ଦକ୍ଷିଣରୁ ମୌସୁମି ପ୍ରବେଶ ; ୪୮ଘଣ୍ଟାରେ ସବୁ ଜିଲା ଛୁଇଁବ

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଗୁରୁବାର ଓଡ଼ିଶା ଛୁଇଁଛି। ମୌସୁମି ପ୍ରବେଶ ସହିତ ରାଜ୍ୟରେ ପାଗ ବଦଳିଛି ଏବଂ ଅଧିକାଂଶ ଅଞ୍ଚଳରେ କୋହଲା ପାଗ ସହିତ ମଝିରେ ମଝିରେ ବର୍ଷା ଯୋଗୁଁ ପ୍ରବଳ ତାତିରୁ ଲୋକେ ଆଶ୍ବସ୍ତ ହୋଇଛନ୍ତି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ମୌସୁମି ବାୟୁ ଦକ୍ଷିଣ ଓଡ଼ିଶାର ମାଲକାନଗିରି ସମେତ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଗଜପତି ଓ ଗଞ୍ଜାମର କିଛି ଅଞ୍ଚଳରେ ପ୍ରବେଶ କରିଛି। ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ରାଜ୍ୟର ଅନ୍ୟାନ୍ୟ ଜିଲାକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ମାଲକାନଗିରି ଓ କୋରାପୁଟର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବରରେ ମଧ୍ୟମ ଧରଣର ବର୍ଷା ହେବ।
ଏହି ସମୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର ଓ ଖୋର୍ଦ୍ଧା ଜିଲାରେ ମଧ୍ୟ ଘଡ଼ଘଡ଼ି ସହିତ ବର୍ଷା ହେବ। ଏଥିସହିତ ନବରଙ୍ଗପୁର ଓ ନୂଆପଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉଭୟ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ। ଆସନ୍ତା ୧୩ ଓ ୧୪ରେ ବରଗଡ଼, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବବୋଲି ଆକଳନ କରାଯାଇଛି।
ଇତିମଧ୍ୟରେ ପୂର୍ବ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ ଏବେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ରହିଛି। ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳରେ ୪୦ରୁ ୫୦କିମି ବେଗରେ ପବନ ବହିପାରେ। ତେଣୁ ମତ୍ସ୍ୟଜୀବୀଙ୍କୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବା ପାଇଁ ବାରଣ କରାଯାଇଛି।
ମୌସୁମି ପ୍ରବେଶ ସହିତ ଗୁରୁବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହୋଇଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଦାରିଙ୍ଗବାଡ଼ିରେ ଗତ ୨୪ଘଣ୍ଟାରେ ସର୍ବାଧିକ ୭୯ମିମି ବର୍ଷା ହୋଇଛି। ଏହାଛଡ଼ା ରାଜ୍ୟର ଅନ୍ୟାନ୍ୟ ଜିଲାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇଛି।
‘ସୋଆ’ ପରିବେଶ ଓ ଜଳବାୟୁ କେନ୍ଦ୍ର ମୁଖ୍ୟ ଶରତଚନ୍ଦ୍ର ସାହୁ କହିଛନ୍ତି ଯେ ମୌସୁମି ଦକ୍ଷିଣ ଓଡ଼ିଶାର ମାଲକାନଗିରି ସମେତ କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ପ୍ରବେଶ କରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓ ଅାଭ୍ୟନ୍ତରୀଣ ଓଡ଼ିଶାକୁ ମୌସୁମି ଆଗେଇବା ପାଇଁ ପାଗ ଅନୁକୂଳ ରହିଛି। ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଭିତରେ ଥିବା ଲଘୁଚାପ ପଶ୍ଚିମ ଓ ଉତ୍ତର ପଶ୍ଚିମରେ ଗତି କରୁଛି। ଏହା ଛତିଶଗଡ଼ ଦେଇ ଦକ୍ଷିଣ ମଧ୍ୟପ୍ରଦେଶ ମୁହଁାଇବାର ସମ୍ଭାବନା ରହିଛି।

Comments are closed.