ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ, ବର୍ଷା ବଢ଼ାଇବ ଶୀତ

ଭୁବନେଶ୍ବର:  ଗତ କିଛିଦିନ ଧରି ବେଶ୍ ଜାଡ଼ରେ ଥରୁଥିବା ଓଡ଼ିଶାର ଜଳବାୟୁରେ କିଛିଟା ଉତ୍ତାପ ଅନୁଭୂତ ହୋଇଛି। ଲଗାତାର ୧୪/୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଥିବା ବେଳେ ଏହି ସଂଖ୍ୟା ଏବେ ୫କୁ ଖସିଆସିଛି। ପଶ୍ଚିମାବାୟୁ ପ୍ରବାହ ଆରମ୍ଭ ହୋଇଥିବାରୁ ତାପମାତ୍ରା ବଢ଼ିଛି। ତେବେ ଆଗକୁ ଦୁଇଦିନ ବର୍ଷାର ସମ୍ଭାବନା ଥିବାରୁ ପୁନର୍ବାର ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଗତକାଲି ଠାରୁ ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ କ୍ରମଶଃ ଘନିଭୂତ ହେବାରେ ଲାଗିଛି। ଏହାର ପ୍ରଭାବରେ ଆଜି ଓ ୩ ତାରିଖରେ ବର୍ଷା ହେବ ଆଉ ଶୀତ ବଢ଼ିବ। ସେଥିପାଇଁ ୧୧ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ବୁଧବାର ସଂଧ୍ୟାରୁ ଉପକୂଳ ଜିଲାରେ ବର୍ଷା ହୋଇଛି। କୋଣାର୍କ, ନିମାପଡ଼ା, ଗୋପାଳପୁର ସମେତ ଜଗତସିଂହପୁର ଜିଲାରେ କିଛି ସ୍ଥାନରେ ପବନ ସହିତ ବର୍ଷା ହୋଇଥିବା ସୂଚନା ମିଳିଛି। ଆଞ୍ଜଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ଦେବଗଡ଼, ସୋନପୁର, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲାରେ ବର୍ଷାର ସମ୍ଭାବନା ରହିଛି। ସେହିପରି ବର୍ଷାକୁ ଦୃଷ୍ଟିରେ ରଖି ଶୁକ୍ରବାର ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୋଳ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାତିବେଳା ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢ଼ିବ ଏବଂ ଦିନ ସମୟରେ ସର୍ବାଧିକ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଆଜି କେବଳ ୫ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଆଜି କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ୭.୬, ତାଳଚେରରେ ୮.୯ ଡିଗ୍ରୀ, ଫୁଲବାଣୀରେ ୯ ଡିଗ୍ରୀ, ସୋନପୁରରେ ୯.୬, ସୁନ୍ଦରଗଡ଼ରେ ୧୦, ବାଲେଶ୍ବରରେ ୧୦.୧, ବାରିପଦା ଓ ଦାରିଙ୍ଗବାଡ଼ିରେ ୧୦.୫, ଟିଟିଲାଗଡ଼ରେ ୧୦.୬, କଟକରେ ୧୦.୮, ଭୁବନେଶ୍ବର ୧୨.୬ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.