ସ୍ୱଳ୍ପ ବର୍ଷା ଯୋଗୁଁ ମରୁଡିର ପଦଧ୍ୱନି!

ଭବାନୀପାଟଣା : ଜୁଲାଇ ସରିକି ଅଗଷ୍ଟ ତିନିଦିନ ବିତିଲାଣି ଅଥଚ ଆବଶ୍ୟକ ପରିମାଣର ବର୍ଷା ନାହିଁ। ଫଳରେ କଳାହାଣ୍ଡି ଜିଲ୍ଲାର ବହୁ ଅଞ୍ଚଳରେ ମରୁଡିର ପଦଧ୍ୱନି ଶୁଣିବାକୁ ମିଳିଲାନି। ଚଳିତ ବର୍ଷ ପୁଣିଥରେ ମରୁଡି ଆଶଙ୍କା ଦେଖା ଦେଇଛି। ଜିଲ୍ଲାରେ ଗତ ତିନିବର୍ଷ ମଧ୍ୟରେ ଚଳିତ ଜୁଲାଇ ମାସରେ ସବୁ ଠାରୁ ସର୍ବନିମ୍ନ ବର୍ଷା ହୋଇଛି। ଫଳରେ ଚାଷକାମ ବାଧାପ୍ରାପ୍ତ ହେଉଛି। ଚାଷ କାମ ଆଗେଇ ପାରୁ ନଥିବାରୁ ଚାଷୀମାନଙ୍କ ମଧ୍ୟରେ ନିରାଶା ଦେଖାଦେଇଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ୨୦୧୮ ଜୁନ ମାସରେ ହାରାହାରି ବର୍ଷା ୧୦୬.୪୪ ମିମି, ଜୁଲାଇରେ ୬୫୨.୨୫ ମିମି ହୋଇଥିଲା। ୨୦୧୯ ଜୁନରେ ୧୫୭ ମିମି ଓ ଜୁଲାଇରେ ୪୫୪.୦୭ ମିମି ବର୍ଷା ହୋଇଥିଲା। ଚଳିତ ବର୍ଷ ଜୁନ ମାସରେ ୩୦୬.୮୯ ମିମି ଏବଂ ଜୁଲାଇ ମାସରେ ୨୭୧.୬୯ ମିମି ବର୍ଷା ହୋଇଥିବା ସରକାରୀ ଭାବେ ରେକର୍ଡ କରାଯାଇଛି। ଗତ ତିନିବର୍ଷ ମଧ୍ୟରେ ଜୁଲାଇ ମାସର ବର୍ଷା ହାର ଚଳିତ ବର୍ଷର ସର୍ବନିମ୍ନ ବର୍ଷା । ଚଳିତ ବର୍ଷ ଜୁଲାଇ ମାସରେ ଭବାନୀପାଟଣା ବ୍ଲକରେ ୨୮୦.୪ ମିମି, କେସିଙ୍ଗା ବ୍ଲକରେ ୩୭୬.୬ ମିମି, କର୍ଲାମୁଣ୍ଡା ବ୍ଲକରେ ୧୭୮.୨ ମିମି, ମଦନପୁର ରାମପୁର ବ୍ଲକରେ ୨୯୪ ମିମି, ନର୍ଲା ବ୍ଲକରେ ୨୦୭ ମିମି, ଲାଞ୍ଜିଗଡ ବ୍ଲକରେ ୨୭୪ ମିମି, ଥୁଆମୂଳ ରାମପୁର ବ୍ଲକରେ ୩୬୭ ମିମି, ଧର୍ମଗଡ ବ୍ଲକରେ ୧୮୫ ମିମି, ଜୁନାଗଡ ବ୍ଲକରେ ୨୨୧ ମିମି, କଲମପୁର ବ୍ଲକରେ ୨୮୦.୫ ମିମି, ଜୟପାଟଣା ବ୍ଲକରେ ୩୦୨ ମିମି, କୋକସରା ବ୍ଲକରେ ୩୧୪.୪ ମିମି ଓ ଗୋଲାମୁଣ୍ଡା ବ୍ଲକରେ ୨୫୦.୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲ୍ଲାରେ କର୍ଲାମୁଣ୍ଡା ବ୍ଲକରେ ଚଳିତ ମାସର ସର୍ବନିମ୍ନ ବର୍ଷା ହୋଇଛି। କଳାହଣ୍ଡି ଜିଲ୍ଲାର କର୍ଲାମୁଣ୍ଡା, ଧର୍ମଗଡ, ଜୁନାଗଡ, ନର୍ଲା, ଭବାନୀପାଟଣା ଆଦି ବ୍ଲକରେ ନିଅଣ୍ଟିଆ ବର୍ଷା ଚାଷୀଙ୍କ ମାନସିକ ସ୍ଥିତ ଦୋହଲାଇ ଦେଇଛି। ପାଣି ଅଭାବ ଯୋଗୁଁ ଚାଷ କାମ ଆଗେଇ ପାରୁ ନାହିଁ। ଧାନ ବେଉଷଣ ପରେ ଚାଷୀମାନେ ବର୍ଷା ଅପେକ୍ଷାରେ ରହିଛନ୍ତି। ଜିଲ୍ଲାରେ ଚାଷୀମାନେ ରବି ଧାନ ବିକ୍ରୀ ବେଳେ ମଣ୍ଡିରେ ଦହଗଞ୍ଜ ହୋଇଥିଲେ। ଚାଷୀଙ୍କ ସବୁ ଧାନ ଉଠାଣ ହେବା ପୂର୍ବରୁ ଚକ୍ରାନ୍ତ କରି ମଣ୍ଡିକୁ ବନ୍ଦ କରି ଦିଆଯାଇଥିଲା। ମଣ୍ଡିପରେ ଖରିଫ ଚାଷ ପାଇଁ କରୋନା ପ୍ରତିବନ୍ଧକ ସାଜିଥିଲା। ପର୍ୟ୍ୟାପ୍ତ ଧାନ ବିହନର ଅଭାବ ଓ ଚାଷୀଙ୍କ ମନମୁତାବକ ବିହନ ନମିଳିବା ଯୋଗୁଁ ଚାଷୀ ଅକଳରେ ପଡିଥିଲା। ଏବେ ରାଜ୍ୟରେ ମୌସୁମୀ ବର୍ଷା ଉଭାନ ହେବା ଯୋଗୁଁ ନିଆଣ୍ଟିଆ ବର୍ଷା ଚାଷୀଙ୍କୁ କଲବଳ କରିଛି। ଏବେ ପାଗ ଶୁଖିଲା ରହିବା ସହିତ ଶ୍ରାବଣ ମାସର ଟାଣ ଖରା ଚାଷୀଙ୍କ କାମରେ ଆସିପାରୁନାହିଁ।

ଚଳିତ ବର୍ଷ ଜୁନାଗଡ କୃଷିଜିଲ୍ଲା ପକ୍ଷରୁ ୨୯,୮୦୦ ହେକ୍ଟର ଜମିରେ ଧାନ ଚାଷ କରିବା ପାଇଁ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନ ସ୍ୱାଭାବିକ ବର୍ଷା ନହେବାରୁ କିଛି ଚାଷୀ ହଳ ମଧ୍ୟ କରିନାହାନ୍ତି। ଅନକେ ଚାଷୀ ତଳି ପକାଇଥିଲେ ହେଁ ପାଣି ଅଭାବରୁ ତଳି ରୁଆ କରି ପାରିନାହାନ୍ତି। ଡାହାଣ ମୁଖ୍ୟ କେନାଲରେ ପାଣି ଯାଉଥିବା ବେଳେ ଜାରିଙ୍ଗଠାରେ ଗେଟ ଖୋଲା ଯାଇଥିବାରୁ ତଳ ଅଞ୍ଚଳରେ ଥିବା ଚାଷୀମାନେ ପାଣି ପାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଆସି କେନାଲ ମରାମତି ପାଇଁ ଉଦ୍‍ଘାଟନ କରିଥିଲେ। ଆଜକୁ ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ନା ଟେଣ୍ଡର ହେଉଛି ନା ମରାମତି ହେଉଛି। ଏ ଅଞ୍ଚଳରେ ମନ୍ତ୍ରୀ, ବିଧାୟକଙ୍କଠାରୁ ଆରମ୍ଭ କରି କୌଣସି ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ଠାରେ ମୁହଁ ଖୋଲିବାକୁ ସାହାସ କରୁନାହାନ୍ତି। ଫଳରେ ଆଜି ବି ଚାଷୀମାନେ ଅବହେଳିତ ଅବସ୍ଥାରେ ରହୁଛନ୍ତି। ବର୍ତ୍ତମାନ ବର୍ଷ ବର୍ଷ ବିତିଯାଇଥିଲେ ସୁଦ୍ଧା କେନାଲ ମରାମତି ହେଉନାହିଁ। ଯାହା ବି ଅଛି ତାହା ପୁଣି ଭାଙ୍ଗି ଗଲାଣି। ଫଳରେ ଚାଷୀଙ୍କ ଜମିକୁ କେନାଲ ମାଧ୍ୟମରେ ଠିକ ଭାବେ ପାଣି ଯାଇ ପାରୁନାହିଁ। ଅନ୍ୟପେଟ ସ୍ୱଳ୍ପ ବର୍ଷା ଯୋଗୁଁ ଜିଲ୍ଲାରେ ସମସ୍ତ ଜଳସେଚନ ପ୍ରକଳ୍ପ, ବନ୍ଧ, କଟା ଆଦିରେ ପାଣି କମ୍‍ ଥିବା ଯୋଗୁଁ ଜଳ ସେଚନ ହେବା ସମ୍ଭବପର ହେଉନାହିଁ। ଫଳରେ ଜିଲ୍ଲାରେ ଅଧିକାଂଶ ଅଞ୍ଚଳରେ ଧାନ ରୁଆ ହେବା ଦୂରର କଥା ଧାନପଲା ଗୁଡିକ ହଳଦିଆ ପଡିଗଲାଣି। ଅନ୍ୟପଟେ ରାଜ୍ୟ ସରକାର, ଜିଲ୍ଲାର ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଅନ୍ୟ ଲୋକପ୍ରତିନିଧି ସହିତ ଜିଲ୍ଲା ପ୍ରଶାସନ କେବଳ କୋଭିଡ୍‍-୧୯ (କରୋନା) ଚିନ୍ତାରେ ବ୍ୟବସ୍ଥ ଥିବା ବେଳେ ଚାଷୀ ପାଣି ମୁନ୍ଦାଏ ପାଇଁ ହାହାକାର ହେଉଛି। ଏଥିପ୍ରତି ତୁରନ୍ତ ରାଜ୍ୟ ସରକାର ଦୃଷ୍ଟି ଦେବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Comments are closed.