ଚାରିଦିନ ଯାଏ ମେଘୁଆ ପାଗ

ଭୁବନେଶ୍ବର :  ମୌସୁମି ବାୟୁ ସକ୍ରିୟ ଥିବା ବେଳେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ରବିବାର ପହିଲି ରଜରେ ଅଧିକାଂଶ ଜିଲାରେ କମ୍ ବର୍ଷା ହୋଇଥିଲେ ସୁଦ୍ଧା ପାଗ ମେଘୁଆ ରହିଥିଲା। ଆସନ୍ତା ୧୯ ତାରିଖ ଯାଏ ଅଧିକାଂଶ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ରେ ସର୍ବାଧିକ ୧୫୮ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ୯୫.୨ ମିମି, କଟକରେ ୪୯ ମିମି, ସମ୍ବଲପୁରରେ ୪୩.୬ ମିମି, ପାରଳାଖେମୁଣ୍ଡିରେ ୩୪ ମିମି, କେନ୍ଦୁଝରରେ ୩୩.୨ ମିମି, ପାରାଦ୍ବୀପରେ ୨୧.୪ ମିମି, ଭୁବନେଶ୍ବରରେ ୨୦.୨ ମିମି, ବଲାଙ୍ଗୀରରେ ୧୧ ମିମି ବର୍ଷା ହୋଇଛି। ସୋମବାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କଟକ, ଜଗତସିଂହପୁର ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର ଯାଏ ଅନୁରୂପ ପାଗ ଲାଗି ରହିବ। ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇପାରେ। ବଙ୍ଗୋପ ସାରଗରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

Comments are closed.