୫ ମାସରେ ୧୨ ଲଘୁଚାପ, ପୁଣି ବର୍ଷିବ ୧୯ରୁ

ଭୁବନେଶ୍ବର: ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ୧୯ରୁ ୨୧ ତାରିଖ ମଧ୍ୟରେ ଓଡ଼ିଶାର କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଲଘୁଚାପ ପ୍ରଭାବରେ ଆସନ୍ତା ୧୯ତାରିଖ ସକାଳୁ ୨୧ ତରିଖ ସକାଳ ମଧ୍ୟରେ ଗଞ୍ଜାମ ଓ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ଏହି ଦୁଇଟି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ପୁରୀ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏହି ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି ୨୦ରୁ ୨୧ ତାରିଖ ସକାଳ ଭିତରେ କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏଠାରେ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହାଛଡ଼ା ମାଲକାନଗିରି, ନବରଙ୍ଗପୁର ଓ କନ୍ଧମାଳ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନାକୁ ଦେଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଲଘୁଚାପ ସକ୍ରିୟ ହେବା ସହିତ ସମୁଦ୍ର ଉପକୂଳରେ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିପାରେ। ତେଣୁ ଆସନ୍ତା ୧୯ ଓ ୨୦ରେ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।

ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଭିଡ଼ିଓ କନଫରେନ୍ସିଂ ଜରିଆରେ ଜିଲାପାଳମାନଙ୍କ ସହିତ ସମ୍ଭାବ୍ୟ ପରିସ୍ଥିତି ଓ ଏହାର ମୁକାବିଲା ନେଇ ଆଲୋଚନା କରିଥିଲେ। ସେ କହିଛନ୍ତି ଯେ ବଙ୍ଗୋପସାଗରରେ ୧୯ ଅକ୍ଟୋବରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୯ରୁ ୨୧ ଭିତରେ ଓଡ଼ିଶାର କିଛି ଜିଲରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଳିଫ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ଜଳସମ୍ପଦ ଓ ମତ୍ସ୍ୟସମ୍ପଦ ବିଭାଗ ସହିତ ଜିଲାଗୁଡ଼ିକୁ ସତର୍କ ସୂଚନା ପଠାଯାଇଛି ଏବଂ ବର୍ଷା ଓ ବନ୍ୟା ପରିସ୍ଥିତି ଦେଖାଦେଲେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଜଳବାୟୁ ପରିବର୍ତ୍ତନ ସହିତ ପାଣିପାଗରେ ଏବେ ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଜୁନ ପହିଲାରୁ ଏ ପର୍ୟ୍ୟନ୍ତ ପ୍ରାୟ ୫ ମାସ ଭିତରେ ୧୨ଟି ଲଘୁଚାପ ସୃଷ୍ଟି ହେଲାଣି। ଏଥିମଧ୍ୟରୁ କେବଳ ମୌସୁମି ଋତୁ ଜୁନ ପହିଲାରୁ ସେପ୍ଟେମ୍ବର ଭିତରେ ୯ଟି ଲଘୁଚାପ ହୋଇଥିବାବେଳେ ଅକ୍ଟୋବର ତିନି ସପ୍ତାହ ଭିତରେ ତିନିଟି ଲଘୁଚାପ ସୃଷ୍ଟି ହେଲାଣି। ଫଳରେ ଅକ୍ଟୋବର ତୃତୀୟ ସପ୍ତାହ ଭିତରେ ୩ଟି ଲଘୁଚାପ ସହିତ ବଙ୍ଗୋପସାଗରରେ ଗତ ୧୦ ବର୍ଷରେ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି।

Comments are closed.