ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ଲଘୁଚାପ ପଶ୍ଚିମକୁ ଅଗ୍ରସର ହେବା ପରେ ରାଜ୍ୟରେ ବର୍ଷା କମିଛି। ବୁଧବାର କାଁ ଭାଁ ବର୍ଷା ହୋଇଛି। ଅପରାହ୍ଣ ୫.୩୦ ସୁଦ୍ଧା ବାରିପଦାରେ ସର୍ବାଧିକ ୨୦ ଓ ବାଲେଶ୍ବରରେ ୧୭ ମିଲିମିଟର ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକରେ ସର୍ବାଧିକ ୬ ସେମି ବର୍ଷା ହୋଇଛି। ଗୁରୁବାର ଉତ୍ତର ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଓ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ଘଡ଼ିଘଡ଼ି ସହ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୧ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ
କରାଯାଇଛି।
ଏହାର ପ୍ରଭାବରେ ସେହିଦିନ ଉପକୂଳବର୍ତ୍ତୀ ଜିଲା ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ସୋଆ ବିଶ୍ବବିଦ୍ୟାଳୟର ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ
ଆକଳନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ୨୦ରେ ଏହା ଲଘୁଚାପର ରୂପ
ନେବାର ସମ୍ଭାବନା ରହିଛି। ୨୨ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେବ। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲା ସହିତ ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲାରେ ଗୁରୁବାରଠାରୁ ବର୍ଷାର ସମ୍ଭାବନା ରହିଛି। ୨୧ରୁ ୨୩ ତାରିଖ ମଧ୍ୟରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସହିତ ପଶ୍ଚିମ ଓଡ଼ିଶାର ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ ଓ ସୋନପୁର ଜିଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳରେ ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Leave A Reply