୧୯ରୁ ପୁଣି ବର୍ଷା

0

ଭୁବନେଶ୍ୱର : ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବା ପରେ ଏବେ ଦକ୍ଷିଣ ଛତିଶଗଡ଼ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ମୁହାଁଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରି ଏବେ ନାଗପୁରଠାରୁ ୬୫କିମି ଦକ୍ଷିଣ ପୂର୍ବ ଏବଂ ୱାର୍ଦ୍ଧାଠାରୁ ପୂର୍ବ ଉତ୍ତର ପୂର୍ବରେ ୧୦୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।
ଅବପାତ ପଶ୍ଚିମ-ଉତ୍ତରପଶ୍ଚିମରେ ଗତି କରିବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ଘଣ୍ଟାରେ ଏହା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବା ସହିତ ମଧ୍ୟପ୍ରଦେଶ ଦେଇ ମହାରାଷ୍ଟ୍ର ଅତିକ୍ରମ କରିବ। ଓଡ଼ିଶାରେ ଏବେ ଏହାର କୌଣସି ପ୍ରଭାବ ନାହିଁ। ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୯ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ତିନିଦିନ ଧରି ରାଜ୍ୟରେ ବର୍ଷା ହୋଇପାରେ। ବିଶେଷ କରି ୧୯ରେ ମାଲକାନଗିରି, କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୦ରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Leave A Reply