୩ରୁ ଦୁଇଦିନ ବର୍ଷା

ଅମଳ ଉପଯୋଗୀ ଫସଲ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କର, ବୁଣାବୁଣି ସାମୟିକ ବନ୍ଦ ରଖିବାକୁ ପରାମର୍ଶ

ଭୁବନେଶ୍ୱର : ଆସନ୍ତା ୩ ଓ ୪ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ଓ ବଙ୍ଗୋପସାଗର ମଧ୍ୟରୁ ରାଜ୍ୟକୁ ପ୍ରବେଶ କରୁଥିବା ଅତ୍ୟଧିକ ମାତ୍ରାରେ ଉଷ୍ଣ ଜଳୀୟ ବାଷ୍ପ ପ୍ରଭାବରେ କିଛି ଜିଲାରେ ମଧ୍ୟମଧରଣ ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ କିଛି ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ବର୍ଷାର ସମ୍ଭାବନା ରହିଛି। ଏହାଦ୍ବାରା କୃଷି କ୍ଷେତ୍ର ବିଶେଷକରି ପରିବା ଚାଷ ଓ ଉଦ୍ୟାନ କୃଷି ପ୍ରଭାବିତ ହେବାର ସମ୍ଭାବନା ରହିଛି। ଅମଳ ଉପଯୋଗୀ ହରଡ଼, ବନ୍ଧାକୋବି, ଫୁଲକୋବି ତଥା ଅନ୍ୟାନ୍ୟ ଫସଲକୁ ୩ ଫେବୃଆରୀ ପୂର୍ବରୁ ଅମଳକରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ପରାମର୍ଶ ଦିଆଯାଇଛି। ଶୀତଦିନିଆ ଡାଲି ଜାତୀୟ ବିହନ ଏବଂ ତୈଳବିହନ ବୁଣାବୁଣି ସପ୍ତାହକ ପାଇଁ ସ୍ଥଗିତ ରଖିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଟମାଟୋ, ଲଙ୍କା, ପିଆଜ, କୋବି ଆଦିକୁ ପଲିଥିନ, ଜାଲି କିମ୍ବା ପ୍ଲାଷ୍ଟିକ ଦ୍ବାରା ଆଚ୍ଛାଦିତ କରି ରଖିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତାକାଲି ଓ ବୁଧବାର ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ କନ୍ଧମାଳ, ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି, ଗଞ୍ଜାମ ଓ ଢେଙ୍କାନାଳରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି। ୩ ତାରିଖ ସକାଳେ ଉପକୂଳ ଓଡ଼ିଶାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡିର ସମ୍ଭାବନା ରହିଛି। ବାକି ଜିଲାରେ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି। ‌େକନ୍ଦୁଝରଗଡ଼ ୭.୮, ଦାରିଙ୍ଗବାଡ଼ି ୮, ଝାରସୁଗୁଡ଼ା ୯.୨, ଭବାନୀପାଟଣାରେ ୯.୭ ଡିଗ୍ରୀ ସେଲସିୟସ ରେକର୍ଡ଼ କରାଯାଇଛି।

Comments are closed.