୧୯ରେ ପୁଣି ଲଘୁଚାପ

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରୁ ପୂର୍ବ କେନ୍ଦ୍ରୀୟ ଆରବ ସାଗର ପର୍ଯ୍ୟନ୍ତ ଥିବା ମୌସୁମି ଟ୍ରଫଲାଇନ ଉତ୍ତର ଆନ୍ଧ୍ର ଉପକୂଳ, ତେଲଙ୍ଗାନା ଏବଂ ମଧ୍ୟ ମହରାଷ୍ଟ୍ର ଓ ଦକ୍ଷିଣ କୋଙ୍କଣ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପର୍ଯ୍ୟନ୍ତ ସକ୍ରିୟ ରହିଛି। ମୌସୁମି ସକ୍ରିୟ ଥିବା କାରଣରୁ ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ବର୍ଷାର ସମ୍ଭାବନା ରହିଛି।
ଏହାଛଡ଼ା କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ଏହି ଲଘୁଚାପ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ସାଇକ୍ଲୋନ ସେଣ୍ଟର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ଚୀନ ସାଗରରେ ପୂର୍ବରୁ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଦୁର୍ବଳ ହବା ପରେ ଏହା ଆଣ୍ଡାମାନ ସାଗରକୁ ଗତି କରିଥିଲେ ହେଁ ଆସନ୍ତା ୧୮ତାରିଖ ସୁଦ୍ଧା ସକ୍ରିୟ ହେବାର ସମ୍ଭାବନା ରହିଛି। ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମରେ ଗତି କରିବା ସହିତ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବା। ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେବା ସହିତ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି।
ଆସନ୍ତାକାଲି ସକାଳ ସୁଦ୍ଧା କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳର ବର୍ଷାର ସମ୍ଭାବନା ଥିବାବେଳେ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବଜ୍ରପାତ ସହିତ ବର୍ଷାର ସମ୍ଭାବନା ରହିଛି। ୧୬ ତାରିଖ ସକାଳୁ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ପୁରୀ, ଖୋର୍ଦ୍ଧା,ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକ ୟେଲୋ ୱାର୍ନିଂ ଜାରି କରାଯାଇଛି। ଏହାର ପରବର୍ତ୍ତୀ ୨୪ରୁ ୪୮ଘଣ୍ଟା ପର୍ଯ୍ୟନ୍ତ ବଡ଼ ଧରଣର ବର୍ଷାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ତେବେ ୧୯ରେ ଲଘୁଚାପର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଆଦି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଇଏମଡ଼ି ବୁ​ଲେଟିନରୁ ସୂଚନା ମିଳିଛି।

Comments are closed.