶନାମା ଅନୁସାରେ ପଦକ୍ଷେପ ନ ନେବେ ସେମାନଙ୍କ ବିରୋଧରେ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ଆଇନ ୧୯୮୨ ଏବଂ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ୍‌ ଆାଇନ ୨୦୦୩ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶ ରହିଛି। ଏହି ଆଦେଶନାମାକୁ ୧୦ ମାସରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ବାସ୍ତବ ପକ୍ଷେ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ। ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିସନର ପ୍ରେମ୍‌ ଚନ୍ଦ୍ର ଚୌଧାରୀ କହିଛନ୍ତି,ବିଏମ୍‌ସିର ଜଳମଗ୍ନ ଏବଂ ଜଳ ସଙ୍କଟ ଅଞ୍ଚଳ‌େ‌ର ଅଗ୍ରାଧିକାର ଭିତ୍ତିରେ ଏହି ବ୍ୟବସ୍ଥା କରିବାକୁ ପଦକ୍ଷେପ ନିଆଯାଇଛି। ରାଜଧାନୀର ବିଭିନ୍ନ ପାର୍କରେ ବର୍ଷାଜଳ ଅମଳ ବ୍ୟବସ୍ଥା କରାଯାଉଛି ।
-ସରକାରୀ କୋଠା ସୁନିଶ୍ଚିତ କରିବାକୁ ନିର୍ଦେଶ :
ଜଳଶକ୍ତି ଅଭିଯାନ-୨ ଆରମ୍ଭ ନିମନ୍ତେ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରାଯାଇଛି। ଉକ୍ତ ଚିଠି ପାଇବା ପରେ ଜଳ ସମ୍ପଦ ବିଭାଗ ଭୂତଳଜଳ ବିକାଶ ନିର୍ଦେଶକ ଏବଂ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି କରିଛି। ରାଜ୍ୟର ସରକାରୀ କୋଠାରେ ବର୍ଷାଜଳ ଅମଳ ବ୍ୟବସ୍ଥା‌ ହୋଇଛି କି ନାହିଁ ସର୍ଭେ କରିବା ସହିତ ଏହି ବ୍ୟବସ୍ଥା ନିମନ୍ତେ ଆନୁଷଙ୍ଗିକ ଆବଶ୍ୟକତା ସମ୍ପର୍କରେ ବିଭାଗକୁ ଜଣାଇବାକୁ କୁହାଯାଇଛି। ଏହି ଅଭିଯାନରେ ପ୍ରତି ଜିଲାରେ ଜଳଶକ୍ତି କେନ୍ଦ୍ର ସ୍ଥାପନ, ଜଳାଶୟରେ ଜବରଦଖଲ, ସମସ୍ତ ସରକାରୀ କୋଠା ଛାତରେ ବର୍ଷାଜଳ ଅମଳ ବ୍ୟବସ୍ଥା, ପୋଖରୀ, ହ୍ରଦ, ଝରଣାର ପୁନରୁଦ୍ଧାର ଏବଂ ଜଳାଶୟଗୁଡ଼ିକ ଆକାଶ ମାର୍ଗରୁ ଡିଜିଟାଲ ଚିତ୍ର ଉତ୍ତୋଳନ ପ୍ରଭୃତି କାର୍ଯ୍ୟ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

Comments are closed.